ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

Key Points
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଖୁବ୍ ଧୁମଧାମ ସହ ପାଳନ ହେଉଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା
ସକାଳ ୪ଟା ୩୦ମିନିଟ ରେ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଅଣାଯାଇଥିଲା
ଦିଅଁଙ୍କୁ ପ୍ରଥମେ ପଇଡ ଜଳ,ଗଙ୍ଗା ଜଳ ସହ ୧୦୮ ଗରା ଲେଖାଏଁ ସୁବାସିତ ଜଳରେ ସ୍ନାନ କରାଯାଇଛି
ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୁର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ର ସହ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ କହିବାକୁ ଗଲେ ଏହି ଦିନକୁ ମହାପ୍ରଭୁ କାଳିଆ ସାନ୍ତଙ୍କ ଜନ୍ମ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଇଥାଏ । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଖୁବ୍ ଧୁମଧାମ୍ ଓ ଆଡ଼ମ୍ବରର ସହ ପାଳନ ହେଉଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଭକ୍ତ ତ ଭକ୍ତ, ସ୍ବର୍ଗରୁ ଦେବତା ମାନେ ମଧ୍ୟ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଦର୍ଶନ କରିବା ପାଇଁ ବ୍ୟାକୁଳିତ ଥାନ୍ତି ବୋଲି କୁହାଯାଏ। ଏହି ଅପୂର୍ବ ଦୃଶ୍ୟ ହେଉଛି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ବିଜେଙ୍କ ସ୍ନାନ ମଣ୍ଡପର ଦୃଶ୍ୟ। ଆଜି ମହାପ୍ରଭୁଙ୍କ ଅଲୌକିକ ସ୍ନାନଯାତ୍ରା ମହାସମାରୋହରେ ପାଳିତ ହେଉଛି । ଚଳିତ ବର୍ଷ ଏହି ଅପୂର୍ବ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସକାଳ ୪ଟା ୩୦ମିନିଟ ରେ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପ ତଥା ଜନ୍ମବେଦୀକୁ ଅଣାଯାଇଥିଲା । ପ୍ରତି ଦିଅଁଙ୍କୁ ପ୍ରଥମେ ପଇଡ ଜଳ,ଗଙ୍ଗା ଜଳ ସହ ୧୦୮ ଗରା ଲେଖାଏଁ ସୁବାସିତ ଜଳରେ ସ୍ନାନ କରାଯାଇଛି।
ଏହାପରେ ଚନ୍ଦନ ଲାଗି ହେବା ପରେ ସକାଳ ଧୁପ ଅର୍ପଣ କରିଥିଲେ ପୁଜକ ଓ ସେବକ । ମହାପ୍ରଭୁଙ୍କର ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନକରି କୋଟି ପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଥିବା ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ୧୫୭୫ ମସିହାରେ ଭଞ୍ଜବଂଶର ଦାୟଦ ବୈଦ୍ୟନାଥ ଭଞ୍ଜଦେଓଙ୍କ ଦ୍ବାରା ନିର୍ମିତ ଏହି ମନ୍ଦିରରେ କାହିଁ କେଉଁ ଅମଳରୁ ଚାଲିଆସୁଅଛି ଏହି ସ୍ନାନ ପରମ୍ପରା । ପୂର୍ବ ପରମ୍ପରା ଓ ରୀତିନୀତି ଅନୁସାରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜିଉଙ୍କ ଆଜି ସ୍ନାନ ପର୍ବ ଓ ଦେବନୀତି ସୁରୁଖୁରୁରେ ପାଳନ ସରିଥିବା ନେଇ ମନ୍ଦିର ପୂଜକ କାମେଶ୍ବର ତ୍ରିପାଠୀ ସୂଚନା ଦେଇଛନ୍ତି।
📱 Get Argus News App
✨ତେବେ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତର ବିଭାଗ ପକ୍ଷରୁ ସବୁପ୍ରକାରର ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ରହିଛି। ଶ୍ରୀକ୍ଷେତ୍ର ପୁରୀ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଚଳିତ ବର୍ଷ ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ରଥ ଯାତ୍ରାର ଆଗମନକୁ ନେଇ ମଧ୍ୟ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଛି।