ମୁଖ୍ୟମନ୍ତ୍ରୀଙ୍କ କଡ଼ା ତାଗିଦ୍: ଏତଲା ନ ରଖିଲେ IIC ସସ୍ପେଣ୍ଡ୍

ଭୁବନେଶ୍ଵର: ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଅ । ଏତଲା ରଖିବା ସହ ଘଟଣା ସମ୍ପର୍କରେ ଆଲୋଚନା କର । ନଚେତ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ଡିଜିଙ୍କ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ରାଜ୍ୟର ୧୪ଟି ଥାନାର ନୂତନ କୋଠା ଶୁଭାରମ୍ଭ ବେଳେ ମଞ୍ଚରୁ ଏ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ଵର ନୟାପଲ୍ଲୀ ଥାନାର ନୂତନ କୋଠା ଉନ୍ମୋଚନରେ ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଥିଲେ ।
ପୂର୍ବରୁ ବିଧାୟକ ଥିବା ବେଳେ ତାଙ୍କୁ କେମିତି ହଇରାଣ କରାଯାଇଥିଲା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପୋଲିସକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଲିସ ବ୍ୟବହାରରେ ପରିବର୍ତ୍ତନ କରୁ । ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଦେଇ ନ୍ୟାୟ ଦିଅ । ଯେଉଁ ଥାନା ଅଧିକାରୀ ଲୋକଙ୍କ କଥା ଶୁଣୁ ନାହାନ୍ତି କାର୍ଯ୍ୟାନୁଷ୍ଠାନ ନିଅ ।
📱 Get Argus News App
✨ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ବିଧାୟକ ଥିବା ବେଳେ ୨୦୧୯ରେ ମୋତେ କେନ୍ଦୁଝର ଆଇଆଇସି ଦୁର୍ବ୍ୟବହାର କରିଥିଲେ । ଏପରିକି ଗେଟ୍ ଆଉଟ୍ କହିଥିଲେ । ତେଣୁ ପୋଲିସ ତାର ବ୍ୟବହାରରେ ପରିବର୍ତ୍ତନ ଆଣୁ । ସାଧାରଣ ଲୋକଙ୍କୁ ସେବା ଦେବା ପୋଲିସର କାମ । କାହାର ଚାପରେ ପଡ଼ି ପୋଲିସ ବ୍ୟବହାର କରିବା ଅନୁଚିତ୍ । ଥାନାକୁ ଆସିଲେ ଚା', ପାଣି ସମ୍ମାନ ଦେଇ ଅଭିଯୋଗ ଶୁଣିବା ଦରକାର । ମୁଁ ଭକ୍ତଭୋଗୀ ହୋଇଛି, ତେଣୁ ଆଗକୁ ସେମିତି ଆଉ ହେବନି । ଆଗକୁ ପୋଲିସ ବାହିନୀ ଶକ୍ତିଶାଳୀ ହେବ । ଯେଉଁ ଥାନା ଏତଲା ନେବନି, ସେଠି IIC ନିଲମ୍ବିତ ହେବେ ।
ଭରତପୁର ଘଟଣା ଭଳି ଲଜ୍ଜାଜନକ ଘଟଣାର ପୁନରାବୃତ୍ତି ନ ହେବା ଦିଗରେ ପୋଲିସ ବିଭାଗକୁ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଡିଜିପି ୱାଇ ବି ଖୁରାନିଆ ମଧ୍ୟ ଜିରୋ ଏଫଆଇଆର ଦିଗରେ ଫୋକସ କରିଛନ୍ତି । ତଦନ୍ତ ପ୍ରକ୍ରିୟାକୁ ଅଧିକ ସରଳ ଓ ସୁଧାର କରିବା ପାଇଁ ଥାନା ଅଧିକାରୀଙ୍କୁ ସ୍କର୍ପିଓ ଗାଡି ଖୁବଶୀଘ୍ର ମିଳିବ । ପ୍ରତି ଥାନାକୁ ୬ଟି ଲେଖାଏଁ ବାଇକ୍ ମଧ୍ୟ ଦିଆଯିବ ।