ବିବାଦରେ କୁଟ୍ଟେ : ଚାକିରି ସରକାରୀ, କାମ ଦଳୀୟ

Key Points
- ନବୀନଙ୍କ ପ୍ରଚାରରେ ଅଫିସର
- ଦରମା ନେଉଛନ୍ତି ସରକାରଙ୍କର
- ପ୍ରଚାର କରୁଛନ୍ତି ନିର୍ଦ୍ଧିଷ୍ଟ ଦଳର !
ଅର୍ଗସ ବ୍ୟୁରୋ : ଚାକିରି କରିଛନ୍ତି ସରକାରୀ, ହେଲେ ପ୍ରଚାର କରୁଛନ୍ତି ନବୀନ ବାବୁଙ୍କର । ଏ କଥା ଜଣାପଡିବା ପରେ ଏବେ ପୂରା ରାଜ୍ୟରେ ଜୋର ଧରିଲାଣି ଚର୍ଚ୍ଚା । ଖାଲି ପ୍ରଚାର କରୁଛନ୍ତି ତାହା ନୁହେଁ ବରଂ ନିର୍ବାଚନ ପରିଚାଳନା କରୁଥିବା ନେଇ ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି । ଇଏ ପୁଣି ଏମିତି ସେମିତି ଆଇପିଏସ ଅଫିସର ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଡି.ଏସ. କୁଟ୍ଟେଙ୍କ ନାଁରେ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ । ଏହାସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।
ଡିଏସ କୁଟ୍ଟେ । ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ । ଭାରି ପାୱାରଫୁଲ..ହେଲେ ସେ ଯେମିତି କାମ କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର । କାରଣ କୁଟ୍ଟେ ପୂର୍ବରୁ ସମସ୍ତ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ଥିଲେ । କିନ୍ତୁ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ଦିଲ୍ଲୀରୁ ଚିଠି ଲେଖିଛନ୍ତି ଯେ କୌଣସି ସରକାରୀ ଅଧିକାରୀ ଦଳୀୟ ନିର୍ବାଚନ କାମରେ ସଂପୃକ୍ତ ହୋଇପାରିବେ ନାହିଁ । କିନ୍ତୁ କୁଟ୍ଟେ ନିର୍ବାଚନରେ ବିଜେଡିର ଟଙ୍କା ପରିବହନ କରିବା ଓ ବାଣ୍ଟିବା ପାଇଁ ଆଇଆଇସି ଓ ଏସପି ମାନଙ୍କୁ ଧମକାଉଥିବା ଅଭିଯୋଗ କରିଛି ବିଜେପି ।
ବିରୋଧୀ ଦଳଙ୍କ ଏତଲା ପୋଲିସ ରଖୁନି କିନ୍ତୁ ବିଜେଡି ନେତାଙ୍କ ଅଭିଯୋଗ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ କରିଛି ବିଜେପି । ଏହାସହ ରାଜନୈତିକ ଲୋକ ମାନଙ୍କୁ ଫୋନ କରି କୁଟ୍ଟେ ଦଳୀୟ ଆଧାରରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି ଦଳ । ବିଜେପିର ଅଭିଯୋଗ ପରେ ସରକାରୀ ଅଧିକାରୀଙ୍କ ସପକ୍ଷରେ ଓକିଲାତି କରିବାକୁ ସାମ୍ନାକୁ ଆସିଛି ଶାସକ ଦଳ । ନିର୍ବାଚନ ହାରିବା ଭୟରେ ବିଜେପି ସରକାରୀ ଅଧିକାରୀଙ୍କ ଉପରେ ମିଛ ଆରୋପ ଲଗାଉଥିବା କରିଛି ଅଭିଯୋଗ ।
📱 Get Argus News App
✨ବିଭିନ୍ନ ଅଭିଯୋଗ ଆଧାରରେ କିଛି ଦିନ ଭିତରେ ରାଜ୍ୟର ୬ ଜଣ ଆଇପିଏସ ଓ ୨ ଜଣ ଆଇଏଏସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି ନିର୍ବାଚନ କମିଶନ । ଏବେ ପ୍ରଶ୍ନ ବିଜେପିର ଏଭଳି ସଙ୍ଗୀନ ଅଭିଯୋଗ ପରେ ଡି.ଏସ. କୁଟ୍ଟେଙ୍କ ବିରୋଧରେ ବି ହେବ କି ସମାନ ଆକ୍ସନ ? କଥା ହେଲା ରାଜ୍ୟରେ ଏବେ ଅନେକ ଅଫିସର ସରକାରୀ ଚାକିରି କରିଥିବା ପରେ ବି ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି । ଯାହାକୁ ନେଇ ଅଭିଯୋଗ ତ ହେଉଛି ହେଲେ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହାକୁ ଏବେ ଅପେକ୍ଷା ।