କାମିଆଙ୍କୁ ନେଇ ଥମୁନି ଝଡ଼ : ଥାନାରେ ଦାୟର ହେଲା ମାମଲା

Key Points
- ଗୋମାଂସ ଖିଆ କାମିଆ ଜାନିଙ୍କୁ ନେଇ ପୁଣି ବଢିଲା ବିବାଦ
- ଥାନାରେ ଦାୟର ହେଲା ମାମଲା
- ଏଥର ଆଉ ଖସିପାରିବେନି ପାଣ୍ଡିଆନ ?
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ଭିତରକୁ ହିନ୍ଦୀ ବ୍ଲଗର କାମିୟା ଜାନିଙ୍କୁ ନେଇ ଫଶିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଦିନ ଯେତିକି ଯେତିକି ଗଡୁଛି, ଅଡୁଆ ବି ସେତିକି ସେତିକି ବଢୁଛି । ଶାସକଦଳ ପ୍ରେସମିଟ୍ କରି ସଫେଇ ଦେଇଥିଲା କାମିୟା ମନ୍ଦିର ଭିତରକୁ କ୍ୟାମେରା ନେଇ ନାହାନ୍ତି କି ବେଢାରେ ଖାଇନାହାନ୍ତି । ହେଲେ କେମିତି ପାଣ୍ଡିଆନଙ୍କ ସହ କାମିୟା ବେଢାକୁ ଯାଉଛନ୍ତି ? କେମିତି ସାଙ୍ଗ ହୋଇ ମହାପ୍ରସାଦ ଖାଉଛନ୍ତି ? ଏ ସବୁର ଗୋଟି ଗୋଟି ପ୍ରମାଣ ଦେଇଛି ବିଜେପି । ତେବେ ଏଠାରେ ପ୍ରଶ୍ନ ଜଣେ ବିଧର୍ମୀଙ୍କୁ ଯିଏ କି ଗୋମାଂସର ପ୍ରଚାର କରୁଛନ୍ତି ତାଙ୍କୁ କାହିଁକି ପାଣ୍ଡିଆନ ମନ୍ଦିର ଭିତରକୁ ନେଇଥିଲେ ? ଏମିତିକି ମହାପ୍ରସାଦର ପ୍ରଚାର କରିବାକୁ ବିଜେଡିକୁ କହିଥିଲା କିଏ ? କିଛି ଏମିତି ବିବାଦ ଘନେଇବା ପରେ ଏବେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି ।
ଜଣେ ବିଧର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଏବେ ସାରା ରାଜ୍ୟରେ ବିକ୍ଷୋଭ କରାଯାଉଛି । ଏମିତିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ବି ଜୋର ଧରିଛି । ଆଜି ଜଗନ୍ନାଥ ସେନା ସିଂହଦ୍ଵାର ଥାନାରେ ଏତଲା ବି ଦେଇଛି । ବିଧର୍ମୀ ଗୋମାଂସ ଭକ୍ଷଣକାରୀ କାମିଆ ଜାନୀଙ୍କ ମହାପ୍ରସାଦ ସେବନ ସହ ପ୍ରଚାରପ୍ରସାର ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶକୁ ବିରୋଧ କରି ଥାନାରେ ଏତଲା ଦେଇଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜୁ ଜନତା ଦଳ ଏବେ କାଳେ ସାଜିଛି ଗୋମାଂସ ଭକ୍ଷଣ ପ୍ରବକ୍ତାଙ୍କ ପ୍ରବକ୍ତା । ଶ୍ରୀମନ୍ଦିର ଭିତରକୁ ନିଷିଧ ଥିବା କ୍ୟାମେରା ସହ ପ୍ରବେଶର ବଡ ଅଭିଯୋଗ ବି ହୋଇଛି । କିଏ ପୁରାଇଥିଲା କାମିଆ ଜାନିଙ୍କୁ ପବିତ୍ର ଶ୍ରୀ ମନ୍ଦିରରେ ? ଗୋମାଂସ ପ୍ରବକ୍ତାଙ୍କ ଡିଜିଟାଲ ପେଜରେ କାହିଁକି ଡିଲିଟ୍ କରାଗଲା ପୋଷ୍ଟ ହୋଇଥିବା ଭିଡିଓ ? ଡିଲେଟ ହୋଇଥିବା ଭିଡିଓରେ କାମିଆ ଜାନିଙ୍କ ସ୍ପଷ୍ଟୀକରଣ ଥିଲା ବୋଲି କୁହାଯାଉଛି । ତେବେ ଥାନାରେ ମାମଲା ଦାୟର ହୋଇଥିବାରୁ ମାମଲାର ମୋଡ କଣ ହେଉଛି ତାହା ସମୟ କହିବ ।