Dharmendra Pradhan / ସମ୍ବଲପୁରରେ ସର୍ଦ୍ଦାର ପଟେଲଜୀଙ୍କ ସ୍ମୃତିରେ ବିଶାଳ 'ଏକତା ପଦଯାତ୍ରା'

Key Points
ସମ୍ବଲପୁରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା । ଏଥିରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୋଲିସ ରିଜର୍ଭ ପଡ଼ିଆରୁ ମହିଳା ମହାବିଦ୍ୟାଳୟ ପଡ଼ିଆ ଯାଏଁ ପଦଯାତ୍ରା ଅନୁଷ୍ଠିତ ହୋଇଛି ।ଭାରତର ଏକତା ଓ ଅଖଣ୍ଡତାର ମହାନ ପ୍ରତୀକ ବଲ୍ଲବ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ସମ୍ବଲପୁରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୋଲିସ ରିଜର୍ଭ ପଡ଼ିଆରୁ ପଦଯାତ୍ରା ଆରମ୍ଭ ହୋଇ ଲକ୍ଷ୍ମୀ ଟକିଜ୍, ଗୋଲ୍ ବଜାର, ଅରବିନ୍ଦ ସ୍କୁଲ ମାର୍ଗ, ନେଲସନ ମଣ୍ଡେଲା ଛକ, ଜେଲ୍ ଛକ, ଭୂତପଡ଼ା ଦେଇ ମହିଳା ମହାବିଦ୍ୟାଳୟ ପଡ଼ିଆ ଯାଏଁ ଯାଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସମେତ ଯୁବ ସାଥୀ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସାମାଜିକ ସଂଗଠନ ସାମିଲ ହୋଇଥିଲେ ।
ଏହି ଅବସରରେ ଆୟୋଜିତ ଜନସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସର୍ଦ୍ଦାର ପଟେଲଜୀଙ୍କ ଅସୀମ ସାହସ, ଅଦମ୍ୟ ରାଜନୈତିକ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ନେତୃତ୍ୱ କାରଣରୁ ଆମ ଦେଶ ଆଜି ବିକାଶର ମାର୍ଗରେ ଅଗ୍ରସର ହେଉଛି । ଆମ ରାଜ୍ୟ ଓଡ଼ିଶା ୨୦୩୬ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଆମ ଦେଶକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ । ଆମର ପୂର୍ବଜମାନେ ପୂର୍ବରୁ ଲଢେଇ କରିଥିଲେ ସ୍ୱରାଜ ପାଇଁ, କିନ୍ତୁ ଆମକୁ ଏବେ ସମୃଦ୍ଧି ପାଇଁ ଲଢ଼ିବାକୁ ପଡ଼ିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ବାମଣ୍ଡାର ରାଜା ସାର ସୁଢଳ ଦେବ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ବରପୁତ୍ରଙ୍କ ଅବଦାନକୁ ମନେ ପକାଇଥିଲେ କେନ୍ଦ୍ରମନ୍ତ୍ରୀ । ଏଥିସହ ପୋଷଣକୁ ପ୍ରାଧାନ୍ୟ ଦେଇ ଛୋଟ ପିଲାଙ୍କର ଯତ୍ନ ନେବା ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବା ପାଇଁ ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଜନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ।
ସମ୍ବଲପୁରକୁ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଅଧିକ ଦାୟିତ୍ୱ ନେବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ ସମ୍ବଲପୁରରେ ଖେଳକୁ ପ୍ରୋତ୍ସାହନ ଦେବା ସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିବା ପାଇଁ ଆହ୍ୱାନ କରିଥିଲେ ।
📱 Get Argus News App
✨Related Topics
Explore more stories