ଅନ୍ତିମ ପର୍ଯ୍ୟାୟରେ ପରିବେଷିତ ହୋଇଥିଲା ଭାରତନାଟ୍ୟମ୍ ନୃତ୍ୟ

ଅର୍ଗସ ବ୍ୟୁରୋ: ଉଦଯାପିତ କୋଣାର୍କ ଉତ୍ସବ । କୋଣାର୍କ ମହୋତ୍ସବ ଅନ୍ତିମ ପର୍ଯ୍ୟାୟରେ ପରିବେଷିତ ହୋଇଥିଲା ଭାରତନାଟ୍ୟମ୍ ନୃତ୍ୟ । ଦିଲ୍ଲୀରୁ ଆସିଥିବା ଗୁରୁ ଗୀତା ଚନ୍ଦ୍ରନ ଓ ତାଙ୍କ ନାଟ୍ୟ ବୃକ୍ଷ ଡାନ୍ସ କଲେକ୍ଟଟିଭ୍ ଅନୁଷ୍ଠାନର ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ପୁରସ୍କୃତ ଏବଂ ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତା ପଦ୍ମଶ୍ରୀ ଶ୍ରୀମତୀ ଗୀତା ଚନ୍ଦ୍ରନଙ୍କର ଭାରତନାଟ୍ୟମ୍ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା ।
ବାଲୁକା କଳାରେ ପୁରୁଷ ବର୍ଗରେ ଦେଖିବାକୁ ମିଳିଥିଲା ମାଣବସା ଗୁରୁବାରର ଚିତ୍ର । ମହିଳାମାନଙ୍କ ପାଇଁ ଥିଲା ବୈଷୟିକ ଉତ୍ତାପ ଏବଂ ରାଜ୍ୟ ବାହାରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ମନ୍ଦିର ମାଳିନୀ ଓଡିଶା । ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀଙ୍କର କଳା ନୈପୁଣ୍ୟତା, ପ୍ରକୃତି କୋଳରେ ତଲ୍ଲିନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲା।
ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶାର ପ୍ରମୁଖ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ରାହୁଲ କରନ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଶ୍ଵଜିତ ରାଉତରାୟ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳକ ଡ଼. ଲଲାଟେନ୍ଦୁ ସାହୁ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଭାଗ୍ୟଲିପି ମଲ୍ଲ ଯୋଗ ଦେଇଥିଲେ।