ପାଲଲହଡାରେ ତୀବ୍ର ହେଉଛି ବିଜେଡି ବନାମ ବିଜେଡି କଳି

ଝାରସୁଗୁଡା: ପାଲଲହଡାରେ ତୀବ୍ର ହେଉଛି ବିଜେଡି ବନାମ ବିଜେଡି କଳି । ବିଧାୟକ ମୁକେଶ ପାଲଙ୍କ ବିରୋଧରେ ଅବନୀକାନ୍ତଙ୍କ ସମର୍ଥକଙ୍କ ମେଳି । ବନ୍ଧୁ ମିଳନ ନାଁରେ ମୁକେଶଙ୍କୁ ହଟାଇବାକୁ ବିଜେଡି ନେତାଙ୍କ ଆହ୍ବାନ୍ । ବିଜେଡି- ବିଜେଡି କଳିରେ ବିରୋଧୀ ପକ୍ଷ ହେବେ କି ଲାଭବାନ୍ ? ସବୁବେଳେ ବିବାଦରେ ରହିଆସିଥିବା ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କୁ ଏବେ ନିଜ ଦଳ ଭିତରେ ବିରୋଧ।
ବିରୋଧ ଲୁଚାଛପା କି ପରୋକ୍ଷରେ ନୁହେଁ ଖୋଲାଖୋଲି। ବନ୍ଧୁ ମିଳନ ନାଁରେ ପାଲଲହଡ଼ା ସତ୍ୟବନ୍ଧ ପଡ଼ିଆରେ ଏକାଠି ହୋଇଥିଲେ 7 ହଜାରରୁ ଅଧିକ ବିଜେଡି କର୍ମୀ। ତେବେ ଏହି ମେଳି ଦଳକୁ ମଜଭୁତ କରିବା ଉଦ୍ଦେଶରେ ନଥିଲା ଏକମାତ୍ର ଉଦ୍ଦେଶ୍ୟ ଥିଲା ବିଧାୟକ ମୁକେଶ ପାଲଙ୍କୁ ହଟାଇବା। ଦଳର ବହୁ ଛାମୁଆ ନେତା ଓ କର୍ମୀ କୋଲାଖୋଲି ବିଧାୟକଙ୍କ ବିରୋଧରେ ବିଷ ଓଗାଳିଥିଲେ।
ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁଙ୍କ ଆଖି ଏବେ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଉପରେ। 3 ବର୍ଷ ହେଲା ସେ ଶ୍ରଦ୍ଧା ସେବା ଟ୍ରଷ୍ଟ ମାଧ୍ୟମରେ ପାଳଲହଡା ନିର୍ବାଚନ ମଣ୍ଡଳୀରେ ନିଜ ସଂଗଠନ କରିଆସୁଛନ୍ତି। ଅବନୀଙ୍କ ବିଧାୟକ ଟିକେଟ୍ ରାସ୍ତାରେ କଣ୍ଟା ବିଧାୟକ ମୁକେଶ ପାଲ। ତେଣୁ କେତେବେଳେ ବନ୍ଧୁ ମିଳନ ତ କେତେ ବେଳେ ସଭା ସମିତି କରି ମୁକେଶଙ୍କୁ ଚ୍ୟାଲେଞ୍ଜ ଦେଇଆସୁଛନ୍ତି ଆବନୀଙ୍କ ସମର୍ଥକ।
ପୂର୍ବରୁ ବିଧାୟକ ମୁକେଶ ପାଳଙ୍କ ଓ ସାଂସଦଙ୍କ ମଧ୍ୟରେ ତୁତୁ ମେମେ ହେଉ କି ବିଧାୟକଙ୍କ ବିରୋଧରେ ନାରୀ ନିର୍ଯାତନା ଓ ଦୁର୍ନୀତି ଅଭିଯୋଗ ଏହାକୁ ନେଇ ବିଜେଡିର ଭାବମୂର୍ତ୍ତି ମଳିନ ପଡ଼ିସାରିିଥିବା ବେଳେ ଏବେ ଦଳର ଦୁଇଗୋଷ୍ଠୀ ମଧ୍ୟରେ ତୀବ୍ର କନ୍ଦଳ ଆଗାମୀ ନିର୍ବାଚନରେ ଦଳର ସ୍ଥିତିକୁ ଆହୁରି ଦୁର୍ବଳ କରିଦେବାର ସମ୍ଭାବନା ରହିଛି। ଯାହା ପାଲଲହଡ଼ାରେ ବିରୋଧୀଙ୍କୁ ବେଶ୍ ସୁହାଇପାରେ ବୋଲି ହେଉଛି ଚର୍ଚ୍ଚା।