କାହିଁକି ନାଁ ପରିବର୍ତ୍ତନ କଥା ଉଠାଇଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ? ଆସନ୍ତୁ ବୁଝିବା...

ଅର୍ଗସ ବ୍ୟୁରୋ: ଇଂରେଜମାନେ ଆମକୁ ଶାସନ କରିଥିଲେ ପ୍ରାୟ 200 ବର୍ଷ । ଦେଶ ସ୍ୱାଧୀନତାକୁ ପୁରିଲାଣି 77 ବର୍ଷ । ଏବେ ଆମେ ଆଜାଦୀ କା ଅମୃତମହୋତ୍ସବ ପାଳୁଛେ । ସ୍ୱାଧୀନତାର ଅମୃତକାଳକୁ ଉପଭୋଗ କରୁଛେ । ଏହାରି ମଧ୍ୟରେ ଇଂରେଜ ଶାସନକାଳରେ ହୋଇଥିବା ଅନେକ କିଛି ପ୍ରଚଳନର ପରିବର୍ତ୍ତନ ହୋଇସାରିଲାଣି ।
ଯେମିତିକି ଆହ୍ଲାବାଦର ନାଁ ପରିବର୍ତ୍ତନ ହେଇ ହୋଇଛି ପ୍ରୟାଗରାଜ, ମାଡ୍ରାସ ହୋଇଛି ଚେନ୍ନାଇ, ଓରିଶା ହୋଇଛି ଓଡିଶା । ଯେହେତୁ ଇଂରେଜଙ୍କ ର ଉଚ୍ଚାରଣରେ ଅସୁବିଧା ହେଉଥିଲା । ସେଥିପାଇଁ ସେମାନେ ନିଜ ସୁବିଧା ହିସାବରେ 'ର' ଉଚ୍ଚାରଣକୁ 'ଡ' ନାମରେ ନାମିତ କରୁଥିଲେ ।
ତେବେ ପରିବର୍ତ୍ତିତ ସମୟକୁ ଦେଖି ଇଂରେଜ ଶାସନ ସମୟରେ ହୋଇଥିବା ଅନେକ ରାସ୍ତ ଘାଟ, ସହରର ନାଁ, ଶିକ୍ଷାନୁଷ୍ଠାନର ନାଁ ପରିବର୍ତ୍ତନ ହୋଇଛି । ଆମକୁ ଶାସନ କରୁଥିବା ଲୋକଙ୍କ ନାଁ ବଦଳରେ ବୋଧହୁଏ ଆମ ମାଟି ମା'ର ସ୍ୱାଧୀନ ପାଇଁ ବଳିଦାନ ଦେଇଥିବା ବା ଆମର ବରିଷ୍ଠ ଲୋକଙ୍କ ନାଁ ହିସାବରେ ଆମ ରାସ୍ତାଘାଟ, ଆମ ସହର, ଆମ ଶିକ୍ଷାନୁଷ୍ଠାନର ନାଁ ଦେବାକୁ ଆମେ ବେଶୀ ଗର୍ବିତ ଅନୁଭବ କରିବା ମନେ କରି ଏହି ପ୍ରସ୍ତାବ ଦେଇଥିଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରେଭେନ୍ସା ବିଶ୍ୱ ବିଦ୍ୟାଳୟ...ଓଡିଶା ଉଚ୍ଚଶିକ୍ଷାର ଏନ୍ତୁଡିଶାଳ...
କାହାର ଇଏ ଗର୍ବ..ତ କାହାର ଭାବାବେଗ । ଯେଉଁଠି ପାଠ ପଢି ଅନେକ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢିଛନ୍ତି । ମଣିଷ ପରି ମଣିଷ ହୋଇଛନ୍ତି, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି । ଏମାନେ ସମସ୍ତେ ନିଜକୁ ରେଭେନ୍ସାଭ୍ୟାନ ନାମରେ ମୁଣ୍ଡ ଉଠାଇ ପରିଚୟ ବି ଦେଇଛନ୍ତି ।
ହେଲେ ଗତ ଦୁଇ ଦିନ ଧରି ରେଭେନ୍ସା ନାଁ କୁ ନେଇ ବିବାଦ ଦେଖାଦେଇଛି । ବିବାଦ କ'ଣ ?
ରେଭେନ୍ସା ନାଁ ବଦଳିବା ଦରକାର କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ସମୟରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା ସେ ଆମ ଓଡ଼ିଶା ପାଇଁ ଗୌରବର ବିଷୟ କିପରି ହେଲେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କ ଆବଶ୍ୟକ । ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି ଆହ୍ବାନ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଉ ଏହା ପରେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା..ବିତର୍କ...ପରସ୍ପରକୁ ଦୋଷାରୋପ...ଏହାକୁ ବୁଦ୍ଧିଜୀବୀ ସମର୍ଥନ କରୁଥିବାବେଳେ ରେଭେନ୍ସାର ପୁରାତନ ଛାତ୍ର ଏହାକୁ ବିରୋଧ କରୁଛନ୍ତି।
📱 Get Argus News App
✨ହେଲେ ଏଠାରେ କହି ରଖୁଛୁ....କେନ୍ଦ୍ର ଶିକ୍ଷା ମନ୍ତ୍ରୀ କେବଳ ରେଭେନ୍ସା ନାଁ ବଦଳିବା ଦରକାର ବୋଲି ନିଜର ମତ ରଖିଛନ୍ତି । ଏଥିପାଇଁ ବୁଦ୍ଧିଜୀବୀ ଚିନ୍ତା କରନ୍ତୁ ବୋଲି କହିଛନ୍ତି । ଏବେ ସୁଦ୍ଧା ନାଁ ବଦଳିବା ନେଇ କିଛି ବି ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।
ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହା କହିବା ଉପରେ କ'ଣ ଉଦ୍ଦେଶ୍ୟ ରହିଛି ? କ'ଣ ମର୍ମ ରହିଛି ? କାହିଁକି ନାଁ ପରିବର୍ତ୍ତନ କଥା ଉଠାଇଲେ ? ଆସନ୍ତୁ ବୁଝିବା....
ରେଭେନ୍ସା କିଏ ? କାହା ନାଁ ରେ ଏହି ବିଶ୍ୱବିଦ୍ୟାଳୟ ନାମିତ ହୋଇଛି ? କେବେ ଠୁ ଏହାର ନାମକରଣ କରାଗଲାଣି ?
ବ୍ୟାସ କବି ଫକୀର ମୋହନ ସେନାପତି ନିଜ ଆତ୍ମ ଜୀବନୀରେ ଲେଖିଛନ୍ତି ...
ନଅଙ୍କ ଦୁର୍ଭିକ୍ଷ ସମୟରେ ଓଡ଼ିଶାରେ ବ୍ରିଟିଶ୍ କମିଶନର ଥିଲେ ଥମାସ୍ ଏଡୱାର୍ଡ ରେଭେନସା । ଅର୍ଥାତ ଫକୀରମୋହନଙ୍କ କହିବା ଅନୁଯାୟୀ ଉତ୍କଳର ୩୦ ଲକ୍ଷ ଲୋକଙ୍କ ଜୀବନ ଯିବା ପାଇଁ କମିଶନର ରେଭେନସା ହିଁ ଦାୟୀ । କାରଣ ତାଙ୍କର ଭୂଲ୍ ରିପୋର୍ଟ ଯୋଗୁଁ ଲକ୍ଷ ଲକ୍ଷ ଓଡ଼ିଆ ଖାଇବାକୁ ନପାଇ ଡହଳ ବିକଳ ହୋଇ ମରିଗଲେ । ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ରଖିଛନ୍ତି କିଭଳି ରେଭେନ୍ସା ସାହେବ ନଅଙ୍କ ଦୁର୍ଭିକ୍ଷରେ ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଓଡ଼ିଆଙ୍କ ଆଳସ୍ୟ ପଣକୁ ଦାୟୀ କରିଥିଲେ ।
ଓଡ଼ିଶାରେ ସ୍କୁଲ ପରେ ଉଚ୍ଚଶିକ୍ଷା ସୁବିଧା ନ ଥିବାରୁ, ୧୮୬୮ରେ କଟକ ଜିଲ୍ଲା ସ୍କୁଲ ରାଜ୍ୟର ପ୍ରଥମ କଲେଜ ଭାବେ ମାନ୍ୟତା ପାଇଥିଲା। ନାମିତ ହୋଇଥିଲା ତତ୍କାଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ । ୨୦୦୬ରେ ଏହାକୁ ମିଳିଥିଲା ବିଶ୍ବବିଦ୍ୟାଳୟ ମାନ୍ୟତା । ତେବେ ଇଏ ସେଇ ଟି.ଇ. ରେଭେନ୍ସା, ଯାହାଙ୍କ ସମୟରେ ୧୮୬୬ରେ ଓଡ଼ିଶାରେ ପଡ଼ିଥିଲା କୁଖ୍ୟାତ ୯ ଅଙ୍କ ଦୁର୍ଭିକ୍ଷ ।
ପୂର୍ବ ଭାରତରେ ଅନାବୃଷ୍ଟି ଯୋଗୁଁ ୧୮୬୬-୬୭ ମସିହାରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୁର୍ଭିକ୍ଷ ଯୋଗୁ ଫସଲ ଉତ୍ପାଦନ ନ ଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକେ ଖାଦ୍ୟ ଅନ୍ବେଷଣ କରୁଥିଲେ। ଖାଦ୍ୟ ଅଭାବ ଯୋଗୁ ଲୋକମାନେ ପେଟକୁ ମୁଠେ ଦାନା ନ ପାଇ ଡହଳ ବିକଳ ହୋଇ ବିଭିନ୍ନ ରୋଗରେ ପଡି ଅକାଳରେ ମୃତ୍ୟୁ ହେଉଥିଲା। ଅନେକ ଲୋକଙ୍କ ଖାଦ୍ୟ ଅଭାବରେ ଶରୀରର ନରକଙ୍କାଳ ଦେଖିବାକୁ ମିଳିଥିଲା। ଜୀବନ ବିକଳରେ ସାରୁ ନରା, ଦେଶୀ ସାରୁ ପେଙ୍କାଳି ଫୁଲ, କଇଁ ମାଟୁଳା, କଇଁ ନରା, ଗିରିଆ ଶାଗ ଓ ଫୁଲ ଆଦିକୁ ମୁଖ୍ୟ ଆହାର ଭାବେ ଲୋକେ ଗ୍ରହଣ କରୁଥିଲେ ।
୧୮୬୬ରେ ହୋଇଥିବା ଓଡ଼ିଶା ଇତିହାସର ସବୁଠୁ ବଡ଼ ବପତ୍ତି ନଅଙ୍କ ଦୁର୍ଭିକ୍ଷରେ ତାଙ୍କର କ'ଣ ଥିଲା ଭୂମିକା ?
କମିଶନର ସାହେବ ଗଭର୍ଣ୍ଣରଙ୍କୁ ଲେଖିଲେ, ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିପାରେ ମାତ୍ର ଦେଶ ମଧ୍ୟରେ ଅନେକ ଧାନ ମହଜୁଦ ଅଛି ସେଥିରେ ବର୍ଷକ ଚଳିପାରିବ। ହେଲେ କମିଶନର ସାହେବ ବଡ଼ ଭୂଲ କରିଥିଲେ । ଓଡ଼ିଶାରେ ପ୍ରକୃତରେ ଏତେ ଧାନ ମହଜୁଦ ଅଛି କି ନାହିଁ, ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ ଅଛି ସାଧାରଣ ସଂକଟ ସମୟରେ ସେମାନେ ସେହି ଧାନ ବିକ୍ରୟ ବା ବିତରଣ କରିବେ କି ନାହିଁ ସେ ବିଷୟରେ ଭଲ ଭାବରେ ତଦନ୍ତ କରିନଥିଲେ । ହେଲେ ତାଙ୍କର ଭୂଲ୍ ରିପୋର୍ଟ ପାଇଁ ଉତ୍କଳର ୩୦ ଲକ୍ଷ ପ୍ରାଣୀ ପ୍ରାଣ ହରାଇଲେ ।
ତେବେ ଯେଉଁମାନେ ଓଡ଼ିଆଙ୍କୁ କଷ୍ଟ ଦେବାରେ ସହାୟକ ହେଲେ, ସେମାନଙ୍କ ନାଁରେ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ନାମିତ କରିବା ଗୌରବର ବିଷୟ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା । ନଅଙ୍କ ଦୁର୍ଭିକ୍ଷ ହୋଇଥିଲା କାହିଁକି, ସେତେବେଳେ ସେହି ସମୟର ଅଧିକାରୀମାନେ କରୁଥିଲେ କ’ଣ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି ।
ଦେଶର ଅନେକ ଗୋଲାମୀର ପ୍ରତୀକର ନାଁ ପରିବର୍ତ୍ତନ ହୋଇସାରିଛି । ତେବେ ଏ ଦିଗରେ ମଧ୍ୟ ଚିନ୍ତା କରାଯିବା ଉଚିତ୍ ମଣେ କରି ଏହି ପ୍ରସ୍ତାବ ରଖିଛନ୍ତି ଶିକ୍ଷାମନ୍ତ୍ରୀ ।'