ଡାକରା ଆସିଲେ ଦେଶ ପାଇଁ ପୁଣି ଧରିବେ ବନ୍ଧୁକ

Key Points
ଅର୍ଗସ୍ ଷ୍ଟୁଡିଓରେ ଦେଶର ବୀର ଯବାନ
ଲୋମହର୍ଷକ ଅନୁଭୂତି ବଖାଣିଲେ କାରଗିଲ ୱାର୍ ଭେଟେରାନ
ପାକିସ୍ତାନକୁ ପାନେ ଦେଇଥିବା ସୈନିକ କହିଲେ, ପାକିସ୍ତାନ ବିଶ୍ଵାସଘାତକ
ଏବେ ଏତେ ଶୀଘ୍ର ଯୁଦ୍ଧ ବିରତି ଘୋଷଣାକୁ ନେଇ ବ୍ୟଥିତ
କହିଲେ, ଡାକରା ଆସିଲେ ଦେଶ ପାଇଁ ପୁଣି ଧରିବେ ବନ୍ଧୁକ
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ୱାର୍ ଭେଟେରାନଙ୍କ ଅପିଲ୍
ପାକିସ୍ତାନକୁ ଦରକାର 1971 ଭଳି ଶିକ୍ଷା
ଠିକ୍ ସେମିତି ଜୋସ୍ । ଠିକ୍ ସେମିତି ଦମ୍। ଯାହା ଆଗରେ ହାର୍ ମାନିଛି ବୟସ । ଦେଶ ଉପରେ ଆଞ୍ଚ ଆସିଲେ ଟକମକ ହୋଇ ଫୁଟେ ଏମାନଙ୍କ ରକ୍ତ । କାରଣ ରକ୍ତରେ ପ୍ରବାହିତ କେବଳ ଦେଶ ଭକ୍ତିର ସ୍ରୋତ । ଦେଶ ପାଇଁ ସମର୍ପିତ ଜୀବନର ପ୍ରତି ମୁହୂର୍ତ୍ତ । ଦେଶ ଉପରେ ଆଞ୍ଚ ଆସିଲେ ହୋଇଯାଆନ୍ତି ଯୁଦ୍ଧ ପାଇଁ ପ୍ରସ୍ତୁତ । ଏଥିପାଇଁ ତ ଏମାନେ ଏକ ସ୍ବରରେ କହୁଛନ୍ତି ଡାକରା ଆସିଲେ ଦେଶ ପାଇଁ ପୁଣି ଧରିବେ ବନ୍ଧୁକ ।
ଏୟାରଫୋର୍ସ ଭେଟେରାନ ଦେବରାଜ ସ୍ବାଇଁ । କରୁଣାକର ନାଥ, ପ୍ରଦୀପ୍ତ ସ୍ବାଇଁ, ନେଭି ଭେଟେରାନ୍ ଦୀନବନ୍ଧୁ ଷଡ଼ଙ୍ଗୀ । ଏମାନଙ୍କ ସହ ଅର୍ଗସ୍ ମହାପଞ୍ଚାୟତରେ ଭାଗ ନେଇଥିବା ଏ ସମସ୍ତେ ଭାରତୀୟ ସେନାରେ ସେବା ଦେଇଥିବା ଜଣେ ଜଣେ ବୀର ଯବାନ । ଅଧିକାଂଶ କାରଗିଲ ୱାର ଭେଟେରାନ । ଆଜି ବି କାଲିର ଘଟଣା ପରି ମାନସ ପଟ୍ଟରେ ରହିଛି 25 ବର୍ଷ ତଳର ପାକିସ୍ତାନର ସେ ବିଶ୍ବାସ ଘାତକତା, ଭାରତୀୟ ସେନାର ମୁହଁତୋଡ଼ ଜବାବ ଓ ସେଦିନର ଯୁଦ୍ଧ ଅନୁଭୂତି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛି ଭାରତ। ଦିନ ଦୁଇଟା ଭିତରେ ଆଣ୍ଠେଇ ପଡ଼ିଛି ଆତଙ୍କୀସ୍ତାନ। ଅସ୍ତ୍ରବିରତି ପାଇଁ କରିଛି ବିକଳ ଆବେଦନ। ଭାରତ ସରକାର ବି ହୋଇଛନ୍ତି ସହମତ । କିନ୍ତୁ ଯୁଦ୍ଧ ବିରତି ଘୋଷଣା ୱାର୍ ଭେଟେରାନଙ୍କୁ କରିଛି ବ୍ୟଥିତ । ଏମାନଙ୍କ ମତରେ ପାକିସ୍ତାନ ବିଶ୍ବାସଘାତକ। ଆତଙ୍କୀସ୍ତାନକୁ ଏତେ ଶୀଘ୍ର ବିଶ୍ବାସ କରିବା ଉଚିତ ନୁହେଁ। 1971 ମସିହା ଯୁଦ୍ଧ ଭଳି ପାକିସ୍ତାନକୁ ଭଲ କରି ପାନେ ଶିଖାଇବା ଉଚିତ। ଏଥିପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଅପିଲ୍, ପାକିସ୍ତାନ ସହ ଯୁଦ୍ଧ ପାଇଁ ଡାକରା ଆସିଲେ ଦେଶ ପାଇଁ ପୁଣି ବନ୍ଧୁକ ଧରିବାକୁ ଏମାନେ ପ୍ରସ୍ତୁତ। ଅର୍ଗସ୍ ଷ୍ଟୁଡିଓରେ ଦେଶର ବୀର ଯବାନଙ୍କୁ କରାଯାଇଛି ଭବ୍ୟ ସ୍ବାଗତ । ଦିଆଯାଇଛି ସମ୍ବର୍ଦ୍ଧନା।