ହୋଟେଲରେ ଖାଇବାକୁ ଭୟ ଲାଗିଲାଣି, ପୁଣି ଟନ୍ ଟନ୍ ଗୋ-ମାଂସ ଜବତ !

ପୁଣି ଏକ ଗୋ-ମାଂସ କଣ୍ଟେନର ଜବତ ! କଣ୍ଟେନରରେ ଚାଲିଛି ଗୋମାଂସ ଚାଲାଣ । କ୍ବିଣ୍ଟାଲ କ୍ବିଣ୍ଟାଲ ଗୋମାଂସ ବାହାର ରାଜ୍ୟକୁ ଚାଲାଣ ହେଉଛି । ଗତକାଲି ବାଲେଶ୍ୱରରୁ ୫ ଟନ୍ ଗୋ-ମାଂସ ବୋଝେଇ ଟ୍ରକ୍ ଜବତ ହୋଇଥିବା ବେଳେ ପୁଣି ଏକ ଗୋ-ମାଂସ ଭର୍ତ୍ତି କଣ୍ଟେନର ଜବତ ହୋଇଛି । ଖନ୍ତାପଡ଼ା ଥାନା ବେଗୁନିଆ ପେଟ୍ରୋଲ ପମ୍ପ ନିକଟରେ ଗୋ-ମାଂସ ବୋଝେଇ ହୋଇଥିବା ସନ୍ଦେହରେ କଣ୍ଟେନରକୁ ଅଟକ ରଖିଥିଲା ଖନ୍ତାପଡ଼ା ପୋଲିସ।
ବିଳମ୍ବିତ ରାତିରେ କଲିକତାରୁ ବେଙ୍ଗାଲୁରୁ ଯାଉଥିଲା ଏହି କଣ୍ଟେନର । ପୋଲିସ ଗାଡିକୁ ଜବତ କରି ଥାନାକୁ ନେବା ସହିତ ଡ୍ରାଇଭର ନଗେନ୍ଦ୍ରନକୁ ଅଟକ ରଖିଥିବା ବେଳେ ରାତିରେ ଏହି କଣ୍ଟେନରକୁ ବାଲେଶ୍ୱର ପୋଲିସ ମୁଖ୍ୟାଳୟ ପଠାଯାଇଛି । କଣ୍ଟେନର ବିଲ୍ରେ ୨୭ ଲକ୍ଷ ଟଙ୍କା ମୂଲ୍ୟର ୭୮୫୪ କେଜି ସାମଗ୍ରୀ ଥିବା ଜଣାପଡିଛି ।
ଗତକାଲି ସେଇ ବାଲେଶ୍ୱରରୁ ୫ ଟନ୍ ଗୋରୁ ମାଂସ ବୋଝେଇ ଟ୍ରକ ଜବତ କରାଯାଇଥିଲା । ବସ୍ତା-ବାଲିଆପାଳ ରାସ୍ତାର ପୁଟୁରା ଛକ ନିକଟରୁ ଜବତ କରିଥିଲା ସିଂଲା ପୋଲିସ । ତେବେ ଭଦ୍ରକ ଅଞ୍ଚଳରୁ ଗୋମାଂସ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ୬୦ ନଂ ଜାତୀୟ ରାଜପଥର ବସ୍ତା ଥାନା ଗାନ୍ଧୀ ଛକ ନିକଟରେ ରାସ୍ତା ଅବରୋଧ କରି ଅଟକାଇବାକୁ ଚେଷ୍ଟା କରିଥିଲେ ।
ମାତ୍ର ଟ୍ରକଟି ବାଲିଆପାଳ ରାସ୍ତା ଦେଇ ଖସି ଯିବାକୁ ଉଦ୍ୟମ କରିଥିଲା । ଟ୍ରକଟି ଦୃତ ଗତିରେ ଯାଉଥିବା ବେଳେ ପୁଟୁରା ଛକ ନିକଟରେ ରାସ୍ତା ପାର୍ଶ୍ବରେ ଥିବା ଗଛକୁ ଧକ୍କା ଦେଇଥିଲା । ସିଂଲା ପୋଲିସ ଘଟଣାସ୍ଥଳରେ ପହଁଚି ଟ୍ରକକୁ ଜବତ କରି ଥାନାକୁ ଆଣିଥିବା ବେଳେ ଡ୍ରାଇଭର ଏବଂ ହେଲପର ଚମ୍ପଟ ମାରିଛି ।
ଗୋଟିଏ ପଟେ ସତ୍ୟବାଦୀ ଜୟା ହୋଟେଲରେ ମଟନ ନାଁରେ ଗୋ-ମାଂସ ବିକ୍ରିକୁ ନେଇ ସାରା ରାଜ୍ୟ ଉଠିଛି ପଡ଼ୁଛି । ଆଉ ଅନ୍ୟପଟେ ଏହି ଘଟଣାର ଦିନେ ଦୁଇ ଦିନ ଭିତରେ ଟନ୍ ଟନ୍ ଗୋ-ମାଂସ ଜବତ ହେଉଛି । ଯାହାକି ଲୋକଙ୍କ ମଧ୍ୟରେ ଏକ ଚାପା ଉତ୍ତେଜନା ସୃଷ୍ଟି କରିଛି। ହୋଟେଲରେ ଏବେ ମଟନ ଖାଇବାକୁ ଲୋକେ ଭୟ କଲେଣି ।