Koraput: ଅଡ଼ପୁରରେ ଅଜଣା ରୋଗ ଆତଙ୍କ; ସପ୍ତାହକରେ ଆଖି ବୁଜିଲେଣି ୫ ଜଣ, ୧୨ ଆକ୍ରାନ୍ତ

Key Points
ଗତ ସପ୍ତାହକ ମଧ୍ୟରେ ଗାଁର ୫ ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ଜଣେ ମହିଳା ଆଖି ବୁଜିଥିବା ବେଳେ ଗାଁରେ ଚିକିତ୍ସିତ ଜଣେ ପୁରୁଷ ରବିବାର ଆଖି ବୁଜିଛନ୍ତି ।
ଲକ୍ଷ୍ମୀପୁର: କାହାର ପେଟ କାଟୁଛି ତ ଆଉ କାହାର ମୁଣ୍ଡ ବୁଲାଉଛି । ଆଉ କିଏ ବାନ୍ତି କରୁଛି । ଗାଁରେ ଘରେ ଘରେ ଏଭଳି ସ୍ଥିତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଡ଼ପୁର ଗାଁର ଅନେକ ଲୋକ ଏଭଳି ଅସୁସ୍ଥ ହୋଇ ପଡ଼ିଛନ୍ତି । ପୂର୍ବରୁ ୭ ଜଣ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ବେଳେ ରବିବାର ଆଉ ୫ ଜଣଙ୍କୁ ନିଆଯାଇଛି । ମୋଟ ୧୨ ଜଣ ଏବେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି ।
ତେବେ ବିଡ଼ମ୍ବନାର କଥା ହେଉଛି ଏଭଳି ଲକ୍ଷଣ ଥାଇ ଗତ ସପ୍ତାହକ ମଧ୍ୟରେ ଗାଁର ୫ ଜଣଙ୍କର ମୃତ୍ୟୁ ହୋଇଛି । କୋରାପୁଟ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ଜଣେ ମହିଳା ଆଖି ବୁଜିଥିବା ବେଳେ ଗାଁରେ ରହି ଘରେ ଚିକିତ୍ସିତ ଜଣେ ପୁରୁଷ ରବିବାର ଆଖି ବୁଜିଛନ୍ତି । ଗାଁ ମଶାଣିରେ ରବିବାର ଏକାଠି ହୋଇଛି ଦୁଇ ଜଣଙ୍କ ଶବ ଦାହ ।
ଅଜଣା ରୋଗ ବ୍ୟାପିବାକୁ ନେଇ ଅଡ଼ପୁର ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଦଶମନ୍ତପୁର ସିଏଚସିର ଡାକ୍ତରୀ ଦଳ ଗାଁରେ ପହଞ୍ଚି ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଆକ୍ରାନ୍ତଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଛି । କିନ୍ତୁ କେଉଁ ପରିସ୍ଥିତିରେ କ'ଣ ପାଇଁ ଲୋକେ ଆକ୍ରାନ୍ତ ହେବା ସହ ୭ ଦିନରେ ୫ ଜଣଙ୍କ ମୃତ୍ୟୁ ହେଲାଣି ସେ ନେଇ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।
📱 Get Argus News App
✨
ଦିନକୁ ଦିନ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେମାନଙ୍କ ମଧ୍ୟରେ ଛୁଆ ବି ଅଛନ୍ତି । ଡାକ୍ତରୀ ଦଳ ଗାଁରେ ଚିକିତ୍ସା କରୁଥିବା ବେଳେ ଗାଁ ଲୋକେ ଦିଶାରୀ ଡକାଇ ପୂଜାର୍ଚ୍ଚନା ବି କରୁଛନ୍ତି । ତେବେ ଏତେ ଲୋକ ଅସୁସ୍ଥ ହେବାର କାରଣ କ'ଣ ? ଦୂଷିତ ପାଣି ପାଇଁ ବ୍ୟାପୁଛି କି ଅଜଣା ରୋଗ ? ଏ ଦିଗରେ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ଯାଞ୍ଚ କରିବା ସହ ନିରାକରଣ ପାଇଁ ଲୋକଙ୍କୁ ସଚେତନ କରିବା ଜରୁରି ହୋଇ ପଡ଼ିଛି ।