Videos
|
Odisha

ପାଣି ଘେରରେ ଶହ ଶହ ଗାଁ, ଜୁଆଡେ ଆଖି ବୁଲାଇବ ପାଣି ହିଁ ପାଣି

Smruti Parija
Browse all articles by Smruti Parija
·1 year ago·3 min read
ପାଣି ଘେରରେ ଶହ ଶହ ଗାଁ, ଜୁଆଡେ ଆଖି ବୁଲାଇବ ପାଣି ହିଁ ପାଣି

Key Points

ଦୁର୍ଦ୍ଦଶା ଆଣିଲେ ସୁବର୍ଣ୍ଣରେଖାରୁ ବୈତରଣୀ, କୋଚିଳାରୁ କାଣୀ
ପାଣି ଘେରରେ ଶହ ଶହ ଗାଁ, ସବୁଠି ଖାଲି ପାଣି ଆଉ ପାଣି
ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ବନ୍ୟା ସ୍ଥିତି ଅସମ୍ଭାଳ
ବିପନ୍ନଙ୍କ ପାଇଁ ଓଡ୍ରାଫ୍ ଯବାନ ସାଜିଲେ ଦେବଦୂତ

ଏମିତି ପାଣି କେବେ ଦେଖିନଥିଲେ ଯାଜପୁରବାସୀ। ଘରୁ ନେଇ ମନ୍ଦିର, ରାସ୍ତା ଘାଟରୁ ବନ୍ଦ ବାଡ଼। ସବୁ ଜଳମଗ୍ନ। ବୈତରଣୀ କୂଳରେ ଥିବା ଦଶରଥପୁର ବାସିନ୍ଦାଙ୍କ ପାଇଁ ବନ୍ୟା ନୂଆ ନୁହେଁ କିନ୍ତୁ ଏଥର ବଡ଼ ବିପତ୍ତି ଆଣିଛି ବୈତରଣୀର ଶାଖା ନଦୀ କାଣୀ। ଅହିୟାସ ପଞ୍ଚାୟତ ବଙ୍ଗାଳାବାଡିରେ କାଣୀ ନଦୀରେ ସୃଷ୍ଟି ହୋଇଥିବା ଏ ଘାଇରେ ଜଳମଗ୍ନ ହୋଇଛି ଦଶରଥପୁରର ୨୦ଟି ଓ ଯାଜପୁର ବ୍ଲକର ଗୋଟିଏ ପଞ୍ଚାୟତ। ପ୍ରାୟ 20 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମଲ୍ଲିକାପୁର ପଞ୍ଚାୟତର ଯେଉଁଠି ଲୋକଙ୍କ ପାଇଁ ଦେବଦୂତ ସାଜିଲେ ଓଡ୍ରାଫ ଟିମ୍ । ଦୀର୍ଘ 48 ଘଣ୍ଟା ଧରି ଫସି ରହିଥିବା ଲୋକଙ୍କୁ ଆଜି ଉଦ୍ଧାର କରିଛନ୍ତି ଯବାନ। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ମହିଳା ଓ ଶିଶୁ।


ଯାଜପୁର ଜିଲ୍ଲାରେ ୬ ହଜାର ୧୯୧ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମୁତୟନ ଅଛନ୍ତି ୨ଟି ଓଡ୍ରାଫ୍ ଓ ଗୋଟିଏ ଅଗ୍ନିଶମ ବାହିନୀ। ୧୪ଟି ରିଲିଫ ସେଣ୍ଟର ଖୋଲା ଯାଇ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଆମ୍ବୁଲାନ୍ସ ସହ ୨ଟି ମେଡିକାଲ ଟିମ୍ ଓ ୯ଟି ଭେଟନାରୀ ଟିମ୍ ନିୟୋଜିତ ହୋଇଛନ୍ତି । ଆଜି ବନ୍ୟାଞ୍ଚଳ ଗସ୍ତ କରି କାଣୀ ନଦୀରେ ୧୫୦ ଫୁଟର ଘାଇ ଦେଖିବା ସହ ବନ୍ୟା ପୀଡିତଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ବ ମନ୍ତ୍ରୀ । ତୁରନ୍ତ ଘାଇ ମରାମତି ହେବା ସହ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବାଲେଶ୍ବରରେ ପୁଣି ବଢ଼ିଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଫଳରେ ବାଲିଆପାଳ, ବସ୍ତା ଓ ଜଳେଶ୍ଵର ବ୍ଲକର ୫୦ରୁ ଅଧିକ ଗାଁ ହୋଇଯାଇଛି ଜଳବନ୍ଦୀ । ବାଲିଆପାଳ ବ୍ଲକର ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା ପ୍ରଭୃତି ପଞ୍ଚାୟତର ୩୦ରୁ ଅଧିକ ଗାଁ ପାଣି ଘେରରେ ଥିବା ବେଳେ ବସ୍ତା ବ୍ଲକର ନାବରା, ସିଂଲା, ପୁଟୁରା, କାଦରାୟାଁ, ରଘୁନାଥପୁର, ଚୋରମାରା ପଞ୍ଚାୟତର ଅନେକ ଗାଁ ଜଳମଗ୍ନ। ସେହିପରି ଜଳେଶ୍ଵର ବ୍ଲକର ପାଇକସିଦା, ବାଇଗଣବାଡିଆ, ପଶ୍ଚିମବାଡ, ଝାରପିପଳ, କୋଟସାହି ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । ବାଲିଆପାଳ ବ୍ଲକରେ ଦୁଇଟି ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀର ଦୁଇଟି ଟିମ୍, ଏବଂ ୧୦ଟି ମୋଟର ଚାଳିତ ଡ଼ଙ୍ଗା ନିୟୋଜିତ କରାଯାଇଛି ।


ଯାଜପୁର ଭଳି ଭଦ୍ରକବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି ବୈତରଣୀ । ନଦୀରେ ତୃତୀୟ ଥର ବନ୍ୟା ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ। ହସନାବାଦ, ଅର୍ଜୁନପୁର, ପ୍ରଧାନୀ ଓ ସୋହଡା ଆଦି ପଞ୍ଚାୟତରେ ବହୁ ଗାଁ ପ୍ରାୟ 3 ଦିନ ହେଲା ପାଣି ଘେରରେ ଅଛନ୍ତି । ଗୌରାଙ୍ଗପୁର ଓ ମଲ୍ଲିମାହାରା ଏସକେପ୍ ଦେଇ ବନ୍ୟା ଜଳ ଚାଷ ଜମି ସହ ବିଭିନ୍ନ ଗାଁ ଗଣ୍ଡାରେ ପଶିଥିଲା। ଗତକାଲି ଗାଁରେ 5 ଫୁଟର ପାଣି ରହିଥିବାରୁ ବନ୍ଧ ଓ ପୋଲ ଉପରେ ପାଲ ଟାଣି ଗୋରୁ ଗାଈଙ୍କ ସହ ଆଶ୍ରୟ ନେଇଥିଲେ ଲୋକେ। ଧୂଷୁରୀ - ଯାଜପୁର ମୁଖ୍ୟ ରାସ୍ତାରେ ଏବେ ବି 3 ଫୁଟ ପାଣି ଚାଲୁଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି।


ଖସୁଛି ଜଳସ୍ତର ତଥାପି ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା । ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳେ ଅଛି । ବଂଶଧରା, ନାଗାବଳି ଓ କୋଲାବରେ ସାମାନ୍ୟ ଅଧିକ ବର୍ଷା ହୋଇଛି । ହୀରାକୁଦରେ 1 ଲକ୍ଷ 74 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଚାରୋଟି ଗେଟ ବନ୍ଦ ହେବାରୁ 8 ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି କାଲିଠାରୁ ସ୍ଥିତି ସ୍ୱାଭାବିକ ହେବ ।

hundreds-of-villages-surrounded-by-water-everywhere-water-and-water | Argus News