Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଡନୀ ପ୍ରତିରୋପଣ ପୂର୍ବରୁ ଚାଲିଗଲେ କରେନ୍ଦ୍ର, ଝୁରୁଛି କନ୍ଧମାଳ

Sushanta Sahoo
Browse all articles by Sushanta Sahoo
·10 months ago·2 min read
କିଡନୀ ପ୍ରତିରୋପଣ ପୂର୍ବରୁ ଚାଲିଗଲେ କରେନ୍ଦ୍ର, ଝୁରୁଛି କନ୍ଧମାଳ

Key Points

ରବିବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ କରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ୨ ଥର ବାଲିଗୁଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ କେନ୍ଦ୍ରମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲାର ଜଣେ ଉଦୀୟମାନ ନେତା କରେନ୍ଦ୍ର ମାଝୀ ଆଉ ନାହାନ୍ତି । ରବିବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ କରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ୨ ଥର ବାଲିଗୁଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ । ୨୦୦୪ ଓ ୨୦୦୯ରେ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କରେନ୍ଦ୍ରଙ୍କ ବିୟୋଗରେ ବିଜେପି ତାର ଜଣେ ଟାଣୁଆ ନେତାଙ୍କୁ ହରାଇଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ କେନ୍ଦ୍ରମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।


କୁଟିଆ କନ୍ଧ ସମ୍ପ୍ରଦାୟରୁ ଆସୁଥିବା କରେନ୍ଦ୍ର ଥିଲେ ତାଙ୍କ ସମ୍ପ୍ରଦାୟର ପ୍ରଥମ ଗ୍ରାଜୁଏଟ୍ ଓ ପ୍ରଥମ ପୋଷ୍ଟ ଗ୍ରାଜୁଏଟ୍ । ୧୯୭୩ ମସିହା ଜାନୁଆରୀ ୪ରେ କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଗୁମା ପଞ୍ଚାୟତ ଫେଡମ ପଞ୍ଚାୟତରେ ଜନ୍ମଗ୍ରହଣ କରିଥିଲେ କରେନ୍ଦ୍ର । ୧୯୯୩ରେ ଫୁଲବାଣୀ କଲେଜରେ ଛାତ୍ର ସଭାପତି ହୋଇଥିଲେ । ସ୍ନାତକ ପରେ ଚାଷ ବୃତ୍ତି ଆପଣାଇଥିଲେ କରେନ୍ଦ୍ର ମାଝୀ ।


୨୦୨୪ ସାଧାରଣ ନିର୍ବାଚନ ପରେ କିଡନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ । ଆସନ୍ତା ଗୁରୁବାର ଦିନ ଭୁବନେଶ୍ଵରର ଏକ ହସ୍ପିଟାଲ ତାଙ୍କର କିଡନୀ ପ୍ରତିରୋପଣ ହେବାର ଥିଲା । ହେଲା ତା'ପୂର୍ବରୁ ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।


କରେନ୍ଦ୍ରଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦଳର ବରିଷ୍ଠ ନେତା ତଥା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବିଳମ୍ବିତ ରାତିରେ ହସ୍ପିଟାଲରେ ପହଞ୍ଚି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।


କରେନ୍ଦ୍ର ମାଝୀଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଆମ ଦଳର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗ ଖବର ଶୁଣି ମର୍ମାହତ । ନିଜ ନିର୍ବାଚନମଣ୍ଡଳୀ ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟ ତାଙ୍କୁ ଚିରସ୍ମରଣୀୟ ରଖିବ ବୋଲି ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କରେନ୍ଦ୍ର ମାଝୀ ଜଣେ ସରଳ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ଜନଜାତିଙ୍କ କଲ୍ୟାଣ ଓ ସେବା ଦିଗରେ ସବୁବେଳେ ତତ୍ପର ରହୁଥିଲେ ବୋଲି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବାଲିଗୁଡ଼ା ପାଇଁ ସେ କରିଥିବା ଜନ କଲ୍ୟାଣକାରୀ କାର୍ଯ୍ୟ ତାଙ୍କୁ ଚିର ସ୍ମରଣୀୟ କରି ରଖିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।


ଅମର ଆତ୍ମାର ସଦ୍‌ଗତି କାମନା, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦଳ ପାଇଁ ତାଙ୍କର ନିଷ୍ଠାପର ଭାବନା ଓ କର୍ମ ତତ୍ପରତା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ ଏକ୍ସ ପୋଷ୍ଟରେ ଲେଖିଛନ୍ତି ।


ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଜନସେବା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ସବୁଦିନ ପାଇଁ ମନେ ରହିବ ବୋଲି ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Former MLA Karendra Majhi Passes Away Before Kidney Transplant; Odisha Mourns | Argus News | Argus News