ଆଜିଠୁ ଆରମ୍ଭ ହେଉଛି ଯୋରନ୍ଦା ମାଘ ମେଳା , ଲକ୍ଷାଧିକ ଭକ୍ତଙ୍କ ହେବ ସମାଗମ

ଅର୍ଗସ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଯୋରନ୍ଦା ମାଘ ମେଳା । ମହଣ ମହଣ ଘିଅରେ ବିଶ୍ବର କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ । ଚଳିତ ବର୍ଷ ପାଗ ଅନୁଗୁଳ ଥିବାରୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରୁ ଦୁଇ ଦିନ ଧରି ଚାଲିବ ମେଳା। ସନ୍ଧ୍ୟାରେ ଗାଦୀ ମନ୍ଦିର, ଶୂନ୍ୟ ମନ୍ଦିର, ଜ୍ୟୋତି ମନ୍ଦିର ଓ ଦଲକ ଅଞ୍ଚଳରେ ବିରାଟକାୟ ଝାଡ ଦୀପ ଜଳିବ। ମହିମା ଅଲେଖ _ଧ୍ବନୀରେ ପ୍ରକମ୍ପିତ ହେବ ଯୋରନ୍ଦା ପୀଠ । ଚଳିତ ବର୍ଷ ୧୫୨ ତମ ଯୋରନ୍ଦା ମାଘ ମେଳାରେ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗାଦୀ ମନ୍ଦିର ସମ୍ମୁଖରେ ସ୍ବତନ୍ତ୍ର ବ୍ୟାରିକେଡ କରାଯାଇଛି। ମେଳାରୁ ଦୁଇ ପଇସା ରୋଜଗାର ଆଶାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଠା ବ୍ୟବସାୟୀମାନେ ଆସି ପସରା ମେଲାଇ ସାରିଲେଣି।
ଜୋରନ୍ଦା ଗାଦିରେ ସମବେତ ହୋଇଥିବା ପୂଜ୍ୟ ସାଧୁସନ୍ଥ ଏବଂ ଭକ୍ତମାନଙ୍କୁ ପବିତ୍ର ମାଘମେଳାର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି ଜୋରନ୍ଦା ମାଘ ମେଳା, ବିଶ୍ବ କଲ୍ୟାଣ ପାଇଁ ପୂଜ୍ୟ ମହିମା ସାଧୁମାନଙ୍କ ଏକତା ଏବଂ ସମୂହ ପ୍ରାର୍ଥନା ମେଳା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିମା ଦର୍ଶନରେ ଅନୁପ୍ରାଣିତ ଏବଂ ମହିମାଗାଦିର ବିକାଶ ପାଇଁ ସବୁବେଳେ ଚେଷ୍ଟିତ । ସିଏସଆର ପ୍ରକଳ୍ପ ଅଧୀନରେ ୧୦ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର। ଏହି ବ୍ୟବସ୍ଥା ଦ୍ୱାରା ସାନ ମଠ, ବଡ ମଠ, ଯାତ୍ରା ପଡ଼ିଆ ସମେତ ୧୦ଟି ମଠ ଓ ସର୍ବସାଧାରଣ ସ୍ଥାନକୁ ପାଇପ ଯୋଗେ ୨୪ ଘଣ୍ଟା ସ୍ୱଚ୍ଛ ପାନୀୟ ଜଳ ଯୋଗାଯିବ ।