Videos
|
Odisha

Kotia Row / କୋଟିଆ ସୀମା ବିବାଦ: ଆଇନଜୀବୀଙ୍କ ଆବେଦନ ଉପରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିଲା ରାଷ୍ଟ୍ରପତିଙ୍କ ସଚିବାଳୟ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କୋଟିଆ ସୀମା ବିବାଦ: ଆଇନଜୀବୀଙ୍କ ଆବେଦନ ଉପରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିଲା ରାଷ୍ଟ୍ରପତିଙ୍କ ସଚିବାଳୟ
Petition Seeks Protection of Tribal Rights

Key Points

କୋଟିଆ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜୟପୁରର ଆଇନଜୀବୀ । ଆବେଦନ ଉପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ATR) ମାଗିଛନ୍ତି ।
କୋରାପୁଟ: କୋରାପୁଟ ଜିଲ୍ଲାର କୋଟିଆ ସୀମା ବିବାଦ ପୁଣି ଚର୍ଚ୍ଚାକୁ ଆସିଛି । କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ କରୁଛି । ଯାହାକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଥିବା ବେଳେ ଜୟପୁରର ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅନୁପ୍ରବେଶ ନେଇ ଅନୁପ କୁମାର ପାତ୍ର ୨୦୨୬ ଅକ୍ଟୋବର ୨୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଅଭିଯୋଗ କରିଥିଲେ । ଯାହା ଉପରେ ୨୦୨୬ ଅକ୍ଟୋବର ୨୭ ତାରିଖରେ ରାଷ୍ଟ୍ରପତିଙ୍କ ସଚିବାଳୟ ପ୍ରତିକ୍ରିୟା ରଖିଛି ।

ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗକୁ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି । କୋଟିଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ମୋଟ ୨୮ଟି ଗ୍ରାମ ମଧ୍ୟରୁ ୨୧ଟିକୁ ନେଇ ସୀମା ବିବାଦ ଲାଗି ରହିଛି । ଆବେଦନ ଉପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ATR) ସିଧାସଳଖ ଆବେଦନକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଟିଆର ୨୮ଟି ଗାଁକୁ ନେଇ ପ୍ରଶ୍ନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆବେଦନରେ କୋଟିଆ ଗ୍ରାମ ପଞ୍ଚାୟତର ୨୮ଟି ଗାଁ ଏବଂ ସେଥିରୁ ୨୧ଟି ଗାଁକୁ ନେଇ ଥିବା ସୀମା ବିବାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଆବେଦନକାରୀଙ୍କ ଅଭିଯୋଗ ହେଉଛି, ଆନ୍ଧ୍ରପ୍ରଦେଶର ପ୍ରଶାସନିକ ହସ୍ତକ୍ଷେପ ଯୋଗୁଁ ସ୍ଥାନୀୟ ଆଦିବାସୀ ଲୋକଙ୍କ ପରିଚୟ ଓ ସରକାରୀ ସୁବିଧାକୁ ନେଇ ସମସ୍ୟା ସୃଷ୍ଟି ହେଉଛି । ଏହାସହ କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ସୁଦୃଢ଼ କରିବା, ଆଦିବାସୀଙ୍କ ଅଧିକାର ସୁରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ସୁପ୍ରିମକୋର୍ଟ ଓ ସୀମା ବିବାଦ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗିରହିଛି । ଓଡ଼ିଶା ସରକାର ୧୯୬୮ରେ ଧାରା ୧୩୧ ଅଧୀନରେ ମୂଳ ମାମଲା (Original Suit No. 10/1968) ଦାଏର କରିଥିଲେ । ସୁପ୍ରିମକୋର୍ଟ ୧୯୬୮ରେ ଅନ୍ତରୀଣ ସ୍ଥିତାବସ୍ଥା (Status Quo) ଆଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୦୬ ରେ ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ ଯେ, ସମ୍ବିଧାନ ଅନୁଯାୟୀ ରାଜ୍ୟଗୁଡ଼ିକର ସୀମା ସମ୍ପର୍କିତ ସମାଧାନ ସଂସଦ ଦ୍ୱାରା ହିଁ ସମ୍ଭବ ।

ଫେବ୍ରୁଆରୀ ୨୦୨୧ରେ ଆନ୍ଧ୍ରପ୍ରଦେଶ ସରକାର କୋଟିଆର ତିନୋଟି ଗ୍ରାମ (ଫାଟୁସେନେରୀ, ଫାକୁପାଟୁ ଏବଂ ନେରେଡ଼ିବାଲାସା)ରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିବାରୁ, ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରିଥିଲେ ।

ପରିଚୟ ସଂକଟ

ବିବାଦୀୟ କୋଟିଆ ସୀମା ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଏବେ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଭୋଟର କାର୍ଡରୁ ନେଇ ରାସନ କାର୍ଡ ରହିଛି । ଲୋକ ଯଦିଓ ୨ ରାଜ୍ୟରୁ ସୁବିଧା ପାଉଛନ୍ତି ତଥାପି ସେମାନଙ୍କ ଭୌଗଳିକ ପରିଚୟ ସଂକଟରେ ରହିଛି ।

କ’ଣ ଦାବି କରିଛନ୍ତି ଆବେଦନକାରୀ ?

  • କୋଟିଆର ୨୮ଟି ଗାଁରେ ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ।
  • ସୀମାନ୍ତ ଅଞ୍ଚଳରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ପାଇଁ କେନ୍ଦ୍ର-ରାଜ୍ୟ ସ୍ତରୀୟ ପ୍ରଶାସନିକ ପଦକ୍ଷେପ ନେବା ।