ଜାଗରରେ ଶିବଙ୍କୁ କେଉଁ ଫୁଲ ଅର୍ପଣ କଲେ ସବୁ ମନସ୍କାମନା ହୁଏ ପୂରଣ

ଆଜି ପବିତ୍ର ମହାଶିବରାତ୍ରି। ସବୁ ଦେବାଦେବୀଙ୍କୁ ଫୁଲ ଚଢ଼ାଯାଏ। ଫୁଲ ଅର୍ପଣ ବିନା କୌଣସି ପୂଜା ସମ୍ପନ୍ନ ହୁଏ ନାହିଁ। ଦେବ ଦେବ ମହାଦେବଙ୍କୁ ଶିବରାତ୍ରିରେ ଅଭିଷେକ କରିବା ପାଇଁ ଲାଗି ହୋଇଥାଏ କ୍ଷୀର, ବେଲପତ୍ର, ଲହୁଣି ଏବଂ ବିଭିନ୍ନ ପ୍ରକାରର ଫୁଲ। ଫୁଲ ପ୍ରତି ଅନ୍ୟ ଦେବାଦେବୀଙ୍କ ପରି ମହାଦେବଙ୍କର ରହିଥାଏ ବହୁତ ଶ୍ରଦ୍ଧା। ଫୁଳ ମାନଙ୍କ ମଧ୍ୟରୁ ଧବଳ ରଙ୍ଗର ଫୁଲ ମଙ୍ଗଳମୟ ଶିବଙ୍କର ଅତି ପ୍ରିୟ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି। ଚମ୍ପା, ଗୟେଶ, ଅରଖ, କନିଅର, ଦୁଦୁରା, ନାଗେଶ୍ବର ଫୁଲ ବର୍ଷତମାମ ମହାଦେବଙ୍କ ମସ୍ତକରେ ବର୍ଷ ତମାମ ଲାଗି ହେଉଥିବାବେଳେ ଭଗବାନ ଶିବଙ୍କୁ କେତକୀ ଫୁଲ କେବଳ ମହାଶିବରାତ୍ରିରେ କାହିଁକି ଅର୍ପଣ କରାଯାଏ ଜାଣିଛନ୍ତି କି ଏହାର କାରଣ। ଚାଲନ୍ତୁ ଜାଣିବା।
ମହାଶିବରାତ୍ରିରେ ମହାଦେବଙ୍କୁ କେତକୀ ଫୁଲ ଅର୍ପଣ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି। କେତକୀ ଫୁଲ ଦେଖିବାକୁ ଚମ୍ପା ଫୁଲ ପରି ହଳଦିଆ ଏବଂ ସୁଗନ୍ଧଯୁକ୍ତ। କେତକୀ ଫୁଲକୁ ସଂସ୍କୃତରେ ଦୀର୍ଘପତ୍ରୀ ଜମ୍ବୁଳ, ହିନ୍ଦୀରେ କେଓ୍ବଡା, ତେଲୁଗୁରେ ମୋଗଲି ଏବଂ ବଙ୍ଗଳାରେ କେଆ ବୋଲି କୁହାଯାଏ। କେତକୀ ଗଛ ଦେଖିବାକୁ ଠିକ କିଆ ଗଛ ପରି। କିନ୍ତୁ ଉଚ୍ଚତାରେ ଏହା କିଆ ଠାରୁ ବଡ଼। ପତ୍ରଗୁଡ଼ିକ ମଧ୍ୟ କିଆ ପତ୍ର ଠାରୁ ସାମାନ୍ୟ ବଡ଼।
📱 Get Argus News App
✨ଶିବ ପୁରାଣ ଅନୁସାରେ ଏକଦା ବ୍ରହ୍ମା ବିଷ୍ଣୁଙ୍କ ମଧ୍ୟରେ ବଡ଼ପଣକୁ ନେଇ ବିବାଦ ସୃଷ୍ଟି ହେଲା। ଦସୁହେଁ ମହାଦେବଙ୍କ ନିକଟରେ ପହଞ୍ଚିଲେ। ସେହି ସମୟରେ ଦେବ ଦେବ ମହାଦେବ ଏକ ଜ୍ୟୋତିସ୍ତମ୍ଭ ରୂପେ ବ୍ରହ୍ମା ବିଷ୍ଣୁଙ୍କ ନିକଟରେ ଆବିର୍ଭୂତ ହେଲେ। ଜ୍ୟୋତିସ୍ତମ୍ଭର ଆଦି ଏବଂ ଅନ୍ତ ଜାଣିବାକୁ ସେ ଦୁହିଁଙ୍କୁ ଆଦେଶ ଦେଲେ। ଭଗବାନ ବିଷ୍ଣୁ ଶିବଙ୍କର ଅନ୍ତ ଜାଣିବାକୁ ବରାହ ବାହନରେ ଲିଙ୍ଗର ନିମ୍ନ ଭାଗକୁ ଏବଂ ବ୍ରହ୍ମା ହଂସ ବାହନରେ ଅଗ୍ର ଭାଗକୁ ଯାତ୍ରା କଲେ। ଏମିତି ଅନେକ ଦିନ ବିତିଗଲା। ଉଭୟ ବ୍ରହ୍ମା ଏବଂ ବିଷ୍ଣୁ ଜ୍ୟୋତିସ୍ତମ୍ଭର ଆଦି ଏବଂ ଅନ୍ତ ଦର୍ଶନ କରିପାରିଲେ ନାହିଁ। ଉଭୟ ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ବ୍ରହ୍ମା ଅଗ୍ରଭାଗରୁ ଲେଉଟି ଆସୁଥିବାବେଳେ ଦେଖିଲେ ସ୍ତମ୍ଭର ଶୀର୍ଷରୁ କେତକୀ ଫୁଲଟିଏ ଖସି ଆସୁଛି। ଜ୍ୟୋତିସ୍ତମ୍ଭର ଅଗ୍ରଭାଗର ଅବସ୍ଥିତି ସମ୍ପର୍କରେ ବ୍ରହ୍ମା କେତକୀଙ୍କୁ ପଚାରିଲେ କେତକୀ ଜ୍ୟୋତିସ୍ତମ୍ଭର ଅଗ୍ରଭାଗରେ ପହଞ୍ଚି ନ ପାରି ସ୍କନ୍ଧସ୍ଥଳରୁ ଖସିଆସୁଥିବା ବ୍ରହ୍ମାଙ୍କୁ ଉତ୍ତର ଦେଲା ନିଜର ଅସଫଳତା ସମ୍ପର୍କରେ ବ୍ରହ୍ମା କେତକୀ ଆଗରେ କହିଲେ ଏବଂ କେତକୀଙ୍କର ସାହାଯ୍ୟ ନିବେଦନ କଲେ। ଦେବ ଦେବ ମହେଦେବଙ୍କ ଆଗରେ ମିଛ ସାକ୍ଷୀ ଦେବାକୁ କେତକୀଙ୍କୁ ପ୍ରବର୍ତ୍ତାଇଲେ। କେତକୀ ବି ବ୍ରହ୍ମାଙ୍କ କଥାରେ ରାଜି ହୋଇଗଲା। ଏହାପରେ ଦୁହେଁ ଦେବସଭାକୁ ଆସିଲେ। ବ୍ରହ୍ମା ନିଜର ଗାରିମା ରକ୍ଷା କରିବା ଲାଗି ଜ୍ୟୋତିସ୍ତମ୍ଭର ଅଗ୍ରଭାଗରେ ପହଞ୍ଚିଥିବା ଏବଂ ମହାଦେବଙ୍କ ମଥାରୁ ଉକ୍ତ କେତକୀ ଫୁଲକୁ ଆଣିଥିବା ପ୍ରକାଶ କଲେ।
ମହାଦେବଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଦେବତାମାନଙ୍କ ସମ୍ମୁଖରେ ମିଛ ସାକ୍ଷ୍ୟ ଦେଇ କେତକୀ କହିଲା ଯେ, ବ୍ରହ୍ମା ଜ୍ୟୋତିସ୍ତମ୍ଭର ଅଗ୍ରଭାଗରେ ଉପନୀତ ହୋଇ ମୋତେ ଆଣିଛନ୍ତି। କିନ୍ତୁ ବିଷ୍ଣୁ ଜ୍ୟୋତିସ୍ତମ୍ଭର ନିମ୍ନ ଭାଗରେ ପହଞ୍ଚିବାକୁ ଅସମର୍ଥ ହୋଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ।
ମହାଦେବ ତ ଅନ୍ତର୍ଯ୍ୟାମୀ ବ୍ରହ୍ମା ମିଥ୍ୟା କହୁଥିବାର ସେ ଜାଣିଥିଲେ ବ୍ରହ୍ମା ମିଥ୍ୟା କହୁଥିବାରୁ ମହାଦେବ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ। କି ବ୍ରହ୍ମା ମର୍ତ୍ତ୍ୟମଣ୍ଡଳରେ ସବୁବେଳେ ଅପୂଜ୍ୟ ହୋଇ ରହିବେ। ସେଥିପାଇଁ ବ୍ରହ୍ମା ମର୍ତ୍ତରେ ପୂଜା ପାଆନ୍ତିନି। କେତକୀ ମଧ୍ୟ ମିଥ୍ୟା ସାକ୍ଷୀ ଦେଇଥିବାରୁ ସେ ଏଣିକି ମହାଦେବଙ୍କ ପୂଜାରେ ଆଉ ଲାଗିବ ନାହିଁ ବୋଲି କେତକୀଙ୍କୁ ମଧ୍ୟ ଅଭିଶାପ ମିଳିଥିଲା। ବିଷ୍ଣୁ ସତ୍ୟ କହିଥିବାରୁ ସେ ମର୍ତ୍ତ୍ୟ ଲୋକରେ ବିଷ୍ଣୁଙ୍କ ସହିତ ଏକାତ୍ମ ଭାବେ ହରିହର ନାମରେ ପୂଜିତ ହେବେ। ସେହିଦିନଠାରୁ ମର୍ତ୍ତ୍ୟରେ ବିଷ୍ଣୁ ଏବଂ ଶିବ ହରିହର ରୂପରେ ପୂଜା ପାଉଛନ୍ତି। ଆଉ ବ୍ରହ୍ମା ଅପୂଜ୍ୟ ହୋଇ ରହିଛନ୍ତି। କେତକୀ ବ୍ରହ୍ମାଙ୍କ କଥାରେ ମିଛ ସାକ୍ଷୀ ଦେଇଥିବାରୁ ମହାଦେବଙ୍କ ନିକଟରେ ଆକୁଳ ଭାବେ କ୍ଷମା ପ୍ରାର୍ଥନା କରିଥିଲେ। କେତକୀଙ୍କ ଆକୁଳ ନିବେଦନରେ ସଦୟ ହୋଇ ମହାଦେବଙ୍କ ମସ୍ତକରେ ସବୁଦିନ କେତକୀ ଲାଗିପାରିବ ନାହିଁ ବୋଲି ବଞ୍ଚିତ କରିଥିଲେ ମଧ୍ୟ ମହାଶିବରାତ୍ରି ଦିନ କେତକୀ ଫୁଲ ମହାଦେବଙ୍କ ମସ୍ତକରେ ଲାଗିହେବ ବୋଲି ସୁଯୋଗ ଦେଲେ। ଯେଉଁ ବ୍ୟକ୍ତି ଶିବରାତ୍ରି ଦିନ ଶିବଲିଙ୍ଗରେ କେତକୀ ଫୁଲ ଚଢ଼ାଇବ ସେ ଏକାଧିକ୍ରମେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କର କୃପା ପାଇପାରିବ ବୋଲି ମହାଦେବ ଘୋଷଣା କଲେ। ତେଣୁ ଶିବରାତ୍ରି ଦିନ ଶିବଲିଙ୍ଗରେ କେତକୀ ଫୁଲ ଚଢ଼ାଇବାର ସ୍ବତନ୍ତ୍ର ମହତ୍ତ୍ବ ରହିଆସିଛି।