Videos
|
Odisha

Corruption Allegations / ଭିତ୍ତିଭୂମି ପାଇଁ ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା…କିନ୍ତୁ ଭିତରେ ଚାଲିଥିଲା ଖୋଳ କରିବାର ଖେଳ

Ritu Das
Browse all articles by Ritu Das
·1 hour ago·2 min read
ଭିତ୍ତିଭୂମି ପାଇଁ ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା…କିନ୍ତୁ ଭିତରେ ଚାଲିଥିଲା ଖୋଳ କରିବାର ଖେଳ
India

Key Points

ସିଏଜି ରିପୋର୍ଟ ଖୋଲିଛି ବିଜେଡି କ୍ରୀଡା ହବର ଗୁମର
ନବୀନ ବଦଳାଇଦେଲେ ହକିର ଭାଗ୍ୟ। କ୍ରୀଡାର ହବ ହେବ ଓଡ଼ିଶା। ଯେଉଁଥି ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ ବିଜେଡି ସରକାର। ପ୍ରତି ବ୍ଲକରେ ମିନି ଷ୍ଟାଡିୟମ ଆଉ ବହୁମୁଖୀ ଇନଡୋର ଷ୍ଟାଡିୟମ ନାଁରେ କେମିତି ଚଳୁ ହୋଇଛି ରାଜ୍ୟ ରାଜକୋଷ ତାର ପୋଲ ଖୋଲିଛି ସିଏଜି ରିପୋର୍ଟ। କେଉଁଠି ଟଙ୍କା ମଞ୍ଜୁର ହୋଇ ବର୍ଷ ବର୍ଷ ହେଲା କାମ ଆରମ୍ଭ ହୋଇନି ତ କେଉଁଠି କାମ ଅସପୂର୍ଣ୍ଣ ରଖି ଟଙ୍କା ଉଠି ଯାଇଛି। ତାର ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ବି ଆସିଛି।

ସିଏଜି ରିପୋର୍ଟ ଖୋଲିଛି ବିଜେଡି କ୍ରୀଡା ହବର ଗୁମର। ଡିଏମଏଫ ଟଙ୍କାରେ ରାଉରକେଲା ଷ୍ଟାଡିୟମ। ଆଉ ୬୦ ଟି ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ ଶେଷ ନହୋଇ ଉଠିଛି ଟଙ୍କା। ଆଉ କେଉଁଠି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବ୍ୟବହାର ହୋଇପାରୁନି ଷ୍ଟାଡିୟମ। ଏଇ ଯେମିତି ଅବହେଳିତ ଅବସ୍ଥାରେ ପଡିରହିଥିବା କୋଟପାଡ଼ର ସର୍ବପୁରାତନ ଭୈରବ ଷ୍ଟାଡିୟମ । ୨୦୧୯-୨୪ ଭିତରେ ଏହି ଷ୍ଟାଡିୟମ ପାଇଁ ଖର୍ଚ୍ଚ ହୋଇଛି ୨୦ ଲକ୍ଷ ଟଙ୍କା। ଆଉ ଚିତ୍ରକୁ ଦେଖନ୍ତୁ କେମିତି ଶିଉଳି ଆଉ ଗଛ ଲତା ମାଡି ଯାଇଛି। ଆଉ ଏହି ଷ୍ଟାଡିୟମରେ ମୁକ୍ତାକାଶ ବ୍ୟାୟାମଶାଳା ପାଇଁ ବି ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ କାମ ସରି ନାହିଁ। ଆଉ ଏ ହେଉଛି ପିପିଲି ମିନି ଷ୍ଟାଡିୟମର ଚିତ୍ର। ବାହାରୁ ଚକାଚକ କିନ୍ତୁ ଭିତର ଫମ୍ପା। ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ରକ୍ଷାଣବେକ୍ଷଣ ନାହିଁ। ଯାହାକୁ ସିଏଜି ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି।

ଗ୍ରାଉଣ୍ଡର ଏହି ଚିତ୍ର ପରେ ନଜର ପକାନ୍ତୁ ସିଏଜି ଧରିଥିବା ସାଂଘାତିକ ତଥ୍ୟା ଉପରେ। ୨୦୧୩ରୁ ୨୦୨୪ ମଧ୍ୟରେ ରାଜ୍ୟରେ ମୋଟ ୪୬୩ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୯୨ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ୨୦୨୪ ସୁଦ୍ଧା ୨୪ ଟି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆଦୌ ଆରମ୍ଭ ହୋଇପାରିନଥିବେ ବେଳେ ୪୩ ଟି ମିନି ଷ୍ଟାଡିୟମ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥିଲା। ସଂପୂର୍ଣ୍ଣ ହୋଇଥିବା ଷ୍ଟାଡିୟମ ମଧ୍ୟରେ ୨୪ଟି ଷ୍ଟାଡିୟମରେ ସୁରକ୍ଷା ପାଚେରୀ ନଥିଲା, ୪୧ ଟି ରେ ଜଳ ନିଷ୍କାସନ ବ୍ୟବସ୍ଥା, ୨୯ଟି ଷ୍ଟାଡିୟମରେ ମାଟି ସମତଳ ଏବଂ ୩୪ଟି ଷ୍ଟାଡିୟମରେ ଘାସ ଗାଲିଚା ଲାଗିବା ଭଳି କାମ ହୋଇନଥିଲା। ଏହା ସହ ୧୨୬ ଟି ମିନି ଷ୍ଟାଡିୟମରେ ମିନି ହଲ ଏବଂ ଶୌଚାଳୟ ପାଇଁ ୨୦୧୭-୧୮ ମସିହାରେ ପୁଣି ୧୮ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ୬ ବର୍ଷ ପରେ ବି ୨୯ ଟି ମିନି ଷ୍ଟାଡିୟମରେ କାମ ଆରମ୍ଭ ହୋଇନଥିବା ବେଳେ ୧୮ଟିରେ ନିର୍ମାଣ ସଂପୂର୍ଣ୍ଣ ହୋଇନଥିଲା।

ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଜିଲ୍ଲା ଖଣିଜ ପାଣ୍ଠି ଯାହାକୁ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେବା କଥା, ସେଠି ସମସ୍ତ ଆଇନ କାନୁନକୁ ଉଲ୍ଲଂଘନ କରି ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଥିଲା ୧୩୬ କୋଟି ୭୭ ଲକ୍ଷ ଟଙ୍କା। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ଅନ୍ୟ ପଟେ ଅଡିଟରୁ ଜଣାପଡିଛି ୭୦୬ କୋଟି ବ୍ୟାୟରେ ରାଜ୍ୟରେ ନିର୍ମାଣ ହୋଇଥିବା ବହୁମୁଖୀ ଇନଡୋର ହଲ ଗୁଡିକ କୋଚ ଏବଂ ଆବଶ୍ୟକୀୟ ଉପକରଣ ଅଭାବରୁ ବ୍ୟବହାର ହୋଇପାରୁ ନାହିଁ। ସିଏଜିଙ୍କ ରିପୋର୍ଟ ବିଜେଡି ଆଉ ନବୀନଙ୍କ କ୍ରୀଡା ପ୍ରୀତିର ପୋଲ ଖୋଲିଥିବା କୁହାଯାଉଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: