Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଛାତ୍ରଛାତ୍ରୀଙ୍କ ପ୍ରତି KIIT କର୍ତ୍ତୃପକ୍ଷଙ୍କ ଦବଙ୍ଗଗିରି, ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଥମିଲା ବିଶ୍ୱବିଦ୍ୟାଳୟ

Odisha

ଛାତ୍ରଛାତ୍ରୀଙ୍କ ପ୍ରତି KIIT କର୍ତ୍ତୃପକ୍ଷଙ୍କ ଦବଙ୍ଗଗିରି, ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଥମିଲା ବିଶ୍ୱବିଦ୍ୟାଳୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
ଛାତ୍ରଛାତ୍ରୀଙ୍କ ପ୍ରତି KIIT କର୍ତ୍ତୃପକ୍ଷଙ୍କ ଦବଙ୍ଗଗିରି, ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଥମିଲା ବିଶ୍ୱବିଦ୍ୟାଳୟ

ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଲା ଭୁବନେଶ୍ବର କିଟ୍ ବିଶ୍ବ ବିଦ୍ୟାଳୟର ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା। ନେପାଳ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ବାହାର କରିଦିଆଯାଇଥିବା ଖବର ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ। ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ନେପାଳ ପ୍ରଧାନମନ୍ତ୍ରୀ କେ. ପି ଶର୍ମା ଓଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଏହାକୁ ନେଇ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ ନେପାଳ ସରକାର କୂଟନୈତିକ ସ୍ତରରେ ଭାରତ ସରକାରଙ୍କ ସହ ଯୋଗାଯୋଗ କରୁଛନ୍ତି ବୋଲି କହିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ। ନେପାଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବାକୁ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସର ଦୁଇ ଜଣ ଅଧିକାରୀଙ୍କୁ ଓଡ଼ିଶା ପଠାଯାଇଛି।

ସେପଟେ ଏହି ଘଟଣାରେ ଆସିଛି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା। ସେ କହିଛନ୍ତି, ନେପାଳ ସହ ଭାରତ ଓ ଓଡ଼ିଶାର ସମ୍ପର୍କ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଭଲ ରହିଛି। କିଟ୍ ବିଶ୍ଵବିଦ୍ୟାଳୟ ଘଟଣା ଦୁଃଖଦାୟକ । ସେହି ପରିବାର ପ୍ରତି ସମବେଦନା ରହିଛି । ଗୃହ ବିଭାଗ ତ୍ବରିତ ପଦକ୍ଷେପ ନେବା ସହ ପୋଲିସ ଜଣକୁ ଗିରଫ କରିଛି। ମୃତକଙ୍କ ମୋବାଇଲ ଫୋନ୍ ଓ ଲାପଟପ୍ ସିଜ୍ ହୋଇଛି ।

ନେପାଳ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ତା'ପରେ ସେମାନଙ୍କୁ କ୍ୟାମ୍ପସରୁ ବିଦା କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ପ୍ରାୟ ୪୦ ଜଣ କିଟ୍ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ର ନିଜ ନିଜ ବ୍ୟାଗ ଧରି କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ । ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବବିଦ୍ୟାଳୟ ସାଇନ୍ - ଏ - ଡାଏ କରିବା ଦୁର୍ଭାଗ୍ୟଜନକ।

ତେବେ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ନେପାଳ ଛାତ୍ରଛାତ୍ରୀଙ୍କ ଉପରୁ ସାଇନ୍-ଏ-ଡାଏ ଉଠାଯାଇଛି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ OSRTC ବସର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ତ୍ରୀ। ମାମଲା ନେଇ ବିଶ୍ଵବିଦ୍ୟାଳୟ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛି। ଶିକ୍ଷାନୁଷ୍ଠାନରୁ ଯେପରି ଆଗକୁ ସେମାନଙ୍କୁ ଧମକ ନମିଳୁ, ସରକାର ଏ ନେଇ ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ।

ରବିବାର ଅପରାହ୍ନ ୪ରୁ ୫ଟା ମଧ୍ୟରେ କିଟ୍ କ୍ୟାମ୍ପସ-୬ କୁଇନ୍ସ ହଷ୍ଟେଲର ରୁମ୍ ନମ୍ବର-୧୮ରେ ବିଟେକ୍ ତୃତୀୟ ବର୍ଷର ଜଣେ ନେପାଳୀ ଛାତ୍ରୀଙ୍କର ମୃତଦେହ ମିଳିଥିଲା । ଏହି ଖବର ପ୍ରକାଶ ପାଇବା ପରେ କ୍ୟାମ୍ପସରେ କିଟ୍‌ରେ ପଢ଼ୁଥିବା ନେପାଳର ଶତାଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ପହଞ୍ଚିଥିଲେ । ଏହାପରେ ମୃତ୍ୟୁର କାରଣ ସମ୍ପର୍କରେ ପ୍ରଶ୍ନ କରିବା ସହ ମୃତଦେହ ଦେଖାଇବାକୁ ଦାବି କରିଥିଲେ । କିନ୍ତୁ ମୃତଦେହ ନ ଦେଖାଇବାରୁ ସନ୍ଧ୍ୟାରୁ ରାତି ତମାମ ଉପୁଜିଥିଲା ଅସନ୍ତୋଷ ଏବଂ ଉତ୍ତେଜନା । ନେପାଳର ଛାତ୍ରଛାତ୍ରୀମାନେ ହୋ-ହଲ୍ଲା କରିଥିଲେ । କଲେଜ କ୍ୟାମ୍ପସରେ ପଶି ଭଙ୍ଗାରୁଜା କରିଥିଲେ । ଏମିତିକି ରାସ୍ତା ଅବରୋଧ କରିଥିଲେ । ରାତି ତମାମ କିଟ୍ କର୍ତ୍ତୃପକ୍ଷ ଏବଂ ନେପାଳ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲେ ।

ସ୍ଥିତି ବିଗିଡ଼ିବା ପରେ କିଟ୍ ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କୁ ଘଟଣାସ୍ଥଳକୁ ଆସି ତାଗିଦ କରିବାକୁ ପଡ଼ିଥିଲା । ତଥାବି ସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା । ତାପରେ କିଛି ମହିଳା ଅଧିକାରୀ ଆସି ବିଦେଶୀ ଛାତ୍ରଛାତ୍ରୀଙ୍କୁ ନାଲି ଆଖି ଦେଖାଇ ଛାତ୍ରୀଙ୍କୁ ତୁରନ୍ତ କ୍ୟାମ୍ପସ୍ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ କର୍ମଚାରୀ ନୁହନ୍ତି, ସୁରକ୍ଷାକର୍ମୀଙ୍କ ବେଶରେ ଥିବା କିଛି ବ୍ୟକ୍ତି ବି ଛାତ୍ରଛାତ୍ରୀଙ୍କ ଉପରେ ହାତ ଉଠାଉଥିବା ଦେଖିବାକୁ ମିଳିଛି । ଏହିସବୁ ଘଟଣାର ମାଳମାଳ ଭିଡିଓ ଏବେ ଭାଇରାଲ ହେଉଛି ।

ତେବେ ଭାଇରାଲ୍ ଭିଡ଼ିଓ ଯଦି ସତ, ତେବେ ପୋଲିସ ବଦଳରେ ଆଇନକୁ ହାତକୁ ନେଇ କେଉଁ ଘଟଣାକୁ ଲୁଚାଇବା ପାଇଁ ଏବଂ କାହାକୁ ସୁରକ୍ଷା ଦେବାକୁ ଚାହୁଁଥିଲେ କର୍ମଚାରୀ ?

ଅନ୍ୟପଟେ କୁହାଯାଉଛି ବିଟେକ୍ ତୃତୀୟ ବର୍ଷର ସଂପୃକ୍ତ ଛାତ୍ରୀ ଜଣକ ନିଜର ପୁରୁଷ ବନ୍ଧୁଙ୍କ ନାଁରେ ପୂର୍ବରୁ ଚାରି ଚାରି ଥର ବିଶ୍ବବିଦ୍ୟାଳୟରେ ଥିବା ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସରେ ଅଭିଯୋଗ କରିଥିଲେ । ଅପରପକ୍ଷେ ଛାତ୍ରୀ ଜଣକ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିବାବେଳେ ପୋଲିସ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।

ସବୁଠାରୁ ବଡ଼ ପ୍ରଶ୍ନ କାହିଁକି ଜୀବନ ହାରିଲେ ସଂପୃକ୍ତ ଛାତ୍ରୀ ? ପୁରୁଷ ବନ୍ଧୁଙ୍କ ସହ କୌଣସି ବିବାଦରୁ ନା ଏହା ପଛରେ ରହିଛି ଅନ୍ୟ କୌଣସି ରହସ୍ୟ? ଛାତ୍ରୀଙ୍କ ମରଶରୀରକୁ କାହିଁକି ଅନ୍ୟ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ଦିଆଗଲାନି ? ସ୍ଥିତିକୁ ସମ୍ଭାଳି ନପାରି ହଠାତ୍ ବିଦେଶୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରୁ ଏଭଳି ତଡ଼ିଦେବା କେତେଦୂର ଠିକ୍ ? ଏଭଳି ନାନା ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ ।

ଅନ୍ୟପଟେ ଏକ ହ୍ୱାଟ୍‌ସଆପ୍‌ ସ୍କ୍ରିନସଟ୍‌ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ହଙ୍ଗାମା କରିବାକୁ ଉସ୍‌କା ଯାଉଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
kiit-administration-threaten-nepali-student And Declare Sine die For Them | Argus News