୧୨ ମାସରେ ଆସିଲା ୪ ଲକ୍ଷ ୫୦ ହଜାର କୋଟିର ନିବେଶ

Key Points
12 ମାସରେ ଆସିଲା 4 ଲକ୍ଷ 50 ହଜାର କୋଟିର ନିବେଶ, ସୃଷ୍ଟି ହେଲା ପ୍ରାୟ 3 ଲକ୍ଷ ନିଯୁକ୍ତି
206 ଶିଳ୍ପକୁ ବିଜେପି ସରକାରଙ୍କ ଅନୁମୋଦନ
ବର୍ଷ ପୂର୍ତ୍ତି ଆଗରୁ ରାଜ୍ୟବାସୀଙ୍କୁ ଶିଳ୍ପ ଉପଲବ୍ଧିର ହିସାବ ଦେଲେ ମୁଖ୍ୟମନ୍ତ୍ରୀ
ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବ ସମୃଦ୍ଧ ଓଡ଼ିଶା
ପୂର୍ବ ସରକାର ଭଳି କେବଳ ଏମଓୟୁ ନୁହେଁ, ଶିଳ୍ପ ପ୍ରତିଷ୍ଠା ଉପରେ ଫୋକସ । ପ୍ରତିଶ୍ରୁତି ନୁହେଁ, କାମରେ କରି ଦେଖାଇବା ଉପରେ ଗୁରୁତ୍ଵ । ବିଜେପି ସରକାରର ବର୍ଷ ପୂର୍ତ୍ତି ଆଗରୁ ଶିଳ୍ପ ମୁଖ୍ୟ ଓ ପ୍ରତିନିଧିଙ୍କ ସହ ଆଲୋଚନା କରି ଏଭଳି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନ ପାଇଁ ସରକାରଙ୍କ ଯୋଜନା ବାବଦରେ କଲେ ଚର୍ଚ୍ଚା । ସରକାରକୁ ଆସିବାର ବର୍ଷେ ଭିତରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ସଫଳତାର ରିପୋର୍ଟ ଦେଲେ ମୋହନ । ବର୍ଷକ ମଧ୍ୟରେ 206ଟି ଶିଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଯେଉଁଥିରେ କି 4 ଲକ୍ଷ 50 ହଜାର କୋଟିର ନିବେଶ ଆସିବା ସହ ତିଆରି ହୋଇଛି 2 ଲକ୍ଷ 90 ହଜାର ନିଯୁକ୍ତି ସୁଯୋଗ । ଯାହା ବିଜେଡ଼ି ଅମଳର 5 ବର୍ଷରେ ହୋଇନଥିଲା, ବର୍ଷେ ଭିତରେ ତା ଠାରୁ ଦୁଇଗୁଣ କରି ଦେଖାଇଲା ବିଜେପି ସରକାର । ତେବେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ହେବାର ମାତ୍ର 4 ମାସ ଭିତରେ ହେଲାଣି 56ଟି ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ । ଯାହାଦ୍ବାରା ରାଜ୍ୟକୁ 1 ଲକ୍ଷ 78 ହଜାର କୋଟିର ପୁଞ୍ଜିନିବେଶ ଆସିବା ସହ ନିଯୁକ୍ତି ପାଇବେ 1 ଲକ୍ଷ 10 ହଜାର ଯୁବକ ଯୁବତୀ ।
କେବଳ ଏତିକି ନୁହେଁ, ଏହା ଭିତରେ 150ରୁ ଅଧିକ ଏମଓୟୁ ସ୍ବାକ୍ଷର ହୋଇଥିବା ବେଳେ ପ୍ରାୟ 17 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଯାହାଦ୍ବାରା 13 ଲକ୍ଷ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହେବ ।
2036 ସମୃଦ୍ଧ ଓଡିଶା ପାଇଁ ପକାଯାଉଛି ଭିତ୍ତି । ଶିଳ୍ପ ଭିତ୍ତିଭୂମି, ରେଳ, ରୋଡ଼ ଭିତ୍ତିଭୂମି, ରାଜ୍ୟରେ ଥିବା 3 ବନ୍ଦରର କ୍ଷମତା ବୃଦ୍ଧି ଏବଂ ଆଉ 3ଟି ବନ୍ଦର ବିକଶିତ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କିଛି ଜେଟି ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆଗାମୀ 5 ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ । 500 ବିଲିୟନ ଡଲାରର ଅର୍ଥନୀତି ହେବାର ଲକ୍ଷ୍ୟ ରଖି ପ୍ରଗତି ପଥେ ଆଗେଇ ଯାଉଛି ଓଡ଼ିଶା ।।