Videos
|
Odisha

ପାନୀୟ ଜଳ ପ୍ରକଳ୍ପରେ ଆଉ ଚଳିବନି ଠିକା କମ୍ପାନୀର ମନମାନି, ସମୟରେ କାମ ନହେଲେ ହେବେ ବ୍ଲାକ୍ ଲିଷ୍ଟେଡ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପାନୀୟ ଜଳ ପ୍ରକଳ୍ପରେ ଆଉ ଚଳିବନି ଠିକା କମ୍ପାନୀର ମନମାନି, ସମୟରେ କାମ ନହେଲେ ହେବେ ବ୍ଲାକ୍ ଲିଷ୍ଟେଡ୍

ଭୁବନେଶ୍ଵର: ଖରା ଆସିଲାଣି, ଜଳକଷ୍ଟ ବି ବଢ଼ିଲାଣି । ହେଲେ କଣ୍ଟ ସରିବା ସତ୍ତ୍ଵେ ସରୁନି ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ । ଏହାକୁ ନେଇ ଆଜି ବିଧାନସଭା ପ୍ରଶ୍ନକାଳରେ ଆଲୋଚନା ହୋଇଥିବା ବେଳେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ । ମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବା ବେଳକୁ ଠିକା କମ୍ପାନୀ କାମ ସାରିବର ସମୟ ପଳାଇଥିଲା ।


କାମ ସାରିବା ଲାଗି ଠିକା କମ୍ପାନୀ ସହ ଏକାଧିକ ବାର ଆଲୋଚନା କରିଛୁ । ଏପରିକି ଜରିମାନା ବି କରାଯାଇଛି । ଶେଷ ନିଷ୍ପତ୍ତି ନେଇଛୁ, କମ୍ପାନୀ ମୁଖ୍ୟଙ୍କୁ ୭ ଦିନ ଭିତରେ ଡାକିବୁ । କାମ ନ କଲେ ସେମାନଙ୍କୁ ବ୍ଲାକ ଲିଷ୍ଟେଡ୍ କରାଯିବ । ଅନ୍ୟ କାହାରି ମାଧ୍ୟମରେ ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ବିଭାଗ ସାରିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ପାନୀୟ ପ୍ରକଳ୍ପ ସମୟରେ ନ ସରିଲେ ଆଉ ସମୟ ବଢ଼ା ଯିବନି । ବରଂ ଆବଶ୍ୟକତା ସ୍ଥଳେ ଏଫ୍‌ଆଇଆର୍ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।


ଧିମା ଗତିରେ ପାନୀୟ ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ନେଇ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା । ଊତ୍ତର ରଖି ପାନୀୟ ଜଳ ସମସ୍ୟାକୁ ନେଇ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ । କହିଥିଲେ, ପ୍ରକଳ୍ପ ଧିମା ହେବାର କାରଣ ପୂର୍ବ ସରକାର । ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ, ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା ।


ବିଗତ ସରକାରରେ ପାଇପ୍ ଥିଲା, ପାଣି ନ ଥିଲା । ଏବେ ପ୍ରତି ଘରେ ଜଳ ନ ପହଞ୍ଚିଲେ କାମ ସମାପ୍ତ ହୋଇଛି ବୋଲି ଧରା ଯିବନି । ପାନୀୟ ପ୍ରକଳ୍ପ ଧିମେଇ ଥିବା ବିଭାଗ ଅବଗତ ଅଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ୭୨ ପ୍ରତିଶତ ପ୍ରକଳ୍ପ ସରିବାର ଥିଲା, ୫୨ଟି ସରିଛି । ଜୁନ୍ ସୁଦ୍ଧା ୭୨ଟି ସାରିବାକୁ ଲକ୍ଷ୍ୟ ରଖିଛୁ । ୨୦୨୬ ସୁଦ୍ଧା ଆଉ ୪୦ଟି ପ୍ରକଳ୍ପ ସାରିବୁ । ପାହାଡ଼ିଆ ଅଞ୍ଚଳର ଲୋକ ଯେମିତି ପାଣି ପାଇବେ ସେ ନେଇ ବିଭାଗ କାମ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ମହାନଦୀ ଅବବାହିକାରେ ମୋହନ ସରକାର ୭ଟି ବ୍ୟାରେଜ କରିବେ ବୋଲି ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ପାଣି ଆସିବା ନେଇ ଉଦୟପୁର ଠାରେ ଛତିଶଗଡ଼ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ଉଭୟ ରାଜ୍ୟର କମିଶନର ବସି ଆଲୋଚନା କରିଥିବା କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ।