ବିକାଶ ଅପେକ୍ଷାରେ ଲଦ୍ରି, ପ୍ରକୃତି କୋଳରେ ଅଭିଶପ୍ତ ଗାଁ

ଅର୍ଗସ ବ୍ୟୁରୋ: ପାହାଡ଼ ଶିଖର ଉପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଅଭିଶପ୍ତ ଗାଁ ଲଦ୍ରି। ଗାଁକୁ ଯିବାକୁ ହେଲେ ଅଙ୍କାବଙ୍କା ଗୋଡି ମାଟି ଜଙ୍ଗଲ ରାସ୍ତାରେ ଯିବାକୁ ପଡେ। ରାସ୍ତା ଏମିତି ଯେଉଁଠି ପ୍ରତି ପାଦେପାଦେ ରହିଛି ବିପଦ। ଏ ରାସ୍ତାରେ ୪ ଚକିଆ ଦୁରର କଥା ଦୁଇ ଚକିଆ ବି ଯିବା କଷ୍ଟକର। ନିର୍ବାଚନ ସମୟ ବ୍ୟତୀତ ଅନ୍ୟ କୌଣସି ସମୟରେ ଏଠି ସରକାରୀ ବାବୁ କିମ୍ବା ଜନ ପ୍ରତିନିଧିଙ୍କ ପାଦ ପଡିନି। ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ପେଣ୍ଡିଲି ପଞ୍ଚାୟତର ଲଦ୍ରି ଗାଁ। ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଗାଁ। ଏଠାରେ ସବୁ ଯୋଜନା ଫେଲ ମାରିଛି କହିଲେ ଚଳେ। ଗାଁରେ 200 ରୁ ଅଧିକ ଲୋକ ବସବାସ କରନ୍ତି। ମାତ୍ର ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଗାଁକୁ ଖଣ୍ଡିଏ ପକ୍କା ରାସ୍ତା ସଂଯୋଗ ହୋଇପାରୁ ନାହିଁ। ଫଳରେ ଗାଁରେ ପହଞ୍ଚି ପାରୁନି ବିକାଶ।
ଗାଁରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟ ରହିଛି ସତ କିନ୍ତୁ ତାହା ନଥିବା ସାଙ୍ଗେ ସମାନ । ବିଦ୍ୟାଳୟକୁ ଦେଖିଲେ ବାରି ହୋଇପଡୁଛି ଏଠାରେ କିଭଳି ପାଠପଢା ହେଉଛି। ବର୍ଷ ତମାମ ତାଲା ଝୁଲି ରହିଥାବା ଶ୍ରେଣୀଗୃହରେ ମାସକୁ ଦିନେ କିମ୍ବା ଦୁଇଦିନ ଆସନ୍ତି ଶିକ୍ଷକ। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ। ଏମିତିକି ପିଲାମାନେ ଶିକ୍ଷା ସହ ମଧ୍ୟାନ ଭଜନରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁରେ ନାଳକୂପ ରହିଛି ହେଲେ ସେଥିରୁ ପାଣି ବାହାରୁନି ।
ଫଳରେ ଲୋକେ କୂଅ ପାଣି ବ୍ୟବହାର କରୁଛନ୍ତି। ଏହି ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ନାହିଁ ନାହିଁର ଗାଁ ମୌଳିକ ସମସ୍ୟା ଏଠାରେ ଅପହଞ୍ଚ..ଆଉ ସବୁ ଜାଣି ପ୍ରଶାସନ ସାଜିଛି ନିରବଦ୍ରଷ୍ଟା ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: