Sun Temple / କୋଣାର୍କ ଗର୍ଭଗୃହରୁ ବାଲି କଢା ପାଇଁ ପ୍ରକ୍ରିୟା ଆରମ୍ଭ

Key Points
ସ୍ଵତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଖୋଳାହେଲା ଟନେଲ
ଦୁଇଦିନ ମଧ୍ୟରେ ଟନେଲ ଖୋଳା ଶେଷ ହେବ
ଗର୍ଭଗୃହରେ ବାଲିର ସ୍ଥିତି ଓ ଭିତର ପଥରର ଅବସ୍ଥା ଦେଖାଯିବ
କୋଣାର୍କ ଗର୍ଭଗୃହରୁ ବାଲି କଢା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ବତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ କରାଯାଇଛି । ଦୁଇଦିନ ମଧ୍ୟରେ ଟନେଲ ଖୋଳା ସରିବା ପରେ ଗର୍ଭଗୃହରେ ଥିବା ବାଲିର ସ୍ଥିତି ଓ ଭିତର ପଥରର ଅବସ୍ଥାର ସ୍ଥିତି ଦେଖାଯିବ । ପରେ ପଥର ଓସାରକୁ ନଜରରେ ରଖି ବାଲି ପର୍ଯ୍ୟାୟ କ୍ରମେ କଢ଼ାଯିବ ପାଇଁ ବ୍ୟବସ୍ଥା କରାଯିବ ।
ସୂଚନାନୁଯାୟୀ କୋଣାର୍କ ଗର୍ଭଗୃହରୁ ବାଲି କାଢ଼ିବା ଲାଗି ଏଏସ୍ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍ କମିଟି ସୋମବାର କୋଣାର୍କ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଏସ୍ଆଇ ପୁରୀ ସର୍କଲ ଅଧୀକ୍ଷକ ଡିବି ଗଡ଼ନାୟକଙ୍କ ସହିତ କମିଟି ସବିଶେଷ ଆଲୋଚନା କରି ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟ୍ରେସ୍ ମ୍ୟାପ୍କୁ ଟିକିନିଖି ଦେଖିଥିଲେ। ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ନିରୀକ୍ଷଣ କରିଥିଲେ ।
ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗତ କରାଯାଇ ରୋବୋଟିକ୍ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଓ ପରିମାଣ ଆକଳନ କରାଯାଇଥିଲା । ଏବେ ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିର ପଶ୍ଚିମ ପଟରେ ୮୦ ଫୁଟ ଉଚ୍ଚତାରେ ୧୬ ସେଣ୍ଟିମିଟରର ଏକ କ୍ଷୁଦ୍ର ଟନେଲ୍ ନିର୍ମାଣ ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଆଜି ଡ୍ରିଲିଂ ମେସିନ୍ରେ ମନ୍ଦିର କାନ୍ଥରେ ଟନେଲ୍ ଖୋଳା ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ଟନେଲ୍ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି, ଭିତର ପଥରର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ପର୍ଯ୍ୟାୟ କ୍ରମେ ବାଲି କଢ଼ାଯିବ। ଏଥିପାଇଁ ଏଏସ୍ଆଇ ପକ୍ଷରୁ ସମସ୍ତ ଯାନ୍ତ୍ରିକ ଓ ବୈଷୟିକ ପ୍ଲାଟ୍ଫର୍ମ ପ୍ରସ୍ତୁତ ହୋଇରହିଛି ବୋଲି ଶ୍ରୀ ଗଡ଼ନାୟକ ପ୍ରକାଶ କରିଛନ୍ତି ।
ଏଏସ୍ଆଇର ଏଡିଜିଙ୍କ ସମେତ ଆଇଆଇଟି ଦିଲ୍ଲୀ, ଆଇଆଇଟି ଖଡ଼ଗପୁର, ଆଇଆଇଟି ଚେନ୍ନାଇ ଓ କୋର୍ କମିଟିର ୧୫ ଜଣିଆ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଟିକିନିଖି ତର୍ଜମା କରିଥିଲେ। ଦୀର୍ଘ ୧୨୦ ବର୍ଷ ପରେ ସୂର୍ଯ୍ୟମନ୍ଦିର ଗର୍ଭଗୃହ ପୁଣି ଖୋଲିବା ଲାଗି ଏଏସ୍ଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୨ ସେପ୍ଟେମ୍ବରରେ ତତ୍କାଳୀନ ଭୁବନେଶ୍ବର ସର୍କଲ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସୂର୍ଯ୍ୟମନ୍ଦିର ଉତ୍ତର ଦିଗ ପଟ ଗର୍ଭଗୃହ ଦ୍ୱାର ନିକଟରେ ବାସ୍ତୁ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି କାର୍ଯ୍ୟ ଅନୁକୂଳ କରାଯାଇଥିଲା। ୨୦୨୩ ଜାନୁଆରି ୩ରୁ ବାଲିକଢ଼ା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର କୌଣସି କାରଣକୁ ନେଇ ବହୁଦିନ ବନ୍ଦ ରହିବା ପରେ ଏବେ ପୁଣି ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories