ରାଜ୍ୟରେ ଜାନୁଆରୀରୁ କଲବଲ କଲାଣି ଖରା

ଅର୍ଗସ ବ୍ୟୁରୋ: ରାଜ୍ୟରେ ଜାନୁଆରୀରୁ କଲବଲ କଲାଣି ଖରା । ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ । ଉପକୂଳରୁ ଆଭ୍ୟନ୍ତର, ସବୁଠି ଆରମ୍ଭ ହୋଇଛି ଗରମ। ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି । ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପଟେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି ରାଜ୍ୟରେ ଯାହା ପ୍ରଭାବରେ ଉତ୍ତରଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନକୁହୁଡି ଦେଖିବାକୁ ମିଳିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତାପମାତ୍ରା ବୃଦ୍ଧି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ବିଶେଷ କରି ଅନୁଗୁଳ,ଢେଙ୍କାନାଳ, ମୟୂରଭଞ୍ଜ,କନ୍ଧମାଳ, କଳାହାଣ୍ଡି, କେଉଁଝର, ଦେଓଗଡ଼,ସୁନ୍ଦରଗଡ଼,କୋରାପୁଟ ରେ ଘନ କୁହୁଡି ନେଇ କିଛି କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ପାହାଡିଆ ଅଞ୍ଚଳ ଅର୍ଥାତ୍ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ବରରେ ୧୯.୫ ଡିଗ୍ରୀ, କଟକରେ ୧୮.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।