Khandagiri Mela: ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼, ବାବାମାନେ କରୁଛନ୍ତି ତପ

ଜମୁଛି ଖଣ୍ଡଗିରି ମେଳା । ପାହାଡ଼ ଉପରେ ଶ୍ରଦ୍ଧାଳୁଙ୍କ ଭିଡ଼ । ସାଧୁସନ୍ଥଙ୍କ ମନ୍ତ୍ରଧ୍ବନିରେ କମ୍ପୁଛି ମେଳା ପରିସର । ଦିନ ବେଳା ଚାଲୁଛି ହୋମଯଜ୍ଞ । ସଞ୍ଜ ହେଲେ ଖଞ୍ଜଣି ଓ ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହେଉଛି ପରିବେଶ ।
ସାଧୁ ସନ୍ଥଙ୍କ ଆଧାତ୍ମିକ ବାତାବରଣ ଭିତରେ, ଖଣ୍ଡଗିରିରେ ରହିଛି ଅନେକ ରହସ୍ୟମୟ ଗୁମ୍ଫା । ଆଉ ସେହି ଅନୁସନ୍ଧାନରେ ବାହାରିଥିଲା ଆମ ଟିମ୍। ଗୁମ୍ଫାର ପାଦ ଦେଶରେ ପହଞ୍ଚିବା ବି ଥିଲା କାଠିକର ପାଠ । ଖଣ୍ଡଗିରି ଜଙ୍ଗଲ ଭିତରେ ଅନେକ ରାସ୍ତା ଅତିକ୍ରମ କରିବା ପରେ ଗୁପ୍ତ ତପସ୍ୟା ଗୁମ୍ଫାରେ ପହଞ୍ଚିଥିଲା ଅର୍ଗସ ଟିମ। ଘଞ୍ଚ ଜଙ୍ଗଲ ପାହାଡ଼ ପଥ ଅତିକ୍ରମ କରିବା ପରେ ଆମେ ଯେତିକି ଯେତିକି ଆଗକୁ ବଢୁଥିଲୁ ପରିବେଶ ସେତିକି ଆଧ୍ୟାତ୍ମିକ ଥିଲା । ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଥିଲା ଅଂଚଳ।
ମାଘ ମେଳାରେ ରାଜ୍ୟ ସମେତ ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ନିଜ ନିଜର ପରାକାଷ୍ଠା ଦେଖାଉଛନ୍ତି। ବିଭିନ୍ନ ମୁଦ୍ରାରେ ସେମାନେ ଧ୍ୟାନ କରୁଛନ୍ତି । ଧୂନୀ ସ୍ଥାପନ କରି, ଦୀପ ଜଳାଇ ସାଧୁ ସନ୍ଥମାନେ ଧ୍ୟାନ ମଗ୍ନ ରହିବା ସହ ବିଶ୍ୱର କଲ୍ୟାଣ ପାଇଁ ଜପ ତପ ଓ ଯଜ୍ଞ କରୁଛନ୍ତି। ବାବାଙ୍କର ଟିକିଏ ଦର୍ଶନ ସହ ତାଙ୍କ କୃପା ଲାଭ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ନାଗା ବାବାଙ୍କ ପାଖରେ ଜମୁଛି ଭକ୍ତଙ୍କ ଭିଡ଼ । ଷ୍ଟାଣ୍ଡିଙ୍ଗ ବାବା, ବିଭୁତି ବାବା, ଛୁଆ ବାବା, ବୁଲେଟ ବାବା, ଡାକ୍ତର ବାବାଙ୍କ ପାଖରେ ଲୋକ ଭିଡ଼ ଦେଖିବାକୁ ମିଳିଛି।
ଏହି ତପୋ ଭୂମିରେ ଯପ କରି ଅନେକେ ସିଦ୍ଧି ପାଇଛନ୍ତି । ସେଥିପାଇଁ ଆଜି ବି ଅନେକ ସାଧୁ ସନ୍ଥ ଏଠାକୁ ଟାଣି ହୋଇ ଆସୁଛନ୍ତି। ତେବେ ଖଣ୍ଡଗିରିରେ ଗୋଟିଏ ପଟେ ବାବା ମାନେ ତପ କରୁଥିବା ବେଳେ ଅନ୍ୟପଟେ ଦୁଲୁକୁଛି ଯାତ୍ରା ପେଣ୍ଡାଲ । ସଞ୍ଜ ନଇଁଲେ ଚିକମିକ୍ ଆଲୁଅରେ ଝଲସୁଛି ଖଣ୍ଡଗିରି ମେଳା । ଗର୍ଜନ କରୁଛି ବିଭିନ ଯାତ୍ରା ପାର୍ଟିର ମାଇକ୍ । ନିଜ ନିଜର ବହିକୁ ହିଟ୍ କରିବା ପାଇଁ ପାର୍ଟିମାନେ କରୁଛନ୍ତି ଅହରହ ପ୍ରୟାସ ।