Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀମନ୍ଦିରରେ କେମିତି ହୁଏ ଚନ୍ଦନ ନୀତି...

Odisha

ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀମନ୍ଦିରରେ କେମିତି ହୁଏ ଚନ୍ଦନ ନୀତି...

Smruti Parija
Browse all articles by Smruti Parija
·1 year ago·2 min read
ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀମନ୍ଦିରରେ କେମିତି ହୁଏ ଚନ୍ଦନ ନୀତି...

ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିଠୁ ଆରମ୍ଭ ହୁଏ ଚନ୍ଦନଯାତ୍ରା । ଏହା ପୂର୍ବରୁ ଶ୍ରୀମନ୍ଦିରରେ କେମିତି ହୁଏ ଚନ୍ଦନ ନୀତି ? ଚାପ ଖେଳକୁ ଯିବା ପୂର୍ବରୁ ଚନ୍ଦନରେ କେମିତି ସଜ ହୁଅନ୍ତି ମହାପ୍ରଭୁ ?



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତିନିବାଡରେ ଷୋଡଶୋପଚାର ବିଧିରେ ସକାଳ ଧୂପ ପୂଜା ବଢିବା ପରେ ବେଶ ମଇଲମ ହୋଇଥାଏ । ମଇଲମ କରିଥିବା ତିନିଜଣ ପାଳିଆ ପୁଷ୍ପାଳକ ସେବାୟତ ଏବଂ ତାଙ୍କ ସହ ପାଳିଆ ପୂଜାପଣ୍ଡା ସାମନ୍ତ ଓ ପତି ମହାପାତ୍ର ଓ ମୁଦ୍ରହସ୍ତ (ମୁଦିରସ୍ତ) ସେବାୟତ ଭୋଗମଣ୍ଡପ ଘରୁ ପୂର୍ବରାତ୍ରରେ ଅଧିବାସ ହୋଇଥିବା ଚନ୍ଦନକୁ ହାତରେ ଧରି ଘଣ୍ଟ , ଛତ୍ର ଓ କାହାଳୀ ଆଦି ବାଜୁଥିବା ପଟୁଆରରେ ଶ୍ରୀମନ୍ଦିରର ଭିତର ବେଢା ବା କୂର୍ମବେଢ଼ାକୁ ତିନିଥର ପ୍ରଦକ୍ଷିଣ କରିଥାନ୍ତି । ପରିକ୍ରମା ପରେ ଉକ୍ତ ଚନ୍ଦନ ପିଙ୍ଗଣ ଗୁଡିକୁ ନେଇ ରତ୍ନସିଂହାସନରେ ରଖନ୍ତି । ଏହାପରେ ଭିତର ପୋଖରୀଆରେ ପାଣି ପଡି ଧୋପଖାଳ ହୁଏ । ତା ପରେ ପାଳିଆ ବଡ଼ଦ୍ୱାର ପ୍ରତିହାରୀ ରୋଷଘରକୁ ଶୀତଳ ଭୋଗ ଡାକିଗଲେ , ତାଙ୍କ ପଛେ ପଛେ ଗମ୍ଭୀରାକୁ ଭୋଗ ଛେକ ଆସେ । ପରେ ତାହା ଶ୍ରୀଜୀଉଙ୍କୁ ପଞ୍ଚୋପଚାରରେ ସମର୍ପଣ ହୁଏ , ମାତ୍ର ଟେରା ପଡେନାହିଁ ।

ଭୋଗ ବଢିଲେ ତିନିଜଣ ପୁଷ୍ପାଳକ ସେବାୟତ ମହାପ୍ରଭୁଙ୍କ ବାଡ଼ରେ ପୂଜାପଣ୍ଡା ସାମନ୍ତଙ୍କ ସହ , ମଝିବାଡରେ ପତି ମହାପାତ୍ରଙ୍କ ସହ ଓ ବଡ଼ବାଡ଼ରେ ମୁଦିରସ୍ତଙ୍କ ସହ ମିଶି ସର୍ବାଙ୍ଗ ଚନ୍ଦନଲାଗି ନୀତି କରିଥାନ୍ତି । ତା'ପରେ ଛଅ ମୂର୍ତ୍ତି ସ୍ୱର୍ଣ୍ଣାଳଙ୍କାର ଲାଗି ହେବା ପରେ ସୁନାଗୋସେଇଁ ଦେଇଥିବା ଅଳକା , ଚଉସରା ଓ ମାଳଚୁଳ ଆଦି ପୁଷ୍ପାଳଙ୍କାର ଲାଗି ହୋଇଥାନ୍ତି । ଏହା ସହିତ ସମ୍ପନ୍ନ ହୁଏ ସର୍ବାଙ୍ଗ ଚନ୍ଦନଲାଗି ବେଶ । ବେଶ ବଢିବା ଭିତରେ ଦକ୍ଷିଣୀ ଘରେ ମଧ୍ୟ ଶ୍ରୀ ମଦନମୋହନ ଓ ଶ୍ରୀ ବଳରାମ , ଶ୍ରୀକୃଷ୍ଣ ମଧ୍ୟ ଚନ୍ଦନଲାଗି ହୁଅନ୍ତି । ଏହାପରେ ମହାଜନ ସେବାୟତଙ୍କ ହସ୍ତରେ ରତ୍ନସିଂହାସନକୁ ବିଜେ କରନ୍ତି ଏହି ତିନି ବିଗ୍ରହ । ଶ୍ରୀ ମଦନମୋହନ , ମହାପ୍ରଭୁଙ୍କ ବାଡ଼ରେ ଏବଂ ଶ୍ରୀ ରାମକୃଷ୍ଣ ବଡ଼ବାଡ଼ରେ ବସିଥାନ୍ତି । ତାପରେ ମଧ୍ୟାହ୍ନ ଧୂପ ଛେକ ଆସିଲେ , ଷୋଡଶପଚାର ବିଧିରେ ଧୂପ ପୂଜା ବସେ । ଧୂପ ପୂଜା ବଢିଲେ ତିନିବାଡରେ ସ୍ୱତନ୍ତ୍ର ବନ୍ଦାପନା କରାଯାଏ ।

ବନ୍ଦାପନା ବଢିଲେ ଚଳନ୍ତି ବିଗ୍ରହମାନେ ସମ୍ପୃକ୍ତ ବାଡ଼ରୁ ଆଜ୍ଞାମାଳ ପାଇଥାନ୍ତି । ତା'ପରେ ମୁକ୍ତିମଣ୍ଡପ ନିକଟସ୍ଥ ସୁସଜ୍ଜିତ ହାନ୍ଦୋଳା ଓ ମଣିବିମାନରେ ବିଜେ କରନ୍ତି । ହାନ୍ଦୋଳାରେ ରାମକୃଷ୍ଣ ଶୟନମୁଦ୍ରାରେ ଓ ମଣିବିମାନରେ ଶ୍ରୀଦେବୀ , ଭୁଦେବୀଙ୍କ ସମେତ ଶ୍ରୀ ମଦନମୋହନ ମହାପ୍ରଭୁ ରୁନ୍ଧା ହୋଇଥାନ୍ତି । ତା’ ପରେ ବିମାନବଡୁ ସେବାୟତମାନେ ହାନ୍ଦୋଳା ଓ ବିମାନକୁ କାନ୍ଧେଇ ସିଂହଦ୍ଵାର ଦେଇ ବଡଦାଣ୍ଡକୁ ଯାଇଥାନ୍ତି । ସେଠାରେ ପୂର୍ବରୁ ଅପେକ୍ଷାରତ ପଞ୍ଚୁପାଣ୍ଡବ ବା ପଞ୍ଚ ମହାଦେବଙ୍କ ସମେତ ନବନିର୍ମିତ ରଥଖଳା ନିକଟକୁ ଯାଇଥାନ୍ତି । ଏହା ସହ ଚାଲିଥାଏ ଘଣ୍ଟ , ଛତ୍ରୀ , ବିଜେ କାହାଳି , ବିଭିନ୍ନ ବାଦ୍ୟନାଦ ଓ ପାରମ୍ପରିକ ସଙ୍ଗୀତ ଗାନ ସହ ‘ଚନ୍ଦନ ପଟୁଆର’ ।


ଏହାପରେ କ'ଣ ହୁଏ ଜାଣିବା ଆଗାମୀ ଅଧ୍ୟାୟରେ...

Sponsored
know-chandan-jatra-rituals-of-lord-jagannath | Argus News