Videos
|
Odisha

Mayurbhanj News / ମଣିଷ ପାଖରେ ଓ ମଣିଷ ସାଙ୍ଗରେ ବଢିଥିଲା ବାଘ ଖଇରୀ, ଆଜି ତାର ପାଳନ ହୋଇଛି ଜନ୍ମବାର୍ଷିକୀ

Bikash Mohanty
Browse all articles by Bikash Mohanty
·1 hour ago·3 min read
ମଣିଷ ପାଖରେ ଓ ମଣିଷ ସାଙ୍ଗରେ ବଢିଥିଲା ବାଘ  ଖଇରୀ,  ଆଜି ତାର  ପାଳନ ହୋଇଛି ଜନ୍ମବାର୍ଷିକୀ
Khairi

Key Points

ଖଈରୀ ବାଘର ୫୩ ତମ ଜନ୍ମବାର୍ଷିକୀ ପାଳନ
ଜଶିପୁରରେ ଜନ୍ମବାର୍ଷିକୀ ପାଳିଲେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ 
ମଣିଷ ପାଖରେ ଓ ମଣିଷ ସାଙ୍ଗରେ ବଢିଥିବା ବାଘ ଖଈରୀ
ଯଶୀପୁର,୦୫/୧୦: ଜଙ୍ଗଲର ରାଣୀ ନୁହେଁ, ମଣିଷର ଆପଣାର ଥିଲା ସେ। ବାଘ ହୋଇ ମଧ୍ୟ ମଣିଷଙ୍କ ଭଲପାଇବା ପାଇଥିଲା।  ଆଉ ମଣିଷଙ୍କ ସ୍ନେହରେ ବଢ଼ି ଏକ ସମୟରେ ସାରା ଦେଶରେ ପରିଚିତ ହୋଇଥିଲା। ସେ ହେଉଛି ବିଶ୍ୱପ୍ରସିଦ୍ଧ ବାଘରାଣୀ ଖଇରୀ। ଆଜି ଖଇରୀଙ୍କ ୫୩ତମ ଜନ୍ମବାର୍ଷିକୀ। ଏହି ଅବସରରେ ଯଶିପୁର ଧୋବାଡିହାସ୍ଥିତ ଖଇରୀ ନିବାସରେ ନିରାଡ଼ମ୍ବର ଭାବେ ପାଳିତ ହୋଇଛି ଖଇରୀର ଜନ୍ମବାର୍ଷିକୀ। ଖଇରୀର ସ୍ମୃତିକୁ ମନେ ପକାଇବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେଇଥିଲେ। ଖଇରୀଙ୍କ ସ୍ମୃତିସ୍ଥଳୀରେ ପହଞ୍ଚି ମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଖଇରୀର ସ୍ମୃତିରେ ଭାବବିହ୍ୱଳ ଧୋବାଡିହା


ସକାଳୁ ଖଇରୀ ନିବାସରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ପରିବେଶ। ଆଡ଼ମ୍ବର ନୁହେଁ, ବରଂ ସ୍ମୃତି ଓ ଶ୍ରଦ୍ଧାର ସହ ଖଇରୀଙ୍କ ଜନ୍ମବାର୍ଷିକୀ ପାଳନ କରାଯାଇଥିଲା। ପ୍ରଥମେ ଖଇରୀଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ସଭାରେ ଛାତ୍ରଛାତ୍ରୀ, ସ୍ଥାନୀୟ ଲୋକଙ୍କ ସମେତ ବନ ବିଭାଗ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଖଇରୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନ ସହ ଜଡ଼ିତ ଅନେକ ଘଟଣା ଉପସ୍ଥିତ ଲୋକଙ୍କ ସହ ବାଣ୍ଟିଥିଲେ। ଖଇରୀ କେବଳ ଏକ ବାଘ ନଥିଲେ, ବରଂ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଥିବା ଏକ ଅନନ୍ୟ ସମ୍ପର୍କର ପ୍ରତୀକ ଥିଲେ ବୋଲି କୁହାଯାଇଥିଲା।

ପଢନ୍ତୁ ଏହି ଖବର: ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ

ଖଇରୀର ଯତ୍ନ ନେଇଥିବା ବନ କର୍ମଚାରୀଙ୍କୁ ସମ୍ମାନ

ଏହି ଅବସରରେ ଖଇରୀଙ୍କ ଜୀବନକାଳରେ ତାଙ୍କ ଯତ୍ନ ନେଇଥିବା ପୂର୍ବତନ ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖଇରୀଙ୍କ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିବା ଏହି ବ୍ୟକ୍ତିମାନେ ତାଙ୍କ ଜୀବନର ଅନେକ ଅଜଣା ଅନୁଭୂତିକୁ ମଧ୍ୟ ମନେ ପକାଇଥିଲେ। ଖଇରୀଙ୍କ ସ୍ମୃତିକୁ ସାଇତି ରଖିବା ସହ ଆଗାମୀ ପିଢ଼ିକୁ ତାଙ୍କ ବିଷୟରେ ଜଣାଇବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶିମିଳିପାଳରେ ଖଇରୀଙ୍କ ବଂଶ ବୃଦ୍ଧି ପାଇଁ ଯୋଜନା!

କେବଳ ସ୍ମୃତିଚାରଣରେ ସୀମିତ ରହିନାହିଁ ଆଜିର କାର୍ଯ୍ୟକ୍ରମ। ଏହି ଅବସରରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଖଇରୀଙ୍କ ବଂଶ ବୃଦ୍ଧି ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ। ଶିମିଳିପାଳରେ ବାଘ ସଂରକ୍ଷଣ ଓ ବାଘଙ୍କ ବଂଶ ବୃଦ୍ଧି ଦିଗରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଖଇରୀଙ୍କ ସ୍ମୃତିକୁ ଆଗକୁ ନେବା ସହ ଶିମିଳିପାଳରେ ବାଘ ସଂରକ୍ଷଣକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ରହିବ ବୋଲି ମନ୍ତ୍ରୀ କହିଥିଲେ।

ବାଘ, ଯିଏ ହୋଇଥିଲା ମଣିଷର ଆପଣାର

ଖଇରୀର କାହାଣୀ ଅନ୍ୟ ବାଘଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଜଙ୍ଗଲର ଏକ ହିଂସ୍ର ପ୍ରାଣୀ ଭାବେ ନୁହେଁ, ଖଇରୀ ମଣିଷଙ୍କ ଗହଣରେ ବଢ଼ି ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା। ତାଙ୍କ ଜୀବନ ଓ ମଣିଷଙ୍କ ସହ ସମ୍ପର୍କ ତାଙ୍କୁ ଦେଶ ବିଦେଶରେ ମଧ୍ୟ ପରିଚିତ କରାଇଥିଲା।

ଆଜି ଖଇରୀ ନାହିଁ  ହେଲେ ତାର ସ୍ମୃତି ଏବେ ବି ଧୋବାଡିହାରେ ଜୀବନ୍ତ। ପ୍ରତିବର୍ଷ ପାଳିତ ହେଉଚି  ତାର ଜନ୍ମବାର୍ଷିକୀ । ୫୩ତମ ଜନ୍ମବାର୍ଷିକୀରେ ମଧ୍ୟ ସେହି ସ୍ମୃତି ନୂଆ କରି ଜୀବନ୍ତ ହୋଇଛି। ଖଇରୀର ଜନ୍ମବାର୍ଷିକୀ କେବଳ ଜଣେ ବାଘର ସ୍ମୃତି ଦିବସ ନୁହେଁ, ବରଂ ବନ୍ୟଜନ୍ତୁ ସଂରକ୍ଷଣ, ମଣିଷ ଓ ବନ୍ୟପ୍ରାଣୀଙ୍କ ସମ୍ପର୍କ ଏବଂ ଶିମିଳିପାଳର ଜୈବ ବିବିଧତାକୁ ମନେ ପକାଇବାର ଏକ ବିଶେଷ ଦିନ।

ଖଇରୀ ନଦୀ କୂଳରୁ ମିଳିଥିଲା ବାଘ ଶାବକ

୧୯୭୪ ମସିହାରେ ଖଇରୀ ନଦୀ କୂଳରୁ ଖଡ଼ିଆ ଆଦିବାସୀମାନେ ଏହି ବାଘ ଛୁଆଟିକୁ ପାଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପ୍ରତିଷ୍ଠାତା ନିର୍ଦ୍ଦେଶକ ସରୋଜ ରାଜ ଚୌଧୁରୀଙ୍କୁ ହସ୍ତାନ୍ତର କରିଥିଲେ। ନଦୀର ନାମ ଅନୁସାରେ ଏହାର ନାମ 'ଖଇରୀ' ରଖାଯାଇଥିଲା।

ସରୋଜ ରାଜ ଚୌଧୁରୀ ଓ ତାଙ୍କ ପତ୍ନୀ ନିହାର ନଳିନୀ ଦେବୀ ଖଇରୀକୁ ନିଜର ଏକ ସନ୍ତାନ ଭଳି ଜଶିପୁର ସରକାରୀ ବାସଭବନରେ ଖୁବ୍ ଯତ୍ନର ସହ ଲାଳନପାଳନ କରିଥିଲେ। ଲୋକପ୍ରିୟତା: ଏକ ବାଘ ଏତେ ପାଳିତ ଓ ବନ୍ଧୁବତ୍ସଳ ହୋଇପାରେ, ତାହା ଖଇରୀ ଜରିଆରେ ସମଗ୍ର ବିଶ୍ୱ ଦେଖିବାକୁ ପାଇଥିଲା। ଏହା ମାନବ ଓ ପ୍ରାକୃତିକ ବନ୍ୟଜନ୍ତୁଙ୍କ ମଧ୍ୟରେ ଥିବା ସ୍ନେହର ଏକ ଅନନ୍ୟ ଉଦାହରଣ ଥିଲା।