ପିଲାଙ୍କ ପଢିବା ପାଇଁ ଶ୍ରେଣୀ ଗୃହ ନାହିଁ କି କଳାପଟା ନାହିଁ...

କନ୍ଧମାଳ: ଘଞ୍ଚ ଜଙ୍ଗଲ ଆଉ ପାହାଡ ମଝିରେ କାଠଘର । ଉପରେ ଆଜବେଷ୍ଟସ ପଡିଛି ଆଉ ଚାରିପଟେ କାଠର କାନ୍ଥ । ଯେଉଁଥିରେ କି ପବନ, ପାଣି, ଖରା ସବୁ ପଶିପାରିବ । ଏମିତି ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ୟୁନିଫର୍ମ ପିନ୍ଧି ଖାତା ବହି ଧରି ପିଲା ଏଇ ଘରେ ପାଠ ପଢୁଛନ୍ତି । କୋଠରୀ ଭିତରେ କୋଠରୀ । ଠିକ୍ ସେମିତି ଏଇ କାଠ ଘରେ ବି ଚାଲିଛି ରୋଷେଇ । ଏ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗିବାଡ଼ି ଗ୍ରାମ ପଞ୍ଚାୟତର ଗଡ଼ାପାକାଲି ଗାଁର । ପ୍ରଶାସନିକ ଅବହେଳା କାରଣରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନିରୀହ ଗ୍ରାମବାସୀ ।
ଏହି ଗାଁ କୁ ଯିବାକୁ ହେଲେ ମୁଖ୍ୟ ରାସ୍ତାରୁ ପାଖାପାଖି ୧୫ କିଲୋମିଟର ଅଙ୍କାବଙ୍କା,ଖାଲଢିପ ପାହାଡ଼ିଆ ରାସ୍ତାରେ ଯିବାକୁ ପଡ଼େ । ଗାଁ ରେ ପାଖାପାଖି ୩୦ରୁ ୪୦ ପରିବାର ବସବାସ କରନ୍ତି । ସମସ୍ତେ ପ୍ରାୟତଃ ଖଟିଖିଆ ଶ୍ରେଣୀର ଲୋକେ । ଆଜି ଯାଏଁ ଛାତ୍ରଛାତ୍ରୀମାନେ ଗ୍ରାମବାସୀ ନିର୍ମାଣ କରିଥିବା ଏକ ଭଙ୍ଗା ଦଦରା କାଠ ଘରେ ଶିକ୍ଷା ଗ୍ରହଣ କରୁଛନ୍ତି । ଯାହାକୁ ଦେଖିଲା ସ୍ପଷ୍ଟ ଅନୁମେୟ ଯେ ଦାରିଙ୍ଗବାଡି ବ୍ଲକର ଶିକ୍ଷାବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଭଙ୍ଗା ଦଦରା କାଠକୁଡ଼ିଆ ଘରେ ଖରା ବର୍ଷା ଶୀତରେ ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି ।
📱 Get Argus News App
✨ରାସ୍ତା ଅବସ୍ଥା କାରଣରୁ ଶିକ୍ଷକଶିକ୍ଷୟତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଯୋଗୁଁ ଗାଁକୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ବିଦ୍ୟାଳୟ ଗୃହ ଓ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ କରାଗଲେ ନିଜେ ସୁରକ୍ଷିତ ରହିବା ସହ ଠିକ୍ ଭାବରେ ଶିକ୍ଷାଦାନ ହୋଇପାରନ୍ତା ବୋଲି କହିଛନ୍ତି ଶିକ୍ଷୟତ୍ରୀ ଓ ଅଭିଭାବକ । ପୂର୍ବ ସରକାର ଏଥିପ୍ରତି କୌଣସି ପଦକ୍ଷେପ ନେଇନଥିବାବେଳେ ଏବେର ନୂଆ ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।