ବଢ଼ୁଛି KIIT ଅଡ଼ୁଆ, ପୁଣି ୬ ଜଣଙ୍କୁ ହାଜର ପାଇଁ ନିର୍ଦେଶ !

ବଢ଼ିଲା କିଟ୍ ବିଶ୍ବବିଦ୍ୟାଳୟର ଅଡୁଆ । ଛାତ୍ରୀ ମୃତ୍ୟୁ ଓ ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ KIITକୁ ରିପୋର୍ଟ ତଲବ କଲା UGC । କାହିଁକି ପିଲାଙ୍କୁ ଧମକ ଓ ନିର୍ଯାତନା ଦିଆଯାଇଥିଲା ଜଣାଇବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍ୟପଟେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଉ ୬ ଜଣଙ୍କୁ ସମନ କରାଯାଇଛି । ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି ଆଗରେ ହାଜର ହେବାକୁ ନୋଟିସ୍ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନୋଟିସ୍ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଉଚ୍ଚ ସ୍ତରୀୟ କମିଟି ଆଗରେ ହାଜର ପାଇଁ ଉଚ୍ଚଶିକ୍ଷା ବିଭାଗ ନୋଟିସ କରିଥିଲା । ନୋଟିସ ଅନୁସାରେ ଅଚ୍ୟୁତ ହାଜର ମଧ୍ୟ ହୋଇଥିଲେ । ତାପରେ ପୁଣି ଆଜି ଆଉ ୬ ଜଣଙ୍କୁ ନୋଟିସ କରାଯାଇଛି । ଏହି ୬ ଜଣ ହେଲେ ସିନିୟର ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସିନିୟର ଆଡମିନଷ୍ଟ୍ରେଟିଭ୍ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ଚିଫ୍ ପ୍ରୋକ୍ଟର ପି.କେ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତିଙ୍କୁ ହାଜର ଲାଗି ନୋଟିସ୍ ହୋଇଛି ।
ଅନ୍ୟପଟେ ଅଚ୍ୟୁତଙ୍କ ଜମି କେଳେଙ୍କାରୀକୁ ସୁରକ୍ଷା ଦେଉଥିଲା ଗତ ବିଜେଡି ସରକାର । ଏନେଇ ବିଧାନସଭା ଦସ୍ତାବିଜରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଭୁବନେଶ୍ବର ପଥରଗାଡ଼ିଆ ମୌଜାରେ ୧୮ ଏକର ଜଙ୍ଗଲ ଜମି ଜବରଦଖଲ କରିଛି କିଟ୍ । ୨୦୧୬ରୁ ବିଧାନସଭାରେ ତଥ୍ୟ ରଖି ଚୁପ୍ ବସିଗଲେ ପୂର୍ବ ନବୀନ ସରକାର ।
କେବଳ ଭୁବନେଶ୍ବରରେ ନୁହେଁ କିଟ୍ ଓ ଅଚ୍ୟୁତଙ୍କ ଜମି କେଳେଙ୍କାରୀର ଚେର ଲମ୍ବିଛି ବୌଦ୍ଧ ପର୍ଯ୍ୟନ୍ତ। ବୌଦ୍ଧ ଜିଲ୍ଲା ଲୁଣିବାହାଲରେ ନିର୍ମାଣ ହୋଇଥିବା କିସ ବିଦ୍ୟାଳୟ ରାସ୍ତା ଗୋଚର ଜମି ଉପରେ ନିର୍ମାଣ ହୋଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏଥିସହ ସ୍କୁଲରେ ସ୍ଥନୀୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନାଁ ଲେଖାଇବାରେ ଚଞ୍ଚକତା କରାଯିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉନଥିବା ନେଇ ଆସିଛି ଅଭିଯୋଗ। ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ବି ବିଜେଡି ସାଂସଦ ଥିବା ଯୋଗୁଁ ଅଚ୍ୟୁତ କିମ୍ବା କିସ୍ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ ନବୀନ ସରକାର। ଏବେ ସରକାର ବଦଳିଥିବା ବେଳେ କିସ୍ ବିଦ୍ୟାଳୟ ବିରୋଧରେ ଆକ୍ସନ ଦାବିରେ ବିକ୍ଷୋଭ କରିଛନ୍ତି ସ୍ଥାନୀୟ ଲୋକେ।
ସେହିପରି କଣ୍ଟାମାଲରେ ବି ପୁର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଜମି କେଳେଙ୍କାରୀ ନେଇ ଅଭିଯୋଗ ଆସିଛି। ସାସଂଦ ଥିବା ବେଳେ ନିଜ କ୍ଷମତାର ଦୂରୁପଯୋଗ କରି କଣ୍ଟାମାଲ ବ୍ଲକ ରଙ୍ଗପାଳି ନିକଟରେ ଶିଳ୍ପ ପାଇଁ ଉଦ୍ଧିଷ୍ଟ ସରକାରୀ ଜମିକୁ କିଟ୍ ନାଁରେ ଲିଜ ନେଇ ଏକ ଘୋରୋଇ ଚିକିତ୍ସାଳୟ ନିର୍ମାଣ କରୁଛନ୍ତି ଅଚ୍ୟୁତ । ନିର୍ବାଚନ ପ୍ରଚାର ସମୟରେ ଅଚ୍ୟୁତ ଏଠାରେ ଏକ ସଭାକରି ଆଦିବାସୀ ସ୍କୁଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଉଚିତ୍ ତଦନ୍ତ କରି ଏହି ଜମି ଚଞ୍ଚକତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ଅନ୍ୟପଟେ ଏହି ତମାମ ଘଟଣା ପ୍ରସଙ୍ଗକୁ ନେଇ ଆଜି ପୁଣି ଜୋର ଧରିଲା ଅଚ୍ୟୁତଙ୍କୁ ଗିରଫ ଦାବି। ଭୁବନେଶ୍ବରରେ ଛାତ୍ର କଂଗ୍ରେସ ପକ୍ଷରୁ କରାଯାଇଛି ଜୋରଦାର ବିକ୍ଷୋଭ। ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ।