କିଡନୀ ରୋଗ ଆତଙ୍କ ! ୧୫ରୁ ଅଧିକ ଆକ୍ରାନ୍ତ

Key Points
ମନୁପାଲି ପଞ୍ଚାୟତରେ କିଡନୀ ରୋଗ ଆତଙ୍କ !
୫ ବର୍ଷରେ ମଲେଣି ୧୫ରୁ ଅଧିକ ଆକ୍ରାନ୍ତ
କଲବଲ କରୁଛି କିଡନୀ ରୋଗର ଯନ୍ତ୍ରଣା
ବୌଦ୍ଧ ବ୍ଲକ ମନୁପାଲି ପଂଚାୟତର ଡିଗୀ ଓ ସୁଆପାବୁଲି ଗାଁ। ଗାଁର ଅଧିକାଂଶ ଲୋକ କିଡନୀ ଜନିତ ରୋଗରେ ପୀଡିତ l ଗତ ପାଞ୍ଚ ବର୍ଷ ମଧ୍ୟରେ ୧୫ରୁ ଉର୍ଦ୍ଧ୍ୱ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ l ଏବେ ଆହୁରି ୧୫ରୁ ଅଧିକ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ। ଗରିବ ଦିନ ମଜୁରିଆ ହୋଇଥିବାରୁ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରାଇବା ସମ୍ଭବ ହେଉନି, ସରକାରୀ ଔଷଧ ଖାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରୋଗାକ୍ରାନ୍ତ।
ରୋଗ ବ୍ୟାପିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି। ତେବେ ପାନୀୟ ଜଳ ପାଇଁ ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି। ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ଅନେକ ରୋଗୀ ମୃତ୍ୟୁ ଅପେକ୍ଷାରେ ଶର୍ଯ୍ୟାରେ ପଡିରହିଥିବାର ନଜିର ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ସ୍ୱରୁପ କେବଳ ଗାଁକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଦେଇ ସମସ୍ତେ ନିରବ।
ଏନେଇ ଜିଲ୍ଲାପ୍ରଶାସନଠୁ ନେଇ ନେତାଙ୍କ ପର୍ଯ୍ୟନ୍ତ ଯାହାକୁ ଗୁହାରି କଲେ ବି କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁରେ ମାଡୁଛି କିଡନୀ ରୋଗ । ଜଣେ ପରେ ଜଣେ ରୋଗୀଙ୍କ କିଡନୀ ରୋଗରେ ମୃତ୍ୟୁ ପରେ ଗାଁରେ ଭୟର ବାତାବରଣ ।