ବାରବାଟୀ ଷ୍ଟାଡିୟମରେ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼

Key Points
ବାରବାଟୀରେ ଟିକେଟ ପାଇଁ ମହାଭାରତ
ଠେଲାପେଲା...ଧସ୍ତାଧସ୍ତି...ଦଳାଚକଟା
କେହି କେହି ଅଣନିଶ୍ବାସୀ ବି ହୋଇପଡୁଛନ୍ତି
ପୋଲିସ ପ୍ରଶାସନର ଅପାରଗତାକୁ ଦାୟୀ କଲେ ଦର୍ଶକ
ବାରବାଟୀ ଷ୍ଟାଡିୟମରେ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼। କାଉଣ୍ଟର ଆଗରେ ଠେଲାପେଲା, ଦଳାଚକଟା ସ୍ଥିତି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ୍। ଗତକାଲି ରାତିରୁ ଧାଡ଼ି ଲଗାଇଥିଲେ ହଜାର ହଜାର ଲୋକ। 9 ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ। ଟିକେଟ୍ ନପାଇ ହନ୍ତସନ୍ତ ଲୋକେ । ପ୍ରବଳ ଖରା ଯୋଗୁଁ କିଛି ଲୋକ ଅସୁସ୍ଥ । କଟକ ବାରବାଟୀରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଠେଲାପେଲା ଧସ୍ତାଧସ୍ତିରେ ତଳେ ପଡି ଅଚେତ୍ ହେଉଛନ୍ତି ଜଣଙ୍କ ପରେ ଜଣେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାକେଦମ୍ ହେଲାଣି । କେବଳ କ୍ରିଡାପ୍ରେମୀ ଟିକେଟ୍ କାଉଣ୍ଟରରେ ଛିଡା ହୋଇଛନ୍ତି ତା ନୁହେଁ । ବୟସ୍କ ବ୍ୟକ୍ତିବି ଧାଡିରେ ଛିଡା ହୋଇ ଟିକେଟ୍ ପାଇଁ ଅପେକ୍ଷ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭିଡ ବଢିଛି ଏବଂ ସ୍ଥିତି ଅଣାୟତ ହୋଇଛି । ଘଟଣା ସ୍ଥଳରେ କଟକ ଡିସିପି ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ।
ଫେବ୍ରୁଆରୀ 9 ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏକଦିବସୀୟ ମ୍ୟାଚ ପାଇଁ ଟିକେଟ ଖଣ୍ଡେ ପାଇବାକୁ ଏ ସଂଘର୍ଷ ଆଜି ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ଗତକାଲି ରାତିରୁ ଲୋକେ ଲାଇନ ଲଗାଇବା ପାଇଁ ଏକାଠି ହୋଇଥିଲେ । ଆଉ ଆଜି ସକାଳୁ ଟିକେଟ କାଉଣ୍ଟର ପାଖରେ ଗହଳି ବଢିବାକୁ ଲାଗିଥିଲା । ଠେଲାପେଲା...ଧସ୍ତାଧସ୍ତି...ଦଳାଚକଟା । ଟିକେଟ ଖଣ୍ଡେ ପାଇବା ପାଇଁ କିଏ ବ୍ୟାରିକେଡ ଭିତରେ ଛିଡା ହୋଇଛି ତ ଆଉ କିଏ ବ୍ୟାରିକେଡ ଉପରେ ଛିଡା ହୋଇଛି । କେହି କେହି ଲୁହା ବାରିକେଡ ଉପରେ ଚଢିଯାଇଥିଲେ । କିଛି କିଛି ସ୍ଥାନରେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ ମଧ୍ୟ କରିବାକୁ ପଡିଥିଲା ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଲୋକେ କେଉଁଠୁ ଲାଇନରେ ଛିଡା ହେବେ । କେଉଁପଟେ ଲୋକେ ବାହାରିବେ ଏନେଇ ପୋଲିସ ବ୍ୟବସ୍ଥା କରିନଥିବା ଲୋକେ ଅଭିଯୋଗ କରିଛନ୍ତି
📱 Get Argus News App
✨ଗରମ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଥିବା ଲୋକଙ୍କ ଉପରେ ପାଣି ବର୍ଷା କରୁଥିଲା ଦମକଳ ବାହିନୀ। ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଲାଇନ ହୋଇଥିବା ବେଳେ ମହିଳାଙ୍କ ପାଇଁ ବି ସ୍ବତନ୍ତ୍ର ଲାଇନ। ପୋଲିସ ସରୁକ୍ଷା ବ୍ୟବସ୍ଥା ଭିତରେ ମଧ୍ୟ ଲୋକେ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ଧସ୍ତାଧସ୍ତି, ଦଳାଚକଟାରେ କେହି କେହି ଚେତାଶୂନ୍ୟ ହେବାର ମଧ୍ୟ ଦେଖିବାକୁ ମିଳୁଥିଲା ।
୪ ଟି କାଉଣ୍ଟରରେ ସମୁଦାୟ ୧୨ ହଜାର ଟିକେଟ ବିକ୍ରୀ କରିବା ପାଇଁ ଯୋଜନା କରିଛି ଓଡ଼ିଶା କ୍ରିକେଟ ସଂଘ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବିକ୍ରି ହେବ ଟିକେଟ। ବଡ଼ ପ୍ରଶ୍ନ ହେଲା, ଏହି ପୁରୁଷ ଓ ମହିଳାମାନେ କଣ ପ୍ରକୃତରେ କ୍ରିକେଟ ଦେଖିବା ପାଇଁ ଲାଇନ ଲଗାଇଛନ୍ତି ? ନା ଏମାନେ ଟିକେଟ ନେଇ କଳା ବଜାରିଙ୍କୁ ଯୋଗେଇବେ !