କୁଢ଼ କୁଢ଼ ଅଳିଆ, ଗଦା ଗଦା ପ୍ଲାଷ୍ଟିକରେ ପୋତି ହେଲାଣି କୁଆଖାଇ

କୁଢ଼ କୁଢ଼ ଅଳିଆ, ଗଦା ଗଦା ପ୍ଲାଷ୍ଟିକ । ଯିଏ ଯାହା ପାରିଲା ଫୋପାଡିଲା । ବିପଦରେ ରାଜଧାନୀବାସୀଙ୍କ ଲାଇଫ ଲାଇନ କୁଆଖାଇ । କୁଆଖାଇ ନଦୀରେ ମେଞ୍ଚା ମେଞ୍ଚା ଅଳିଆ, ଆବର୍ଜନା । ବେଫିକର ହୋଇ ପ୍ଲାଷ୍ଟିକ ଫିଙ୍ଗୁଛନ୍ତି ଲୋକେ । ଅଳିଆ ଆବର୍ଜନା ନ ଫିଙ୍ଗିବା ପାଇଁ ନାହିଁ ବିଏମ୍ସିର କଟକଣା । ଦୟା, ଗଙ୍ଗୁଆ ନଦୀ ଭଳି ପ୍ଲାଷ୍ଟିକରେ ପୋତି ହୋଇଯିବ କି କୁଆଖାଇ ?
ପ୍ରତିଦିନ କୁଆଖାଇ ନଦୀକୁ ମେଞ୍ଚା ମେଞ୍ଚା ପ୍ଲାଷ୍ଟିକ ଫିଙ୍ଗୁଛନ୍ତି ଲୋକେ। ପୂଜା ପର୍ବ ହେଉ କି ସୁଧିକ୍ରିୟା ଯାହାସବୁ ଅଳିଆ ଆବର୍ଜନା ବାହାରିଲା ତାକୁ ବ୍ରିଜ ଉପରୁ ଥାଇ ପିଙ୍ଗି ଦେଉଛନ୍ତି କୁଆଖାଇ ନଦୀକୁ । ରାଜଧାନିବାସୀଙ୍କ ଲାଇଫ ଲାଇନ କୁଆଖାଇ ଏବେ ବିପଦରେ। ଯେଉଁ ନଦୀର ପାଣିକୁ ଲୋକେ ପିଉଛନ୍ତି ସେହି ପାଣି ଦିନକୁ ଦିନ ଅଧିକ ଦୂଷିତ ହେବାରେ ଲାଗିଛି । ଯଦି ଏହିଭଳି ପ୍ଲାଷ୍ଟିକ ଓ ଅଳିଆ ଆବର୍ଜନା ପଡ଼େ ତେବେ ଆଗକୁ ପାଣି ଟୋପାଏ ପାଇଁ ଡହଳ ବିକଳ ହେବେ ରାଜଧାନୀବାସୀ ।
ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରୁ ଲୋକେ କାର, ବାଇକ, ଅଟୋ, ସ୍କୁଟିରେ ଅଳିଆ ଆଣି ନଦୀରେ ପକାଇ ଦେଉଛନ୍ତି । ଏମାନଙ୍କ ପାଇଁ ବିଏମସିର କୌଣସି କଟକଣା ନାହିଁ । ପ୍ରଶ୍ନ ଉଠୁଛି କେବେ ଚେତିବେ ଲୋକେ ? ଦୟା, ଗଙ୍ଗୁଆ ନଦୀ ଭଲି ପ୍ଲାଷ୍ଟିକରେ ପୋତି ହୋଇଯିବକି କୁଆ ଖାଇ?
ଭୁବନେଶ୍ୱର ମେୟର କହିଛନ୍ତି ବାରମ୍ବାର ଏଜେନ୍ସି ଲଗାଇ କୁଆଖାଇ ବ୍ରିଜ ତଳେ ସଫା କରାଯାଉଛି । ଖୁଵଶୀଘ୍ର ଆଉ ଯେଉଁ ଅଳିଆ, ପ୍ଲାଷ୍ଟିକ ପଡିଛି ତାକୁ ସଫା କରାଯିବ । ଲୋକ ମାନେ ସେଠାରେ ଅଳିଆ ନପକେଇବା ପାଇଁ ବିଜ୍ଞାପନ ଦେଉଛୁ, ୱାର୍ଡ ୱାର୍ଡ ବୁଲି ସଚେତନ କରୁଛୁ । କିନ୍ତୁ ଲୋକମାନେ ସଚେତନ ହେଉନାହିଁନ୍ତି । ଲୋକମାନେ ଆମକୁ ସହଯୋଗ ନକଲେ ଆମେ କିଛି କରିପାରିବୁ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ମେୟର ।
ପୂଜା ପର୍ବରେ ମୂର୍ତ୍ତି ଏବଂ ପୂଜା ସାମଗ୍ରୀ ବିସର୍ଜନ ପାଇଁ ବିମସି ପକ୍ଷରୁ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଥାଏ । ହେଲେ ଅସ୍ଥାୟୀ ପୋଖରୀରେ ଅଳିଆ ପଡ଼େ କମ । ବ୍ରିଜ ଉପରେ ଥାଇ ଲୋକେ ଅଳିଆ କୁଆଖାଇ ନଦୀକୁ ଫୋପାଡ଼ନ୍ତି ଅଧିକ । ସ୍ଥାନୀୟ ଲୋକଙ୍କ ଆଶା ଏହି ଖବର ପ୍ରସାରଣ ପରେ ପ୍ରଶାସନ କୁଆଖାଇ ନଦୀ ପାଇଁ କୌଣସି ସ୍ଥାୟୀ ସମାଧାନର ବାଟ ବାହାର କରିବ ।