ଦାରା ସିଂହଙ୍କ ମୁକ୍ତି ପାଇଁ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡକୁ ପ୍ରସ୍ତାବ ପଠାଇଲା ଜେଲ୍ ବିଭାଗ

ଜେଲରୁ ମୁକୁଳିବେ ଦାରା ସିଂ ! ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡକୁ ପ୍ରସ୍ତାବ ପଠାଇଲା ଜେଲ ବିଭାଗ। ରାଜ୍ୟର ସମସ୍ତ ଜେଲରେ ଆଜୀବନ ସଜା କାଟୁଥିବା ୮୫ ଜଣ କଏଦୀଙ୍କ ତାଲିକା ପଠା ଯାଇଛି। ଯେଉଁଥିରେ ଦାରା ସିଂଙ୍କ ନାଁ ରହିଛି। କେଉଁଝର ଜିଲ୍ଲା ମନୋହରପୁରରେ ୧୯୯୯ରେ ଗ୍ରାହମ ଷ୍ଟେନ୍ ଓ ଦୁଇ ପୁଅଙ୍କୁ ପୋଡ଼ି କରାଯାଇଥିଲା ହତ୍ୟା । ଦୋଷୀ ଭାବେ ଦାରା ସିଂ ଓ ମହେନ୍ଦ୍ର ହେମ୍ବ୍ରମଙ୍କୁ ମିଳିଥିଲା ଆଜୀବନ ସଜ୍ଜା ।
ଜେଲ ଜିଡିଙ୍କ ସୂଚନା ଅନୁଯାୟୀ ଏବେ ଦାରା ସିଂଙ୍କ ଜେଲରୁ ଖଲାସ ହେବାର ରାସ୍ତା ଏକପ୍ରକାର ସଫା। କାରଣ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଅପରାଧ ଯେତେ ଜଘନ୍ୟ ହୋଇଥିଲେ ବି ୨୫ ବର୍ଷ ଜେଲ ସଜା କାଟିବା ପରେ ତାଙ୍କ ନାଁ ଦଣ୍ଡ ସମୀକ୍ଷା ବୋର୍ଡକୁ ପଠାଯାଇପାରିବ। ଏବେ ସେହି ଆଧାରରେ ୮୫ କଏଦୀଙ୍କ ତାଲିକା ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡକୁ ପଠାଇଛି ଜେଲ ବିଭାଗ। ସେଥିରେ ଦାରା ସିଂଙ୍କ ନାଁ ବି ରହିଛି। ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ୍ ଓ ଦୁଇ ପୁଅଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗତ ୨୫ ବର୍ଷ ହେବ କେନ୍ଦୁଝର ଜେଲରେ ଆଜୀବନ ସଜା କାଟୁଛନ୍ତି ଦାରା ସିଂ।
ଗତ ସପ୍ତାହରେ ଏହି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗିଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ମୁକ୍ତ କରାଯାଇଥିଲା। ତେବେ ବେଆଇନ୍ ଧର୍ମାନ୍ତରୀକରଣ ଓ ଗୋହତ୍ୟାକୁ ବିରୋଧ କରୁଥିବାରୁ ସେମାନଙ୍କୁ ମିଛରେ ଫସାଇ ଦିଆଯାଇଥିଲା ବୋଲି ଜେଲରୁ ମୁକିଳିବା ପରେ କହିଥିଲେ ମହେନ୍ଦ୍ର। ୧୪ ବର୍ଷ ଜେଲ ସଜ୍ଜା ଭୋଗିବା ପରେ ମୁକୁଳିବା ପାଇଁ ରାଜ୍ୟପାଳ ଅନୁମତି ଦେଇଥିଲେ। କିନ୍ତୁ ସେତେବେଳେ ବିଜେଡି ସରକାର ଫାଇଲକୁ ଉଦ୍ୟେଶମୂଳକ ଭାବେ ଚାପି ରଖିଲେ । ଯାହା ଫଳରେ ୧୪ ବଦଳରେ ୨୫ ବର୍ଷ ଜେଲ ସଜା କାଟିବାକୁ ପଡ଼ିଲା ବୋଲି ଅଭିଯୋଗ କରିଥିଲେ ମହେନ୍ଦ୍ର।
୧୯୯୯ ଜାନୁଆରୀ ୨୧ ରାତିରେ କେନ୍ଦୁଝର ଜିଲ୍ଲା ମନୋହରପୁରରେ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟେନ ଏବଂ ତାଙ୍କ ଦୁଇ ପୁଅ ୧୦ ବର୍ଷୀୟ ଫିଲିପ୍ ଓ ୬ ବର୍ଷୀୟ ତିମୋଥୀ ଗାଡ଼ିରେ ଶୋଇଥିବା ବେଳେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ପୋଡ଼ି ହୋଇ ୩ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା। ଘଟଣାକୁ ସମସ୍ତେ ନିନ୍ଦା କରିଥିବା ବେଳେ ବେଆଇନ୍ ଧର୍ମାନ୍ତରୀକରଣକୁ ମଧ୍ୟ ବିରୋଧ କରାଯାଇଥିଲା। ଦୋଷୀଙ୍କୁ ଧରିବାକୁ ତତ୍ପରତା ଦେଖାଇଥିଲେ ତତକାଳୀନ ବିଜେଡି ସରକାର ।
ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କ ସମେତ ୨୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ୨୦୦୩ରେ ନିମ୍ନ ଅଦାଲତ ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ମହେନ୍ଦ୍ର ହେମ୍ବ୍ରମଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ଏହାକୁ ଦାରା ସିଂଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୨୦୦୫ରେ ଓଡ଼ିଶା ହାଇକୋର୍ଟ ଦାରା ସିଂଙ୍କ ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ଆଦିବାସୀ ଇଲାକାରେ ବେଆଇନ୍ ଧର୍ମାନ୍ତରୀକରଣ ଓ ଗୋହତ୍ୟା ବିରୋଧରେ କାମ କରୁଥିବା ସାମାଜିକ କର୍ମୀମାନେ ଏବେ ଦାରା ସିଂ ଓ ମହେନ୍ଦ୍ରଙ୍କୁ ନିର୍ଦ୍ଦୋଶ ବୋଲି ଦାବି କରୁଛନ୍ତି ।
ସେହିପରି ୨୦୧୩ ଜୁନ ୨୩ ତାରିଖରେ ଭୁବନେଶ୍ବର ନୟାପଲ୍ଲୀର ବହୁ ଚର୍ଚ୍ଚିତ ପତ୍ନୀ ହନ୍ତା ସ୍ୱାମୀ ସୋମନାଥ ପରିଡ଼ାଙ୍କ ନାଁ ବି ମୁକ୍ତ ପାଇଁ ଦଣ୍ଡ ସମୀକ୍ଷା ବୋର୍ଡକୁ ସୁପାରିଶ ହୋଇଛି । ସୋମନାଥ ପତ୍ନୀଙ୍କୁ ହତ୍ୟା କରିବା ପରେ 300 ଖଣ୍ଡ କରି ଦେଇଥିଲେ। ସେ ବି ଆଜୀବନ ସଜ୍ଜା କାଟୁଛନ୍ତି । ଜେଲରୁ ମୁକ୍ତି ପାଇଁ ତାଙ୍କ ନାଁ ପୂର୍ବରୁ ସୁପାରିଶ କରାନଯିବା ବିରୋଧରେ ଦାରା ସିଂ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯାହାର ଶୁଣାଣି ମେ ୫ ରେ ହେବ । ରାଜ୍ୟ ସରକାର ଏନେଇ କୋର୍ଟରେ ରିପୋର୍ଟ ଦାଖଲ କରିସାରିଥିବା ବେଳେ ତାଙ୍କୁ ମଧ୍ୟ ମୁକ୍ତି ମିଳିବ ବୋଲି ତାଙ୍କ ସମର୍ଥକ ଆଶାବାଦୀ ।