କାଳବୈଶାଖୀ ତାଣ୍ଡବ: କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ବିଭିନ୍ନ ଗାଁରେ କାଳବୈଶାଖୀ ତାଣ୍ଡବ । କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରକୃତିର କୋପରେ ଯେମିତି ଶ୍ରୀହୀନ ହୋଇପଡ଼ିଛି ଭଞ୍ଜଭୂମି। ଆଖି ଆଗରେ ଉଜୁଡି ଗଲା ଘର , ଉଡିଗଲା ଛାତ, ଭାଙ୍ଗିଗଲା ସବୁ ସ୍ଵପ୍ନ। ମାତ୍ର କିଛି ସମୟ ଭିତରେ ମାଟିରେ ମିଶିଗଲା ସବୁ କିଛି। କୁଆପଥର ମାଡ଼ରେ ଛାରଖାର ବିଶୋଇ ଓ ବାଙ୍ଗିରିପୋଷି ବ୍ଲକର ବିସ୍ତୃତ ଅଞ୍ଚଳ ଧ୍ୱସ୍ତ ବିଧ୍ୱସ୍ତ। ମାଟିରେ ମିଶିଛି ପରିବା ଚାଷ। ଭାଙ୍ଗି ଯାଇଛି ଚାଷୀର ମେରୁଦଣ୍ଡ। ବିପନ୍ନ ଲୋକେ ଛୁଆ ପିଲାଙ୍କୁ ଧରି ସ୍କୁଲ ବା କାହା ପକ୍କା ଘରେ ମୁଣ୍ଡ ଗୁଞ୍ଜିଛନ୍ତି, ଆଉ ଗୃହପାଳିତ ପଶୁଙ୍କ କଥା କହିଲେ ନସରେ। କ୍ଷତିଗ୍ରସ୍ତ ଲୋକଙ୍କ ଅବସ୍ଥା ବୁଝିଛନ୍ତି ସାରସକଣା ବିଧାୟକ । ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ । ଏ ବାବଦରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ନୋଡ଼ାଲ ଅଧିକାରୀ ନିୟୋଜିତ ହୋଇଛନ୍ତି । ଆଜି ମୟୁରଭଞ୍ଜ ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।
ସେପଟେ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ଦୁଇ ଦିନ ବନ୍ଦ ରହିବ ଶିମିଳିପାଳ । ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗୀନେନି । ଗତକାଲି ଠାରୁ ମୟୁରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିବା ସହ କୋହଲା ପାଗ ଜାରି ରହିଛି । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଭଞ୍ଜବସାଠାରେ ସର୍ବାଧିକ ୭୩.୪୦୬ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି । ସେହିପରି ରାମତୀର୍ଥ ରେ ୫୯.୬୯ , ବରେହିପାଣିରେ ୫୦.୦୩୮ ,ବାରିପଦା ରେ ୫୦.୨୯୨ , ପୋଡାଡିହା ରେ ୪୬.୨୨୮, କେନ୍ଦୁମୁଣ୍ଡି ରେ ୪୬.୯ , ପିଠାବାଟା ରେ ୩୩.୦୨, ସାତକୋଶିଆ ଠାରେ ୩୦.୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: