କୁଆଡ଼େ ଗଲା ଅର୍ପଣ ରଥରୁ ମିଳିଥିବା ଚାଉଳ ?

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତେଜୁଛି ରାଜନୀତି । ନିର୍ବାଚନ ପୂର୍ବରୁ ପରିକ୍ରମା ପ୍ରକଳ୍ପକୁ ନେଇ ପଲିଟିକ୍ସ କରୁଛନ୍ତି ରାଜ୍ୟ ସରକାର । ଏକଥା ଆମେ ନୁହେଁ ବରଂ ବିରୋଧୀ କହୁଥିଲେ । ହେଲେ ଏବେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ବି ସିଧାସିଳଖ ଅଭିଯୋଗ କରିବା ସହିତ ରାମ ମନ୍ଦିରରେ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି କିନ୍ତୁ ଏଇଠି ପାଇଖାନା ପ୍ରତିଷ୍ଠା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାକୁ ନବୀନ ବାବୁଙ୍କୁ ସମୟ ନାହିଁ କିନ୍ତୁ ପୋପ୍ଙ୍କ ପାଖରେ ଆଣ୍ଠେଇବାକୁ ସମୟ ଅଛି ବୋଲି କହିଛନ୍ତି ପ୍ରିୟଦର୍ଶନ ।
ଗତ କିଛିଦିନ ହେବ ପୁରୀକୁ ନେଇ ଚର୍ଚ୍ଚା ବଢିଛି । ଯେବେଠୁ ଭୋର ସମୟରୁ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ହିନ୍ଦୀ ବ୍ଲଗର କାମିଆ ଜାନିଙ୍କୁ ନେଇ ମନ୍ଦିର ଗଲେ ସେବେଠୁ ବିରୋଧ ଚାଲିଛି, ଅସନ୍ତୋଷ ବି ବଢିଛି । କାରଣ ଗୋମାଂସ ଖିଆ କାମିଆ ଜାନିଙ୍କୁ କାହିଁକି ଶ୍ରୀମନ୍ଦିର ଭିତରକୁ ସେ ନେଲେ ? ମିଛ କାହିଁକି କହିଲେ ? ମହାପ୍ରସାଦ ତାଙ୍କ ସହ କାହିଁକି ଖାଇଲେ ? କିଛି ଏମିତି ପ୍ରଶ୍ନ କରି ସରକାରଙ୍କୁ ଘେରିଥିଲେ ବିରୋଧୀ । କିନ୍ତୁ ସରକାର ଓ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ଖପ୍ପା ହୋଇଥିଲେ ଓଡ଼ିଆ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରିୟଦର୍ଶନ କହିଛନ୍ତି, ଜଗନ୍ନାଥଙ୍କ ନାଁରେ ଅର୍ପଣ ରଥ ବୁଲିଲା । ଚାଉଳ, ଗୁଆ ସଂଗ୍ରହ ହେଲା । ହେଲେ ସେ ଚାଉଳ ଆଉ ଗୁଆ ଗଲା କୁଆଡ଼େ ? ବିଜେଡି ଦଳର କର୍ମୀ ବିକ୍ରି କରି ମଦ ପିଇଲେ । ପ୍ରଚାର ରଥରେ ଜଗନ୍ନାଥଙ୍କୁ ସମ୍ମାନ ନୁହେଁ ବରଂ ପାଣ୍ଡିଆନଙ୍କୁ ଦିଆଯାଉଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ପରିକ୍ରମା ପ୍ରକଳ୍ପରେ ସାଙ୍ଘାତିକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ଏମିତିକି ରାଜନୈତିକ ଉଦ୍ଦେଶ୍ୟ ରଖି ତରତର ହୋଇ ଏହାର ଉଦଘାଟନ ହେଲା ବୋଲି ବି କୁହାଯାଉଛି । କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ହୋଇ ବସିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ହେଉଛି ।