ବଢିଲା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ଅଡୁଆ

ଅର୍ଗସ ବ୍ୟୁରୋ: ଆଇଏଏସ୍ ବାବୁଙ୍କୁ ବଡ଼ ଝଟକା । ସାମ୍ନାକୁ ଆସିଲା ପୂର୍ବ ବିଜେଡି ସରକାରରେ ବଡ ଅଧିକାରୀଙ୍କୁ ପୋଲିସ ସୁରକ୍ଷାର ପ୍ରମାଣ। ବଢିଲା ଆଇଏଏସ୍ ତଥା ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଡୁଆ। ପିଏ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ମନୀଷଙ୍କ ଆବେଦନକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ନିମ୍ନ ଅଦାଲତରେ ମନୀଷଙ୍କ ବିରୋଧରେ ମାମଲା ଚାଲବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ସହିତ ଅନ୍ୟ ଦଫାରେ ମନୀଷଙ୍କ ବିରୋଧରେ ମାଲକାନଗିରି ନିମ୍ନ ଅଦାଲତରେ ଚାଲିବ ମାମଲା। ଡିସେମ୍ବର 27, 2019ରେ ସେତେବେଳର ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସଚିବ ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ତାଙ୍କ ମୃତଦେହ ମିଳିଥିଲା ସୀତାଗୁଡା ଡ୍ୟାମରୁ। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ଦେବ ନାରାୟଣଙ୍କ ପତ୍ନୀ ଅଭିଯୋଗ କରିଥିଲେ ମନୀଷଙ୍କ ଦୁର୍ନିତୀ ସଂପର୍କରେ ଦେବ ନାରାୟଣ ଜାଣିଯାଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି।
ତେବେ ପୋଲିସ ଓ ସରକାର ମନୀଷଙ୍କୁ ଘଣ୍ଟ ଘୋଡାଇଥିଲେ। ଆକସନ୍ ବଦଳରେ ମନୀଷଙ୍କର ହୋଇଥିଲା ପ୍ରମୋସନ୍। ଦେବ ନାରାୟଣଙ୍କ ପତ୍ନୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲ। ହତ୍ୟା ମାମଲାକୁ ଖାରଜ କରିଥିଲେ ମଧ୍ୟ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫାରେ ନିମ୍ନ ଅଦାଲତରେ କେସ୍ ଚାଲିବ ବୋଲି ଅର୍ଡର କରିଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ମନୀଷ ଅଗ୍ରୱାଲ୍। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।