Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତା ଫେବ୍ରୁଆରୀ ୪ରୁ ୧୨ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମେଳା

Odisha

ଆସନ୍ତା ଫେବ୍ରୁଆରୀ ୪ରୁ ୧୨ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମେଳା

Rashmita Mishra
Browse all articles by Rashmita Mishra
·1 year ago·2 min read
ଆସନ୍ତା ଫେବ୍ରୁଆରୀ ୪ରୁ ୧୨  ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମେଳା

Key Points

ମାଘ ମେଳା ନେଇ ବିଏମ୍ସିର ପ୍ରସ୍ତୁତି ବୈଠକ
ସାଧୁସନ୍ଥଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ ବ୍ୟବସ୍ଥା
ସିସିଟିଭିକୁ ଗୁରୁତ୍ୱ, ଯାଯାବରଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ
ହେବ ନାହିଁ ଅଶ୍ଳୀଳ ନୃତ୍ୟ

ବିଏମ୍ସିକୁ ପ୍ରତିଶୃତି ଦେଲେ ଯାତ୍ରା କମିଟି

ଅର୍ଗସ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୪ରୁ ୧୨ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମେଳା। ଭୁବନେଶ୍ୱରର ଏହି ମେଳାକୁ ସରସ ସୁନ୍ଦର କରିବା ପାଇଁ ବିଏମ୍ସିର ପ୍ରସ୍ତୁତି ବୈଠକ ବସିଥିଲା। ବହୁ ଦୂର, ଦୁରାନ୍ତରୁ ଏବଂ ଓଡିଶା ଭିତରୁ ଅନେକ ସାଧୁ ସଂନ୍ଥଙ୍କ ସମାଗମକୁ ଦୃଷ୍ଟିରେ ରଖି ଚଳିତ ଥର ନୂଆ କରି ୧୦୦୦ ସାଧୁଙ୍କ ଟେଣ୍ଟ ବ୍ୟବସ୍ଥା କରିବ ବିଏମ୍ସି। ସାଧୁସନ୍ଥଙ୍କ ରହିବା ସ୍ଥାନ ସହ ଶୌଚାଳୟ,ପିଇବା ପାଣି ବ୍ୟବସ୍ଥା ପାଇଁ ମାଷ୍ଟରପ୍ଲାନ କରିଛି ବିଏମସି । ଖଣ୍ଡଗିରି ଉପରେ ସ୍ଥାୟୀ ପାଣି ବ୍ୟବସ୍ଥା ମଧ୍ୟ କରାଯିବ। ସାଧୁ ସନ୍ଥ ମାନଙ୍କ ଆସିବାଠୁ ନେଇ ହୋମ ଯଜ୍ଞ ଏବଂ ରହିବାର ସମ୍ପୂର୍ଣ ବ୍ୟବସ୍ଥା କିଭଳି ଭଲ ଭାବେ ହୋଇପାରିବ ତାକୁ ନେଇ ଚିନ୍ତା କରାଯାଇଛି। ଅଧିକରୁ ଅଧିକ ଶୌଚାଳୟ ସହ ଲାଇଟ ବ୍ୟବସ୍ଥାକୁ ସଠିକ କରାଯିବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ। ସୁରକ୍ଷା ଦୃଷ୍ଟିରୁ ବିଏମ୍ସି ପୋଲିସ ବିଭାଗ ସହ ଆଲୋଚନା କରିଛି। ପୂର୍ବ ଥର ୪୭ଟି ସିସି ଟିଭି ଇନସ୍ଟଲ କରାଯାଇଥିଲା, ଯାହା ଏଥର ଅଧିକ କରାଯିବ। ଟ୍ରାଫିକ ବ୍ୟବସ୍ଥାକୁ ପାଇଁ ପୋଲିସ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ଏହା ସହ ସାଧା ପୋଷାକରେ ମଧ୍ୟ ପୋଲିସ ନଜର ରଖିବେ। ସେପଟେ ଚୋରି, ତସ୍କରି ରୋକିବା ପାଇଁ ବଂଜାରା ମାନଙ୍କୁ ମେଳାରୁ ସାଇଡ଼ କରାଯିବ ବୋଲି କହିଛନ୍ତି ଜୋନ୍ ୩ ଏସିପି । ଏହା ସହ ପୋଲିସ ଫୋର୍ସ ସହ ବିଏମ୍ସିର ୧୫୦ ମେମ୍ବର ଟ୍ରାଫିକ ପରିଚାଳନାରେ ହେବେ ସାମିଲ।

ସେପଟେ ଖଣ୍ଡଗିରି ମାଘ ମେଳାରେ ଯାତ୍ରାପ୍ରେମୀଙ୍କ ଭିଡ଼ ଲାଗେ। ପୂର୍ବରୁ କମିଟି ୩ ଯାତ୍ରା ଆର୍ଟିଷ୍ଟଙ୍କୁ ଖଣ୍ଡଗିରି ମନା ଟ୍ୟାଗ ଲଗାଇବା ପରେ ଆଜି ମଧ୍ୟ ଏ ନେଇ ବିଏମ୍ସି ବୈଠକରେ ଆଲୋଚନା ହୋଇଛି। ଏଥର ମୋଟ ୭ଟି ଯାତ୍ରା ପେଣ୍ଡାଲ ରହୁଛି, ଯେଉଁଠିରେ କି କୌଣସି ଯାତ୍ରା ଆର୍ଟିଷ୍ଟ ଅଶ୍ଳୀଳ ନୃତ୍ୟ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସେଣ୍ଟ୍ରାଲ ଯାତ୍ରା କମିଟି ସମ୍ପାଦକ ପ୍ରମୋଦ କୁମାର ଜେନା। ଏ ବାବଦରେ ମଧ୍ୟ ପୋଲିସକୁ ଅଣ୍ଡରଟେକଙ୍ଗ ଲେଖାଯାଇଛି। ସେପଟେ ଯାତ୍ରାରେ ଲୋକଙ୍କ ଅସମ୍ଭାଳ ଭିଡ଼କୁ କଣ୍ଟ୍ରୋଲ କରିବା ପାଇଁ କମିଟି ବେଶ ଭଲ ଭାବେ କାମ କରିବ ବୋଲି କଥା ରଖିଛି। ଏଥର  ଖଣ୍ଡଗିରି ଯାତ୍ରାରେ ଯାତ୍ରା ପ୍ରେମୀ ପରିବାର ସହ ଯାତ୍ରା ଦେଖିପାରିବେ। ସେପଟେ ଅନନ୍ତ କେଶରୀଙ୍କ ଯାତ୍ରା ପାଇଁ ଏଥର ବିଏମ୍ସି ୪ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି।

ତେବେ ଖଣ୍ଡଗିରି ମେଳା ସାଧୁସନ୍ଥଙ୍କ ଯେତିକି ଭିଡ଼, ତାହାଠୁ ଅଧିକ ନଜର ଯାତ୍ରା ଉପରେ । ସାଧୁ ସନ୍ଥ ଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଚୋରିକୁ ଏଡେଇବା ସହ ଯାତ୍ରା ଭିଡ଼କୁ କଣ୍ଟ୍ରୋଲ କରିବା ପାଇଁ ବିଏମ୍ସି ପ୍ରସ୍ତୁତ ଥିବା ବେଳେ ଯାତ୍ରା କମିଟି ନିଜ ପ୍ରତିଶ୍ରୁତି କେତେ ବଜାୟ ରଖିପାରିବ ତାହା ଦେଖିବାକୁ ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Khandagiri Mela to be held from February 4th to 12th | Argus News