Dhauli / ୫୩ ବର୍ଷରେ ପଦାର୍ପଣ କଲା ଧଉଳି ଶାନ୍ତି ସ୍ତୁପ

Key Points
ଧଉଳି ଶାନ୍ତିସ୍ତୁପ । ଯିଏ ସାରା ବିଶ୍ୱକୁ ଦେଇଥାଏ ଶାନ୍ତିର ବାର୍ତ୍ତା । ଯେଉଁଠି ଚଣ୍ଡାଶୋକ ବି ପାଲଟିଯାଇଥିଲା ଧର୍ମାଶୋକ । ଦୟା ନଦୀକୁ ଲାଲ ରକ୍ତରେ ରଙ୍ଗୀନ କରିବା ପରେ ସମ୍ରାଟ ଅଶୋକ ଏଇଠି ଚଣ୍ଡାଶୋକରୁ ପାଲଟିଯାଇଥିଲେ ଧର୍ମାଶୋକ । ହିଂସାକୁ କରିଥିଲେ ପରିତ୍ୟାଗ । ଆଜି ସେଇ ଶାନ୍ତିସ୍ତୁପରେ ଫୁଜି ଗୁରୁଜୀଙ୍କୁ ମନେ ପକାଇ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ତାଙ୍କ ଶାନ୍ତି ବାର୍ତ୍ତାକୁ ସବୁବେଳେ ମନେ ରଖିବା ପାଇଁ ଦିଆଯାଇଛି ଆହ୍ୱାନ । କାରଣ ତାଙ୍କ ଶାନ୍ତି ବାର୍ତ୍ତା ଆଜି ବି ସାରା ବିଶ୍ୱ କରୁଛି ପାଳନ ।
ଫୁଜି ଗୁରୁଜୀ କହିଥିଲେ, ସତ୍ୟ ଓ ଶକ୍ତି କେବଳ ସେତେବେଳେ ସମ୍ଭବ ଯେତେବେଳେ ସବୁ ଦେଶମାନଙ୍କ ମଧ୍ୟରେ ଶ୍ରଦ୍ଧା, କରୁଣା, ନିସ୍ୱାର୍ଥତା ଓ ଏକତା ଉତ୍ପନ୍ନ ହେବ । ଆଉ ତାପରେ ସାରା ବିଶ୍ୱରେ ଶାନ୍ତି ଖେଳିଯିବ । ପ୍ରତ୍ୟେକ ବ୍ୟକ୍ତି ଶାନ୍ତିରେ ଜୀବନ ଯାପନ କରିବ । ତେବେ ତାଙ୍କର ଏହି ବାର୍ତ୍ତାକୁ ମନେ ପକାଇ କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ପକ୍ଷରୁ ଭୁବନେଶ୍ୱର ଧଉଳିସ୍ଥିତ ଧଉଳି ଶାନ୍ତିସ୍ତୁପର ୫୩ତମ ବାର୍ଷିକ ସ୍ମାରକି ସେବା ଦିବସ ପାଳିତ ହୋଇଯାଇଛି । ଏହି ଶାନ୍ତିସ୍ତୁପ ପାଇଁ ଯେଉଁମାନେ ଅତୁଳନୀୟ ଅବଦାନ ରହିଛି, ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଏହି ସ୍ମାରକୀ ସେବା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ସାଧୁ ସନ୍ଥଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ, ଆଇନଜୀବୀ, ବଡ଼ ବଡ଼ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ । ଏହି ଅବସରରେ ବୌଦ୍ଧ ପ୍ରାର୍ଥନା ଗାନ କରାଯିବା ସହ ପୁଷ୍ପାଞ୍ଜଳି ମଧ୍ୟ ଦିଆଯାଇଥିଲା । ଫୁଜି ଗୁରୁଜୀଙ୍କୁ ମନେ ପକାଇ, ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଫୁଜି ଗୁରୁଜୀଙ୍କ ଉଦ୍ୟମରେ ୧୯୭୨ରେ ଧଉଳିସ୍ଥିତ ଶାନ୍ତି ସ୍ତୁପ ସ୍ଥାପନ କରାଯାଇଥିଲା ।
ଏହି ସମାରୋହରେ ସମୀର ମହାନ୍ତି, ଅନୀଲ ଧୀର, ଇଞ୍ଜିନିଅର ଦୀପ୍ତିରେଖା ପଟ୍ଟନାୟକ, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ସମ୍ପାଦକ ଲିଉ କ୍ୟୁ ୟୋନ୍ ଏବଂ ସଂଘର ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥତ ରହି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଯେଉଁମାନେ ଏହି ସୁନ୍ଦର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏଥିରେ ସାମିଲ ହୋଇଛନ୍ତି ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।
ସଂଘର ଡେଭଲପମେଣ୍ଟ କୋର୍ଡିନେଟର ରବି ମହାରଣା, ବୁଦ୍ଧଙ୍କ ଆଦର୍ଶ - ଅହିଂସା, କରୁଣା ଏବଂ ଶାନ୍ତିକୁ ମାନବତାର ମାର୍ଗଦର୍ଶୀ ନୀତି ଭାବରେ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି ।
୫୩ତମ ଏହି ସ୍ମାରକୀ ସେବା କାର୍ଯ୍ୟକ୍ରମ ବିଶ୍ୱ ଶାନ୍ତି ପ୍ରତି ପୁନଃ ସମର୍ପଣର ଏକ ମୁହୂର୍ତ୍ତ । ଯାହା ଧଉଳିର ଐତିହାସିକ ଗୁରୁତ୍ୱକୁ ପ୍ରତିଫଳିତ କରିଛି । କାରଣ ଏହା ସେହି ସ୍ଥାନ ଯେଉଁଠାରେ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ହିଂସା ପରିତ୍ୟାଗ କରି ଚଣ୍ଡାଶୋକରୁ ଧର୍ମାଶୋକରୂପେ ପରିଚିତ ହୋଇଥିଲେ ।
📱 Get Argus News App
✨Related Topics
Explore more stories