ଘସିପୁରା ବ୍ଲକ୍ ବିଲାବନ୍ଧ ଗାଁରେ କିଡନୀ ରୋଗ ଆତଙ୍କ: ୫ ବର୍ଷରେ ଗଲାଣି ୨୫ ଜୀବନ

Key Points
କେନ୍ଦୁଝର ଘସିପୁରା ବିଲାବନ୍ଧ ଗାଁରେ କିଡନୀ ରୋଗର ଆତଙ୍କ
୫ ବର୍ଷରେ ଗଲାଣି ୨୫ ଜଣଙ୍କ ଜୀବନ
ଗତ ୨ ଦିନରେ ହୋଇଛି ୨ ଜଣଙ୍କର ମୃତ୍ୟୁ, ଏବେ ବି ଅନେକ ଆକ୍ରାନ୍ତ
ରୋଗର କାରଣ ଖୋଜି ପାଉନି ପ୍ରଶାସନ
ଗୁଣିଗାରେଡ଼ିକୁ ଭରସା କରିଛନ୍ତି ଲୋକେ
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତର ବିଲାବନ୍ଧ ଗାଁ । ଗାଁର ଅର୍ଦ୍ଧାଧିକ ଲୋକ ଚାଷ ବାସ ସହ ଦିନ ମଜୁରି କରି ପରିବାର ପୋଷନ୍ତି । କିନ୍ତୁ ସେହି ଗାଁର ଲୋକଙ୍କ ଜୀବନର ବଇରି ପାଲଟିଛି କିଡନୀ ରୋଗ। ଏବେ ନୁହେଁ ୫ ବର୍ଷ ହେଲା ଗାଁରେ ସ୍ଥିତି ସାଙ୍ଘାତିକ । କିଡନୀ ରୋଗରେ ଆଖି ବୁଜୁଛନ୍ତି ଜଣେ ପରେ ଜଣେ ଲୋକ। ୨୫ ଜଣଙ୍କର ଜୀବନ ଗଲାଣି । ଗତ ଦୁଇ ଦିନରେ ଜଣେ ଯୁବକ ଏବଂ ଅନ୍ୟଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।
ଏବେ ବି ଗ୍ରାମର ପଠାଣି ଦଳେଇ, ହଗୁରୀ ଦଳେଇ,ମଙ୍ଗୁଳୀ ଦଳେଇ, ମାତାଜୀ ପରିଡ଼ା, ଦ୍ରୌପଦୀ ଦଳେଇ, ପବିତ୍ର ଦଳେଇ ପ୍ରମୁଖ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି । ଅଭାବ ଅନଟନ ଭିତରେ ଆବଶ୍ୟକୀୟ ଡାକ୍ତରୀ ଚିକିତ୍ସାରୁ ବଞ୍ଚିତ ହେବା ସହ ଔଷଧ ବଦଳରେ ଚେରମୂଳି ସହ ଅଶ୍ବସ୍ତ ଏବଂ ନିମ୍ବ ପତ୍ରକୁ ବାଟି ସେବନ କରୁଛନ୍ତି ଏମାନେ । ପ୍ରାଣ ବିକଳରେ ଲୋକେ ଗାଁ ବି ଛାଡ଼ୁଛନ୍ତି ।
ସବୁଠାରୁ ବିଡ଼ମ୍ବନାର କଥା ଏଯାଏଁ କିଡନୀ ରୋଗ ହେବାର ସଠିକ୍ କାରଣ ଜଣାପଡ଼ିନାହିଁ। ଫଳରେ ଗୁଣିଗାରେଡ଼ି ଉପରେ ଭରସା କରୁଛନ୍ତି ଲୋକେ। ପାନୀୟ ଜଳ ମୁଖ୍ୟ କାରଣ ବୋଲି କେତେକ ଗ୍ରାମବାସୀ କହୁଥିବା ବେଳେ ପ୍ରଶାସନ ଏହାକୁ ସ୍ବୀକାର କରୁନାହିଁ । ଏବେ ଗାଁକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପଠାଇ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ସଙ୍ଗେ ସଙ୍ଗେ ରୋଗର ପ୍ରକୃତ କାରଣ ଖୋଜି ବାହାର କରିବାକୁ ଗ୍ରାମବାସୀ ସରକାରଙ୍କୁ ଦାବି କରିଛନ୍ତି । ସଂକ୍ରମିତ ରୋଗୀଙ୍କ ନମୁନା ଆଣି ଯାଞ୍ଚ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ।
ଦିନକୁ ଦିନ କିଡ଼ନୀ ରୋଗକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହେଉଥିବା ବେଳେ ତୁରନ୍ତ ପ୍ରସାଶନ ଏଦିଗରେ ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା କରିବାକୁ ଆକୁଳ ନିବେଦନ କରିଛନ୍ତି ଗ୍ରାମବାସୀ।