ସବୁ ସୀମା ପାର କଲେଣି ବିଜେଡି ନେତା, ଅଧ୍ୟକ୍ଷଙ୍କୁ ଦେଖାଉଛନ୍ତି ନାଲିଆଖି

Key Points
- ସବୁ ସୀମା ପାର କରିଦେଲେଣି ବିଜେଡି କାଉନସିଲର
- ଏନଏନ ଅଫିସ୍ରେ କର୍ମଚାରୀଙ୍କୁ ଦେଉଛନ୍ତି ଧମକ
- ମନଇଚ୍ଛା ସରକାରୀ କାଗଜପତ୍ର କରୁଛନ୍ତି ଯାଂଚ୍
ଅର୍ଗସ ବ୍ୟୁରୋ: ୨୪ ବର୍ଷର ମନମାନି ପାଇଁ ବିଦା ହେଲା ବିଜେଡି । ହେଲେ ଏବେ ବି କର୍ମୀ ଓ ନେତାଙ୍କର ଭାଉ କମୁନି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା କୋଦଳ ଏନଏସିରେ । ବିଜେଡିର କାଉନସିଲର ଏନଏସି କାର୍ଯ୍ୟାଳୟରେ ଏମିତି ବ୍ୟବହାର କରୁଛନ୍ତି ଯେ ସତେ ଯେମିତି ସେ କଲେକ୍ଟର । ଏ କଥା ଆମେ କହୁନାହୁଁ ବରଂ ଏନେଇ ଅଭିଯୋଗ କରିଛନ୍ତି ଖୋଦ୍ ଏନଏସି ଅଧ୍ୟକ୍ଷ । ଯାହାକୁ ନେଇ ପୁଣି ଥରେ ଗୁମର ଖୋଲିଛି ବିଜେଡି ନେତାଙ୍କର ।
ଏନଏସି କାର୍ଯ୍ୟାଳୟରେ ଚରମ ବିଶୃଙ୍ଖଲା ସୃଷ୍ଟି କରୁଛନ୍ତି ବିଜେଡି କାଉନସିଲର । ଖାଲି ବିଶୃଙ୍ଖଳା କରୁଛନ୍ତି ତାହା ନୁହେଁ ବରଂ କଣ କାମ ହେଉଛି ? କେତେ ବାଟ କାମ ହେଉଛି ସେନେଇ ବିନା କୌଣସି ସରକାରୀ ନିର୍ଦ୍ଦେଶରେ ଯାଂଚ ବି କରୁଛନ୍ତି । ଯାହାକୁ ନେଇ ଏବେ ପ୍ରବଳ ବିରୋଧ ଦେଖିବାକୁ ମିଳିଛି । ସୂଚନା ଅନୁସାରେ,ଗଂଜାମ କୋଦଳା ଏନଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡର କାଉନସିଲର ତଥା ବିଜେଡି ନେତା ଭଗବାନ ପାଢ଼ୀ ବିଭିନ୍ନ ସମୟରେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ସରକାରୀ କର୍ମଚାରୀଙ୍କଙ୍କୁ ଧମକ ଦେବା ସହିତ କୌଣସି ସରକାରୀ ନିର୍ଦ୍ଦେଶ ନଥିବା ସତ୍ତ୍ଵେ ସରକାରୀ ନଥିପତ୍ର ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ହଇରାଣ କରୁଛନ୍ତି । କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏନେଇ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି ।
ନୂଆ ସରକାର ଆସିବା ପରେ ଲୋକଙ୍କର ବିକାଶକୁ ଫୋକସ କରାଯାଉଛି । ଏମିତିକି ନୂଆ ନୂଆ ଯୋଜନା, ପୂର୍ବରୁ ବାକିଥିବା ପ୍ରକଳ୍ପ କାମ କେମିତି ତ୍ଵରାନ୍ଵିତ ହେବ ସେନେଇ ଗୁରୁତ୍ଵ ଦିଆଯାଉଛି । ହେଲେ ବିଜେଡି କାଉନସିଲର ଯେଉଁପରି ଭାବରେ ଆକ୍ରୋଶମୂଳକ ଭାବରେ ଅଯଥା ହସ୍ତକ୍ଷେପ କରୁଛନ୍ତି ସେଇଥି ଲାଗି କାମରେ ବି ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଏତିକିରେ ସରିନି ବରଂ ଏହାସହ କୌଣସି ତଥ୍ୟ ନଥାଇ ବି ସଂପୃକ୍ତ କାଉନସିଲର ସାମାଜିକ ଗଣମାଧ୍ୟମରେ ଅଧକ୍ଷଙ୍କ ସହିତ ଅଫିସ ଅଧିକାରୀଙ୍କ ନାମକୁ ଯୋଡି ମାନହାନି ହେଲା ଭଳି ଶବ୍ଦ ବ୍ୟବହାର କରି ବ୍ୟକ୍ତିଗତ ସ୍ତରରେ ଚରିତ୍ର ସଂହାର କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ଖୋଦ ଅଧ୍ୟକ୍ଷ । ଏହାସହ ଏମିତି କାମରୁ କାଉନସିଲର ନଓହିଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ଅଧ୍ୟକ୍ଷ ।
📱 Get Argus News App
✨ଅନେକ ସମୟରେ ଦେଖାଯାଉଛି କି, ବିଜେଡିର ନେତା ଓ କର୍ମୀ କ୍ଷମତା ଲୋଭରେ ଦାଦାଗିରି କରୁଛନ୍ତି । ହେଲେ ଏବେ କୋଦଳା ଏନଏସିରେ କାଉନସିଲର ଯେଉଁପରି ଭାବରେ କାମ କରୁଛନ୍ତି ତାହାକୁ ନେଇ ନବୀନଙ୍କ ଉପରେ ବି ପ୍ରଶ୍ନ ଉଠିଲାଣି ।