KIITରେ ଛାତ୍ରଛାତ୍ରୀଙ୍କୁ ପିଟିବାକୁ, ଜିମ୍ ଟେନରଙ୍କୁ ଡାକିଥିଲା କିଏ !

KIITରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିଲେ ଜିମ୍ ଟ୍ରେନର । ଅର୍ଗସ ହାତରେ ଲାଗିଲା ସ୍ଥାନୀୟ ଲୋକାଲ ଗ୍ୟାଙ୍ଗ ଜିମ ଟ୍ରେନର ମାଡ଼ ମାରୁଥିବାର ଫଟୋ । କାହା ଇସାରାରେ ମାଡ଼ ମାରିଲେ ଜିମ ଟ୍ରେନର୍ ଉଠିଲା ପ୍ରଶ୍ନ । ସେପଟେ ୩ ଦିନିଆ ରିମାଣ୍ଡରେ ଥିବା ଅଭିଯୁକ୍ତ ଆଦ୍ଵିକ ଶ୍ରୀବାସ୍ତବର ହେବ ଭଏସ୍ ସ୍ପେକ୍ଟୋଗ୍ରାଫି ଟେଷ୍ଟ ।
କିଟ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ସେଦିନ ଅଘଟଣରେ କେବଳ ସିକ୍ୟୁରିଟି ଗାର୍ଡ ମାଡ଼ ମରିନଥିଲେ ବରଂ ସ୍ଥାନୀୟ ଲୋକାଲ ଗ୍ୟାଙ୍ଗ ଜିମ ଟ୍ରେନର ମାନେ ମାଡ଼ ମାରିଥିବା ଫଟୋ ଲାଗିଛି ଅର୍ଗସ ହାତରେ । ଫଟୋରେ ପିଲାଙ୍କ ହାତ ଫାଟି ରକ୍ତ ବାହାରୁଛି। ହେଲେ ପ୍ରଶ୍ନ ଉଠୁଛି ସ୍ଥାନୀୟ ଲୋକାଲ ଜିମ ଟ୍ରେନର୍ କାହା ଇସାରାରେ ପିଲାଙ୍କୁ ହଷ୍ଟେଲ ଭିତରେ ମାଡ଼ ମାରିଲେ ? ଏହି ମାମଲାରେ ପୋଲିସ ଅନେକ ଜଣଙ୍କୁ ଗିରଫ କରିଥିବା ବେଳେ ଜିମ ଟ୍ରେନର ଜଣକ କିଏ ?
ସେପଟେ ଅଭିଯୁକ୍ତ ପୁରୁଷ ବନ୍ଧୁ ଆଦ୍ଵିକ ଶ୍ରୀବାସ୍ତବକୁ ୩ ଦିନିଆ ରିମାଣ୍ଡରେ ନେଇଛି ଇନଫୋସିଟି ଥାନା ପୋଲିସ । ରାଜ୍ୟ ଫରେନସିକରେ ଅଭିଯୁକ୍ତର ହେବ ଭଏସ୍ ସ୍ପେକ୍ଟୋଗ୍ରାଫି ଟେଷ୍ଟ । ଯୁବତୀଙ୍କୁ ଦେଇଥିବା ଗାଳି ଗୁଲଜ ଅଡିଓ ସହ ପୁରୁଷ ବନ୍ଧୁ ଭଏସର ଯାଞ୍ଚ କରାଯିବ । କେଉଁ ଫଟୋ ଓ ଭିଡିଓକୁ ନେଇ ଛାତ୍ରୀଙ୍କୁ ବ୍ଲାକମେଲ କରୁଥିଲା । ଲାପଟପ ମୋବାଇଲ ଫୋନରେ କଣ ଅଛି । କାହିଁକି ଭୁବନେଶ୍ୱର ଛାଡି ପଳାଉଥିଲା ଅଭିଯୁକ୍ତ ପୁରୁଷ ବନ୍ଧୁ । ମୃତ୍ୟୁ ପୂର୍ବରୁ ଛାତ୍ରୀଙ୍କ ସହ କଥା ହୋଇଥିଲେ କି ? ଏସବୁ ସଂପର୍କରେ ଅଭିଯୁକ୍ତକୁ ଅଧିକ ପଚରାଉଚରା କରିବ କମିଶନରେଟ୍ ପୋଲିସ୍ ।
ତେବେ ଗତକାଲି KIIT କ୍ୟାମ୍ପସରେ ପହଞ୍ଚି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ତଦନ୍ତ କରିଛି । ଏନେଇ ପ୍ରତିକ୍ରିୟା ରଖି, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି- ନେପାଳ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଠାକୁ ଆସିଛୁ । ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରାଉଚୁରା କରାଯାଇଛି । ଏବେ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯିବ ।
ଅନ୍ୟପଟେ କିଟ୍ କର୍ତ୍ତୃପକ୍ଷଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ । କିଟ୍ କର୍ତ୍ତୃପକ୍ଷଙ୍କ ମନମାନି ଆଦୌ ଗ୍ରହଣୀୟ ନୁହେଁ । ସମ୍ବେଦନତା ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା ବୋଲି କହିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସେ ଆହୁରି କହିଛନ୍ତି, ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର । ଉଚ୍ଚସ୍ତରୀୟ କମିଟିର ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଟ୍ ଜମି କେଳାଙ୍କାରୀ ପ୍ରସଙ୍ଗ ଅଭିଯୋଗ ଆଧାରରେ ମଧ୍ୟ ତଦନ୍ତ ହେବ । ଏହି ସରକାରରେ କୌଣସି ପ୍ରକାର ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ । ତଦନ୍ତ ରିପୋର୍ଟ ଆସିଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସମ୍ପଦ ସ୍ବାଇଁ ।
ସେହିଭଳି ଅଚ୍ୟୁତ ସାମନ୍ତଙ୍କ ସଂସ୍ଥା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ବା କିସ୍ ଅବ୍ୟବସ୍ଥା ନେଇ ଚାଇଲ୍ଡ ୱେଲଫେୟାର କମିଟି-ସିଡବ୍ଲୁସିର ରିପୋର୍ଟ ଉପରେ କାହିଁକି ହୋଇନଥିଲା ଆକ୍ସନ ତାକୁ ନେଇ ଉଠିଲା ପ୍ରଶ୍ନ । ସେତେବେଳର ସିଡବ୍ଲୁସି ସଦସ୍ୟ ବେଣୁଧର ସେନାପତି କିସରେ ଚାଲିଥିବା ଅବ୍ୟବସ୍ଥା ନେଇ ବୟାନ ରଖିଛନ୍ତି । ୨୦୧୭ରେ ଅବ୍ୟବସ୍ଥା ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା, ହେଲେ ପାୱାରଫୁଲ୍ ଅଚ୍ୟୁତଙ୍କ ବିରୋଧରେ ହେଲା ନାହିଁ ଆକ୍ସନ । ଅଚ୍ୟୁତଙ୍କୁ ସୁରକ୍ଷା ଦେଇଥିଲେ ସେତେବେଳର ନବୀନ ସରକାର ।
୨୦୧୭ର ସିଡବ୍ଲୁସି ରିପୋର୍ଟ ଅନୁସାରେ - KISS କ୍ୟାମ୍ପସ ପରିସରରେ ରହିବା ପାଇଁ ଠିକରେ ହଷ୍ଟେଲ ସୁବିଧା ନାହିଁ । ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ପାଇଖାନା ନାହିଁ। ହଷ୍ଟେଲରେ ଥିବା ଟଏଲେଟ୍ ଗୁଡ଼ିକ ଭାଙ୍ଗିଯାଇଛି । ସିଙ୍ଗିଲ ବେଡ୍ରେ ଦୁଇ ଜଣ ଲେଖାଏଁ ପିଲା ଶୋଉଛନ୍ତି । ପିଲାଙ୍କୁ ଖାଇବାକୁ ସକାଳେ ଦିଆଯାଉଥିଲା କେବଳ ଚୁଡ଼ା ଆଉ ଚିନି। ସକାଳେ ଚୁଡ଼ା, ଚିନି ଖାଇ ପାଠ ପଢୁଥିଲେ ପିଲା, ଆଉ ଅପରାହ୍ନରେ ଦିଆଯାଉଥିଲା ମଧ୍ୟାହ୍ନ ଭୋଜନ। ପିଲାଙ୍କୁ କାଉସେଲିଂରୁ ଜଣାପଡ଼ି ଥିଲା ଯେ, ସେମାନେ ଗରିବ ପରିବାରର ହୋଇଥିବାରୁ ବିଭିନ୍ନ ସମୟରେ ନିଜର କଷ୍ଟକୁ ପ୍ରକାଶ କରିପାରୁନାହାଁନ୍ତି ।