ସମବାୟ ବ୍ୟାଙ୍କରେ ବିକ୍ରି ହୁଏ ଚାକିରି, ଦରମାରେ ଚାଲେ ପିସି କାରବାର୍ !

ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଚାକିରି ବିକ୍ରି ଅଭିଯୋଗ । ଆଉଟ ସୋର୍ସିଂ କର୍ମଚାରୀଙ୍କ ମଧ୍ୟରେ କିଏ ୨ ଲକ୍ଷ ତ ଆଉ କିଏ ୫୦ ହଜାର ଦେଇ ବ୍ୟାଙ୍କରେ ଚାକିରି ପାଇଥିଲେ । ଯେବେ ନୂଆ ବୋର୍ଡ ଗଠନ ହେଲା ନୂଆ ସଭାପତି ପୁଣି ୭୦ ହଜାର ଟଙ୍କା ଡିମାଣ୍ଡ କଲେ। ଯେଉଁମାନେ ଦେବାକୁ ମନା କଲେ ତାଙ୍କୁ ଚାକିରିରୁ ବିଦା କରିଦିଆଯାଇଥିବା ଅଭିଯୋଗ ହୋଇଛି ।
ଆଶ୍ଚର୍ଯ୍ୟର କଥା ୨୦୨୪ ଅଗଷ୍ଟରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବିନା କାରଣରେ ଚାକିରିରୁ ବାହାର କରିଦିଆଗଲା। ଆଉ ଯେଉଁମାନେ ବ୍ୟାଙ୍କ ସଭାପତି ନରେନ୍ଦ୍ର ପ୍ରଧାନଙ୍କ କଥାରେ ରାଜି ହେଲେ ସେମାନଙ୍କୁ ସପୋର୍ଟ ଷ୍ଟାଫ୍ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ କରିଛନ୍ତି କିଛି ଛଟେଇ ହୋଇଥିବା କର୍ମଚାରୀ। ଏପଟେ ଆଉଟ ସୋର୍ସିଂ କର୍ମଚାରୀଙ୍କ ପାଇଁ ହେଉଥିବା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସବୁ ଗୋଲମାଲ୍।
ଇଏ ତ ଆଉଟସୋର୍ସିଂ କର୍ମଚାରୀଙ୍କ କହାଣୀ। କିଛି ବର୍ତ୍ତମାନର କର୍ମଚାରୀ ଓ ଆଉ କିଛି ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ କେମିତି ପିସି ନେଇଛନ୍ତି ଶୁଣିଲେ ମୁଣ୍ଡରେ ହାତ ଦେବେ। ସପ୍ତମ ବେତନ କମିଶନର ଏରିୟର ଟଙ୍କା ମିଳିଲା ବେଳକୁ ତଥାକଥିତ ୟୁନିୟନର ସଭାପତି ତଥା ଯୋଗ୍ୟତା ନଥାଇ ବ୍ୟାଙ୍କର ବଡ଼ ପଦବୀ ମଣ୍ଡନ କରିଥିବା ଅବିନାଶ ପତି କୁଆଡ଼େ ଏରିୟର ଟଙ୍କାରୁ ୧୦ ପ୍ରତିଶତ କ୍ୟାସ୍ ନଦେଲେ ଏରିୟର ଟଙ୍କା ରିଲିଜ୍ କରାଯିବ ନାହିଁ ବୋଲି ଧମକାଇଥିଲେ। ଯାହାଫଳରେ ସମସ୍ତ କର୍ମଚାରୀ ନିଜ କଷ୍ଟ ଅର୍ଜିତ ଏରିୟର ଟଙ୍କାରୁ ୧୦ ପର୍ସେଣ୍ଟ ଅବିନାଶ ଓ କିଛି ଅଧିକାରୀଙ୍କୁ ଦେଇଥିଲେ।
ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କ ଏରିୟର ଟଙ୍କାରୁ ୟୁନିଅନ ନାଁରେ ୨ ପର୍ସେଣ୍ଟ କାଟିଥିଲେ। ଖାଲି କଣ ଏତିକି ଅବସରପ୍ରାପ୍ତ କର୍ମଚାରୀଙ୍କ ପିଏଫ୍ ଏରିୟର ଟଙ୍କାରୁ ମଧ୍ୟ ପର୍ସେଣ୍ଟେଜ୍ ଛାଡ଼ିନାହାଁନ୍ତି ଏହି ବାବୁ ମାନେ। ଏଥିରୁ ମଧ୍ୟ ୧୨ ପର୍ସେଣ୍ଟ ଟଙ୍କା ନେଇ ମାଲାମାଲ୍ ହୋଇଛନ୍ତି। ଏହା ଆମେ କହୁନୁ ବରଂ ଯାହାଙ୍କୁ ଲୁଟିଛନ୍ତି ସେମାନେ କହୁଛନ୍ତି ।
ବ୍ୟାଙ୍କର କମ୍ପ୍ୟୁଟର ସେଲ୍ ପାଇଁ ସିଷ୍ଟମ ମ୍ୟାନେଜର ନିଯୁକ୍ତ ହୁଅନ୍ତି। ଯେଉଁଥିପାଇଁ ବିଧିବଦ୍ଧ ପୋଷ୍ଟ ବାହାରେ, ପରୀକ୍ଷା ଦିଅନ୍ତି ଓ ନିଯୁକ୍ତ ହୁଅନ୍ତି। ବରଗଡ଼ରେ ଦୁଇଜଣ କମ୍ପ୍ୟୁଟର ସେଲ୍ ପାଇଁ ନିଯୁକ୍ତ ମଧ୍ୟ ହୋଇଥିଲେ। ହେଲେ ସେଲରେ ଅବିନାଶ ପତିଙ୍କୁ ବସାଇବା ପାଇଁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏକ ବ୍ରାଞ୍ଚକୁ ଟ୍ରାନ୍ସଫର୍ କରିଦିଆଗଲା। ଆଉ ଏବେ ଯୋଗ୍ୟତା ନଥାଇ ତଥାକଥିତ ୟୁନିୟନର ପ୍ରେସିଡେଣ୍ଟ ଅବିନାଶ ବାବୁ ହେଉଛନ୍ତି କମ୍ପ୍ୟୁଟର ସେଲ ମୁଖିଆ। ଏଥିରୁ ଅନୁମେୟ କେମିତି ଚାଲିଛି ବ୍ୟାଙ୍କ। ଏପଟେ ମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ଧରପଡ଼ିବେ ବଡ଼ ବଡ଼ ମୂଷା।