ରତ୍ନଭଣ଼୍ଡାର ଚାବି ସମୁଦ୍ରରେ !

Key Points
- ଜଗନ୍ନାଥ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ
- କହିଲେ, ରତ୍ନଭଣ୍ଡାର ଚାବି ସମୁଦ୍ରରେ ଫୋପାଡି ଦେଇଛନ୍ତି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବିକୁ ନେଇ ବିସ୍ଫୋରକ ବୟାନ ଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ । ରୋକଠୋକ କହିଲେ, ଏମାନେ ରତ୍ନଭଣ୍ଡାର ଚାବି ସମୁଦ୍ରରେ ଫୋପାଡି ଦେଇଛନ୍ତି । ତତ୍କାଳୀନ କଲେକ୍ଟର କହିଥିଲେ, ରେକର୍ଡ ରୁମରୁ ଚାବି ବାହାରିଛି । ଏବେ ପୁଣି ଡୁପ୍ଲିକେଟ୍ ଚାବି ବାହାରିଲା ହେଲେ ସେଥିରେ ବି ଖୋଲିଲା ନାହିଁ । ଇଏ ତ ଡୁପ୍ଲିକେଟ୍ ଚାବିର ବି ଡୁପ୍ଲିକେଟ୍ କରିଦେଇଛନ୍ତି । ପୋଖରୀ କି କୂଅରେ ଚାବି ଫୋପାଡିଥିଲେ ମିଳିବାର ସମ୍ଭାବନା ଥିଲା, ହେଲେ ସମୁଦ୍ରରେ ଫୋପାଡି ଦେଇଛନ୍ତି । ଯେତେ ଖୋଜିଲେ ବି ଚାବି ଆଉ ମିଳିବନି ବୋଲି କହିଲେ ଜଗନ୍ନାଥ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ । ଓରଜିନାଲ୍ ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରବାଲ୍ । ରତ୍ନ ଲୁଟ୍ ଜଣାପଡିଯିବା ଭୟରେ ଓରଜିନାଲ୍ ଚାବିକୁ ସମୁଦ୍ରରେ ଫିଙ୍ଗି ଦିଆଯାଇଥିଲା । ଅରବିନ୍ଦ ଅଗ୍ରୱାଲଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ବାଡଗ୍ରାହୀ ।
ସେପଟେ, ସରକାରକୁ ବ୍ରିଟିଶ ଶାସନ ଭଳି ଏକଛତ୍ରବାଦ ଶାସନର ଉଦାହରଣ ଦେଇଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର । ବାରମ୍ବାର ଦାବି ପରେ ବି ପୂର୍ବ ସରକାର ଖୋଲୁନଥିଲେ ରତ୍ନଭଣ୍ଡାର । ସାଢେ ଚାରିକୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇଛନ୍ତି ବିଜେପି ସରକାର । ରତ୍ନଭଣ୍ଡାର ଖୋଲାଯିବା ପରେ ଗଣତିମଣତି ପ୍ରକ୍ରିୟା ଚାଲିବ । ଯେହେତୁ ଦିଅଁମାନେ ରତ୍ନସିଂହାସନରେ ବିରାଜିତ ଅଛନ୍ତି ତେଣୁ ସଂଧ୍ୟା ୬ଟା ପହୁଡ ହେବା ପରେ କାମ ଆରମ୍ଭ ହେବା ଦରକାର ବୋଲି ସେ ପରାମର୍ଶ ଦେବା ସହିତ ଏବେର ସରକାର ରଘୁନାଥ ବେଶ କଲେ ସବୁଦିନ ଲାଗି ମନେ ରହିବ ବୋଲି ସେ କହିଛନ୍ତି । ତେବେ ଚାବି ପ୍ରସଙ୍ଗରେ ସେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।
