ତୃତୀୟ ଦିନରେ UGC ଓ ଉଚ୍ଚ ଶିକ୍ଷାବିଭାଗର ତଦନ୍ତ ଜାରି

Key Points
ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଖୋଳତାଡ଼
ତୃତୀୟ ଦିନରେ UGC ଓ ଉଚ୍ଚ ଶିକ୍ଷାବିଭାଗର ତଦନ୍ତ ଜାରି
କଲେଜର ICC ସଦସ୍ୟଙ୍କୁ ପଚରା ଉଚୁରା
ଆଇସିସି କମିଟି ରିପୋର୍ଟରେ ପ୍ରକୃତରେ ଥିଲା କଣ?
କାହା ସପକ୍ଷରେ ଯାଇଥିଲା ତଦନ୍ତ ରିପୋର୍ଟ?
ସାଂସଦଙ୍କ ଅଭିଯୋଗ, ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଏକତରଫା
ଫକୀର ମୋହନ କଲେଜର ଆଇସିସି କମିଟି ରିପୋର୍ଟରେ ପ୍ରକୃତରେ ଥିଲା କଣ? କାହା ସପକ୍ଷରେ ଯାଇଥିଲା ତଦନ୍ତ ରିପୋର୍ଟ। ପାଞ୍ଚ ଫର୍ଦ୍ଧ ରିପୋର୍ଟରେ ପ୍ରକୃତରେ ଥିଲା କଣ? UGC ଗାଇଡଲାଇନ ଅନୁସାରେ ଆଇସିସି କମିଟି ଠିକ୍ ଭାବେ କାର୍ଯ୍ୟ କରିଥିଲା କି । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବଡ଼ ଅଭିଯୋଗ ଆଇସିସି ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ହୋଇଥିଲା ଏକତରଫା। ସେପଟେ ଆଇସିସି କମିଟି ସଦସ୍ୟ କହୁଛନ୍ତି ପିଲାମାନଙ୍କ ମତାମତ ଅନୁସାରେ ପ୍ରସ୍ତୁତ ହୋଇଥିଲା ରିପୋର୍ଟ। ଲଟେରୀ ଆଧାରରେ ଚୟନ କରି ଛାତ୍ରଛାତ୍ରୀଙ୍କୁ ହୋଇଥିଲା ପଚରାଉଚୁରା। ଅଧ୍ୟାପକଙ୍କ ବିଷୟରେ ଜାଣିବା ପାଇଁ ପୂର୍ବ କାର୍ଯ୍ୟସ୍ଥଳୀ ଚମ୍ପୁଆ କିମ୍ବା ଭୁବନକୁ ଯାଇ ନଥିଲା ଟିମ୍। ଛାତ୍ରଛାତ୍ରୀଙ୍କ ବୟାନ ସମୟରେ ଷ୍ଟେଟମେଣ୍ଟ ରେକର୍ଡ ହୋଇ ନ ଥିଲା କିମ୍ବା ଭିଡିଓ ଗ୍ରାଫି ହୋଇନଥିଲା। ଏ କଥା ନିଜେ ସ୍ବୀକାର କରିଛନ୍ତି ଆଇସିସି ସଦସ୍ୟ ଗୋପାମୁଦ୍ରା ମହାପାତ୍ର। ସେପଟେ ସାଂସଦ ପ୍ରତାପ ଷଡଙ୍ଗୀ ରିପୋର୍ଟକୁ ନେଇ କମିଟି ଉପରେ ବର୍ଷିଛନ୍ତି। ତେଣୁ ଆଇସିସି କମିଟିକୁ ଘନ ଘନ ଜେରା କରୁଛି ଉଚ୍ଚ ଶିକ୍ଷା ବିଭାଗର ଟିମ୍ ।
ତୃତୀୟ ଦିନରେ ବି ଚାଲିଥିଲା ମାରାଥନ ଜେରା। ଘଟଣାର ବିଭିନ୍ନ ଦିଗକୁ ନେଇ ତନାଘନା ଚାଲିଛି। ଉଚ୍ଚଶିକ୍ଷା ବିଭାଗ ଟିମ୍ ପକ୍ଷରୁ ତଦନ୍ତ ଘେରରେ ସାମିଲ ଥିଲେ ୩୨ ଛାତ୍ରଛାତ୍ରୀ ଓ ଅତିରିକ୍ତ ଏସପିଙ୍କ ସମେତ ସହଦେବଖୁଣ୍ଟା ଆଇଆଇସି। ପୀଡ଼ିତାଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଲିଛି ଖୋଳତାଡ଼। ସେପଟେ ୟୁଜିସିର ୪ ଜଣିଆ ଟିମ୍ ମଧ୍ୟ ତୃତୀୟ ଦିନରେ ଅଧ୍ୟକ୍ଷଙ୍କୁ ତଦନ୍ତ ପରିସର ଭୁକ୍ତ କରିଥିବା ବେଳେ ପୁରା ତଥ୍ୟ ହାସଲ ନ ହେଲା ଯାଏ ତଦନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି UGC ଫ୍ୟାକ୍ଟ ଫାଇଣ୍ଡି ଟିମର ଅଧ୍ୟକ୍ଷ ପ୍ରଫେସର ରାଜ୍ କୁମାର ମିତ୍ତଲ। ପୀଡ଼ିତାଙ୍କ ମୃତ୍ୟୁ ଘଟଣା ପରଠାରୁ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଏଫ୍ ଏମ କଲେଜ୍ ପରିସରରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗେଇବା ସହ ସୁରକ୍ଷାକୁ ଅଧିକ ଧ୍ୟାନ ଦିଆଯାଇଛି । ସେପଟେ କ୍ରାଇମବ୍ରାଞ୍ଚ ମୃତ ଛାତ୍ରୀଙ୍କ ସହପାଠୀ କଶିଶ୍ ଦାସଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଅର୍ଗସକୁ ସହପାଠୀ କସିସ୍ କହିଛନ୍ତି, ଯାହା ସତ ତାହା ସବୁଠି କହିବି, ଆବଶ୍ୟକ ପଡିଲେ କୋର୍ଟରେ କହିବି ।
ଦୁଇଟି ଦିଗରେ ହେଉଛି ତଦନ୍ତ। ଗୋଟିଏ ପଟେ ନିର୍ଯାତନା ଅଭିଯୋଗ, ତାପରେ ଆଇସିସି କମିଟିର ଭୂମିକା। ରିପୋର୍ଟ ପ୍ରସ୍ତୁତିର ଆଧାର ଉପରେ ତଦନ୍ତ ହେଉଥିବା ବେଳେ ଅନ୍ୟ ଦିଗରେ ଆତ୍ମହତ୍ୟା ପାଇଁ କେଉମାନେ ଷଡଯନ୍ତ୍ର କରିଥିଲେ ସେନେଇ ମଧ୍ୟ ତଦନ୍ତ ହେଉଛି।