ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ। ଏଥିପାଇଁ ଲଞ୍ଚ ହୋଇଛି ୱେବସାଇଟ୍ । ଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୱେବସାଇଟ୍ ଲଞ୍ଚ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ବର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ । ଏଥିରେ ୭ ହଜାର ଅତିଥି ଯୋଗ ଦେବେ। ପ୍ରବାସୀ ଭାରତୀୟ ଦିବସର ୧୮ତମ ସଂସ୍କରଣରୁ ଓଡ଼ିଶାକୁ ଅନେକ ଫାଇଦା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 18 ତମ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶାକୁ ସହଯୋଗୀ ରାଜ୍ୟ ଭାବେ ଚୟନ କରି ଏପରି ଏକ ଉତ୍ସବକୁ ହୋଷ୍ଟ କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ସବୁ ପ୍ରକାର ଉଦ୍ୟମ କରିବେ। ସୁରକ୍ଷାରୁ ନେଇ ପ୍ରୋଟୋକଲ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ସମସ୍ତ ବ୍ୟବସ୍ଥା ଓଡ଼ିଶା ସୁଚାରୁ ରୂପେ କରିବ। ଏଥିରେ ୟୋଗଦେବାକୁ ଥିବା 7000 ଅତିଥିଙ୍କୁ ଆତିଥ୍ୟ ପ୍ରଦାନ କରିବାକୁ ଓଡ଼ିଶା ପ୍ରସ୍ତୁତ। ଏହି ସମାରୋହରେ ଓଡ଼ିଆର ଉଚ୍ଚକୋଟିର କଳା ସଂସ୍କୃତିର ପ୍ରଦର୍ଶନ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ, ରାଜାରାଣୀ ଏବଂ ମୁକ୍ତେଶ୍ଵର ନୃତ୍ୟୋତ୍ସବ ସହ ପୁଷ୍ପ ପ୍ରଦର୍ଶନୀର ଆୟୋଜନ କରାଯିବ। ସେପଟେ 18 ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ଆଜିଠାରୁ ୱେବସାଇଟରେ ପଞ୍ଜିକରଣ ଆରମ୍ଭ ହେଲା ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଏହି ଉତ୍ସବରେ ରାମାୟଣର ପ୍ରଦର୍ଶନୀ କରାଯିବ। ଓଡ଼ିଶାକୁ ଆସିବାକୁ ସମସ୍ତଙ୍କୁ ସ୍ବାଗତ କରିଛନ୍ତି ବିଦେଶ ମନ୍ତ୍ରୀ।