କଟନୀ ଛଟନୀ ବାବଦରେ ମୁଣ୍ଡ ନଖେଳାଇବାକୁ ମନ୍ତ୍ରୀଙ୍କୁ କହିଲେ ଆଇଏଏସ ଅଫିସର

Key Points
ମିଲରଙ୍କ ପାଇଁ ଓକିଲାତି କରୁଛନ୍ତି ଆଇଏଏସ୍ ବାବୁ
ଯୋଗାଣ ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ
ଅର୍ଗସ ବ୍ୟୁରୋ: ଧାନ ଏମଏସପି ଉପରେ ୮୦୦ ଟଙ୍କା ଦେଇ ଚାଷୀଙ୍କ ଆୟ ବୃଦ୍ଧିର ବାଟ କାଢିଛନ୍ତି ବିଜେପି ସରକାର । ଏଫଏକ୍ୟୁ ମାନର ଧାନ ଉପରେ ସରକାର ବନ୍ଦ କରିଛନ୍ତି କଟନୀ ଛଟନୀ । କିନ୍ତୁ ଏବେ ବି ଅନେକ ଜାଗାରୁ ଆସୁଛି କଟନୀ ଛଟନୀର ଅଭିଯୋଗ । ଏହି ଯେମିତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବାଲିମେଦ ସେବା ସମବାୟ ସମିତିର ଦୃଶ୍ୟ । ଧାନ କିଣାରେ ଅନିୟମିତତା ଏବଂ କଟନୀ ଛାଟନୀକୁ ବିରୋଧ କରି ଅନଶନରେ ବସିଛନ୍ତି ଚାଷୀ । ୮ କେଜିରୁ ଅଧିକ ଧାନ କଟାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ତେଣୁ ଚାଷୀ ମାନେ ଏହାକୁ ବିରୋଧ କରି ସେବା ସମବାୟ ସମିତି ଆଗରେ ଧାରଣାରେ ବସିଛନ୍ତି । ତେବେ ଖବର ପାଇ ବ୍ଲକ ପ୍ରଶାସନ ଅନଶନରତ ଚାଷୀଙ୍କୁ ବୁଝାସୁଝା କରିଥିଲା । ହେଲେ ସମସ୍ୟାର ସମାଧାନ ନହେବା ଯାଏଁ ଅନଶନ ଜାରି ରହିବ ବୋଲି କହିଛନ୍ତି ଚାଷୀ ।
ତେବେ ବାସୁଦେବପରୁ ନୁହେଁ, ଏଭଳି ରାଜ୍ୟର ଅନେକ ସ୍ଥାନରୁ ଆସୁଛି କଟନୀ ଛଟନୀର ଅଭିଯୋଗ । ହେଲେ କଟନୀ ଛଟନୀକୁ କିଏ ପ୍ରଶୟ ଦେଉଛି, ତାର ଗୁମର ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ସରକାରଙ୍କ ନୀତି ହେଉଛି ଜିରୋ କଟଣୀ ଛଟଣୀ । ଅନେକ ଜିଲ୍ଲାରେ କଟଣୀ ଛଟଣୀ ହୋଇନି । କିନ୍ତୁ କିଛି ଜିଲ୍ଲାରେ ମିଲର ମାନମାନୀ କରୁଛନ୍ତି । ୬ ରୁ ୭ କିଲୋ ଯାଏଁ ଧାନ କାଟିବାକୁ ଜିଦ୍ ଧରୁଛନ୍ତି ମିଲର୍ । ମିଲର କହୁଛନ୍ତି, ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ । ଯାହାକି ଆଶ୍ଚର୍ଯ୍ୟଜନକ ।
ଏପରିକି ଜଣେ ଆଇଏଏସ ଅଫିସର ମନ୍ତ୍ରୀଙ୍କୁ କହିଲେ, କଟନୀ ଛଟନୀ ବାବଦରେ ମୁଣ୍ଡ ପୁରାନ୍ତୁନି...ଚାଷୀ ଓ ମିଲରଙ୍କ ମଧ୍ୟରେ ଛାଡ଼ି ଦିଅନ୍ତୁ... ପୂର୍ବ ସରକାର ବେଳର ମାନସିକତା ଏବେ ବି ଅଫିସରଙ୍କ ଅଛି ବୋଲି କହିଛନ୍ତି ମନ୍ତ୍ରୀ...ତେଣୁ ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି ବୋଲି କହିଛନ୍ତି ମନ୍ତ୍ରୀ । କଟନୀ ଛଟନୀ ପାଇଁ ସହଯୋଗ କଲେ, ଯେତେ ବଡ ଅଫିସର ହେଲେ ବି କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଆଉ ଯେଉଁ ମିଲର୍ କଟନୀ ଛଟନୀ ପାଇଁ ଜିଦ୍ ଧରିବେ ସେ ମିଲ୍ କୁ ବ୍ଲାକ ଲିଷ୍ଟେଡ କରାଯିବ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ମନ୍ତ୍ରୀ । ଯାହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।
📱 Get Argus News App
✨
ପୂର୍ବ ବିଜେଡି ସରକାରରେ କଟନୀ ଛଟନୀ ନୀତିରେ ପରିଣତ ହୋଇଥିଲା । ମିଲର ଓ ଅଫିସରଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଶୋଷଣର ଶିକାର ହେଉଥିଲେ ଚାଷୀ । ହେଲେ ବିଜେପି ସରକାରରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ମିଳୁଥିବା ବେଳେ କଟନୀ ଛଟନୀ ବନ୍ଦ ପାଇଁ ନୀତି ନିର୍ଦ୍ଧାରଣ ହୋଇଛି ।