ବଜ୍ରପାତ ରୋକିବାକୁ ୧୯ ଲକ୍ଷ ତାଳଗଛ ରୋପଣ, ମୟୂରଭଞ୍ଜ ଓ ବାଲେଶ୍ଵରରେ ଯାଉଛି ଅଧିକ ଜୀବନ

ଭୁବନେଶ୍ଵର: ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସହୁଥିବା ଓଡ଼ିଶାରେ ବଜ୍ରପାତ ଜୀବନ ନେଉଛି । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ । ୨୦୨୦ରୁ ୨୦୨୫ ମସିହା ୫ ବର୍ଷ ମଧ୍ୟରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବଜ୍ରପାତରେ । ବିଗତ ୫ ବର୍ଷରେ ମୟୂରଭଞ୍ଜରେ ସର୍ବାଧିକ ୧୩୪ ଜଣଙ୍କ ମୃତ୍ୟୁ ବଜ୍ରପାତରେ ହୋଇଛି ।
ସେହିଭଳି ବାଲେଶ୍ଵରରେ ୧୧୦ ଜଣ, ଗଞ୍ଜାମରେ ୧୦୪ ଜଣ, କେନ୍ଦୁଝରରେ ୧୦୦ ଜଣ, କଟକରେ ୭୦ ଜଣ, କୋରାପୁଟରେ ୬୦ ଜଣ, ଢେଙ୍କାନାଳରେ ୫୮ ଜଣ, ନବରଙ୍ଗପୁରରେ ୫୬ ଜଣଙ୍କ ଜୀବନ ନେଇଛି ବଜ୍ରପାତ । ଦେବଗଡ଼ରେ ବଜ୍ରାଘାତରେ ସର୍ବନିମ୍ନ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।
ବଜ୍ରପାତରୁ ସୁରକ୍ଷା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ୨୦୨୩-୨୪ ଆର୍ଥିକ ବର୍ଷରେ ଯୋଜନା କରି ୨୦୨୪-୨୫ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ କରିଥିଲା । ୨ ବର୍ଷ ୨୦୨୪-୨୫ (ବୃକ୍ଷରୋପଣ) ଓ ୨୦୨୫-୨୬ (ରକ୍ଷାଣବେକ୍ଷଣ) ନିମନ୍ତେ ୭.୫୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା ।
📱 Get Argus News App
✨
ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDFM)ରୁ ବଜ୍ରପାତ ରୋକିବା ନିମନ୍ତେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ରାଜ୍ୟର ବିଜ୍ଞାପିତ ଜଙ୍ଗଲ ଓ ବ୍ଲକ ସୀମା ମଧ୍ୟରେ ୨୩ ଲକ୍ଷ ତାଳଗଛ ଲଗାଇବା ପାଇଁ ୭,୫୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏବେ ସୁଦ୍ଧା ୫୧ ଖଣ୍ଡ ବନଖଣ୍ଡରେ ମୋଟ ୧୯ ଲକ୍ଷ ତାଳ ବୃକ୍ଷ ଚାରା ରୋପଣ କରାଯାଇଛି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ଵ ଓ ବିପର୍ଯ୍ୟଯ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।