ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ

Key Points
ନାଇଟ୍ ସିଫ୍ଟ ପାଇଁ ମହିଳା ଦେବେ ସହମତି ପତ୍ର
ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ
ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ଯ୍ୟ କରିପାରିବେ । ରାତିରେ ମହିଳାମାନେ କାର୍ଯ୍ୟ କରିବାକୁ ଚାହିଁଲେ ସେମାନଙ୍କର ସହମତି ଦେବାକୁ ପଡିବ । ମହିଳାମାନେ ଯେଉଁଠାରେ କାମ କରିବାକୁ ଚାହିଁବେ ସେଠାରେ ଅତି କମ୍ରେ ୩ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବେ ଏବଂ କାର୍ଯ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ରହୁଥିବେ । ଦୀର୍ଘଦିନ ଘରୋଇ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାର୍ଯ୍ୟ କରିବା ନେଇ ଥିବା ସରକାରୀ ବାଧ୍ୟବାଧକତାକୁ ଏବେ କୋହଳ କରାଯାଇଛି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାତିରେ ମହିଳା କର୍ମଚାରୀଙ୍କୁ ତାଙ୍କ ଘରୁ ଆଣିବା କିମ୍ବା ଛାଡ଼ିବା ପାଇଁ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ଥିବା ଗାଡ଼ି ବ୍ୟବହାର ହେବ, ନଚେତ୍ କାର୍ଯ୍ୟକ୍ଷେତ୍ର ନିକଟରେ ତାଙ୍କ ପାଇଁ ରହିବାର ସ୍ବତନ୍ତ୍ର ବନ୍ଦୋବସ୍ତ କରାଯିବା ଆବଶ୍ୟକ। ରାତିରେ ଯେଉଁ ଗାଡ଼ି ମହିଳା କର୍ମଚାରୀଙ୍କୁ ନେବା ଆଣିବା କରିବ ସମ୍ପୃକ୍ତ ଯାନ ଚାଳକଙ୍କର ବ୍ୟକ୍ତିଗତ ତଥ୍ୟ ପୋଲିସ୍ ଯାଞ୍ଚ କରାଯିବ । ଘରୋଇ ପ୍ରତିଷ୍ଠାନରେ ମହିଳା କର୍ମଚାରୀ ନିଯୁକ୍ତ ହୋଇଛନ୍ତି, ସେଠାରେ ଶୌଚାଳୟ, ପାନୀୟ ଜଳ ସୁବିଧା ସହିତ ଯଥେଷ୍ଟ ପରିମାଣର ଆଲୋକ ସୁବିଧା ସାଙ୍ଗକୁ ସମ୍ପୂର୍ଣ୍ଣ ପରିସରଟି ସିସିଟିଭି ନିୟନ୍ତ୍ରଣ ରେ ରହିବା ଆବଶ୍ୟକ । ସେହିପରି ମହିଳା କର୍ମଚାରୀଙ୍କ ଡ୍ୟୁଟି ସମୟ ଯେପରି ଲଗାତର ଭାବେ ନ ହୁଏ, ଦିନ ଓ ରାତି କାର୍ଯ୍ୟ ମଧ୍ୟରେ ଅତି କମ୍ରେ ୮ଘଣ୍ଟା ବ୍ୟବଧାନ ରହିବା ଆବଶ୍ୟକ।