ଶିକାର ଉଦ୍ୟମ ବେଳେ ଚଢ଼ାଉ, ବନ କର୍ମଚାରୀଙ୍କୁ ଗୁଳି କରି ଖସି ଯାଉଥିବା ୪ ଶିକାରୀ ଗିରଫ

ଉଦଳା: ଜଙ୍ଗଲରେ ମାତିଛନ୍ତି ଶିକାରୀ, ଧରିବାକୁ ଗଲେ କରୁଛନ୍ତି ଗୁଳି । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜ୍ ମନଭଙ୍ଗା ବିଟ୍ ଅଞ୍ଚଳରେ ଚଢ଼ାଉ ପାଇଁ ଯାଇଥିବା ବନ ବିଭାଗ ଓ ଏସ୍ଟିଏଫ୍ ଉପରକୁ ଶିକାରୀ ଗୁଳିମାଡ଼ କରିଛନ୍ତି । ବନ ବିଭାଗ ଓ ଏସ୍ଟିଏଫ୍ ପାଲଟା ଗୁଳିମାଡ଼ କରିଥିବା ବେଳେ ଘଟଣାସ୍ଥଳରୁ ଜଣେ ଶିକାରୀ ଧରା ପଡ଼ିଥିଲା । ପରେ ଗାଁରେ ଚଢ଼ାଉ କରି ଆଉ ୩ ଜଣଙ୍କୁ ଗିରଫ କରିଛନ୍ତି ବନ କର୍ମଚାରୀ ।
ସୂଚନା ଅନୁସାରେ, ରବିବାର ରାତିରେ ମନଭଙ୍ଗା ବିଟ୍ ଅଞ୍ଚଳରେ ପାଟ୍ରୋଲିଂ ବେଳେ ବନ ବିଭାଗ ଜଙ୍ଗଲ ଭିତରେ ୬ ଜଣଙ୍କୁ ଦେଖିଥିଲେ । ୬ ଜଣ ସେଠାରେ ରୋଷେଇ କରୁଥିବା ବେଳେ ବନ ବିଭାଗକୁ ଦେଖିବା ମାତ୍ରେ ୨ ରାଉଣ୍ଡ ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିଲେ । ଜବାବରେ ଏସଟିଏଫ୍ ଓ ବନ ବିଭାଗ ପାଲଟା ଗୁଳିମାଡ଼ କରିଥିଲା ।
ଘଟଣା ସ୍ଥଳରୁ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ଅନ୍ୟ ୫ ଜଣ ଖସି ପଳାଇ ଥିଲେ। ଗିରଫ ଶିକାରୀକୁ ପଚରା ଉଚରା କରିବା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢ଼ାଉ କରି ଅନ୍ୟ ୩ ଜଣ ଶିକାରୀ ଏବଂ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକକୁ ଜବତ କରିଛି ବନ ବିଭାଗ । ଏବେ ବି ଅନ୍ୟ ୨ ଜଣ ଶିକାରୀ ଫେରାର ଅଛନ୍ତି । ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଙ୍ଖିରା, କାର୍ତ୍ତିକ ସିଂ ବାଙ୍ଖିରା ।