ଠିକ୍ ଟାଇମ୍ରେ କାମ ନସରିଲେ ଡିଲ୍ କ୍ୟାନ୍ସଲ, ସଂସ୍ଥା ହେବ ବ୍ଲାକ୍ ଲିଷ୍ଟ

ଏଣିକି ଆଉ ଚଳିବନି ଠିକାଦାରଙ୍କ ମନମାନି । ମେଗା ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉଦ୍ବେଗ। ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ପାନୀୟ ଜଳ କାମରେ ଠିକା କମ୍ପାନୀ ବିଳମ୍ବ କଲେ ହେବ FIR। ମେଗା ପାନୀୟ ଜଳ ପ୍ରକଳ୍ପ ଧିମା ହେବାର କାରଣ ଦର୍ଶାଇ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି। ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା। ଏନେଇ ସରକାର ଫାଇନ କରିଛନ୍ତି । ଏବେ ୭ ଦିନ ଭିତରେ କମ୍ପାନୀ ମୁଖ୍ୟଙ୍କୁ ଡକା ଯାଇଛି । ଠିକ ସମୟରେ କାମ ନ କଲେ କମ୍ପାନୀକୁ ବ୍ଲାକ ଲିଷ୍ଟ କରାଯିବ ।
ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପ ଗୁଡିକର ସ୍ଥିତିକୁ ନେଇ ଆଜି ସରଗରମ ରହିଥିଲା ବିଧାନସଭା ପ୍ରଶ୍ନକାଳ । ପ୍ରକଳ୍ପ ଧିମା ଗତିରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା । ଆଉ ଉତ୍ତରରେ ପୂର୍ବ ସରକାରର ପୋଲ ଖୋଲିବା ସହ ପ୍ରକଳ୍ପ ବିଳମ୍ବ ହେବାର କାରଣ କହିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ।
ଏଣିକି ଚୁକ୍ତି ସ୍ଵାକ୍ଷର କରିଥିବା କମ୍ପାନୀ କାମ ବିଳମ୍ବ କଲେ ବ୍ଲାକ ଲିଷ୍ଟ କରି ନୂଆ କମ୍ପାନୀକୁ ଦିଆଯିବ କାମ । ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ କମ୍ପାନୀ ବିରୋଧରେ FIR କରାଯିବା ସହ ୨୦୨୬ ସୁଦ୍ଧା ସମସ୍ତ ପାନୀୟ ଜଳ ପ୍ରକଳ୍ପ କାମ ସରିବ କହିଛନ୍ତି ମନ୍ତ୍ରୀ ।
ଏବେ ଗ୍ରାଉଣ୍ଡ ଜିରୋରେ ପାଇପ ଅଛି ପାଣି ନାହିଁ । ଖରା ଯେତିକି ବଢୁଛି ପିଇବା ପାଣି ଲୋକଙ୍କୁ ସେତିକି କଲ ବଲ କରୁଛି । ଏମିତି କିଛି ପରିସ୍ଥିତି ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ହେଡ଼ କ୍ଵାଟରରେ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଲୋକଙ୍କ ଘରକୁ ପିଇବା ପାଣି ପହଂଚାଇବା ଯୋଜନା କରାଯାଇଥିଲେ ବି ପାଇପରେ ପାଣି ଆସୁନି । କୋରାପୁଟରେ ବି ସମାନ ଅବସ୍ଥା । ପଟାଙ୍ଗୀ ଗାଙ୍ଗରାଜପୁରରେ ବସୁଧା ଯୋଜନା ଫେଲ ମରିବା ଯୋଗୁଁ ପିଇବା ପାଣି ପାଇଁ ଡହଳ ବିକଳ ସାଧାରଣ ଲୋକେ ।
ପୂର୍ବରୁ ବସୁଧା ଯୋଜନାରେ ଲୋକଙ୍କୁ ପିଇବା ପାଣି ଦେବା ପାଇଁ ଯୋଜନା କରିଥିଲେ ତତ୍କାଳୀନ ବିଜେଡି ସରକାର । ଅଧିକାଂଶ ସ୍ଥାନରେ ଏହାର ବିକଳ ଚିତ୍ର ସାମ୍ନାକୁ ଆସିଛି । ହର ଘର ଜଲ ଯୋଜନାରେ ଲୋକେ କେବେ ପାଣି ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।