ରାଜ୍ୟର ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା ଆରମ୍ଭ

ରାଜ୍ୟର ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା ଆରମ୍ଭ । କ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଁ ଦିଆଯାଉଛି ପ୍ରଶିକ୍ଷଣ । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ । କାର୍ଯ୍ୟକ୍ରମକୁ ମିଶନ ମୋଡ୍ରେ ନେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶ ।
ଆଜିଠୁ ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷପତି ଦିଦି’ କର୍ମଶାଳା। ଏହି କର୍ମଶାଳାରେ ଭବିଷ୍ୟତର ଲକ୍ଷପତି ଦିଦି’ଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା, ସେମାନଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ଜୀବିକା ମିଶନ ଅଧୀନରେ କାର୍ଯ୍ୟକାରୀ ହେଉଛି ଏହି ମହତ ଯୋଜନା। ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ପ୍ରେରଣାଦାୟୀ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି ।
ବଲାଙ୍ଗିର କୋଶଲ କଲାମଣ୍ଡଲ ପଡିଆରେ ଆୟୋଜିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ପ୍ରାୟ ୪ ହଜାର ସିଆରପି, ଏମବିକେ ଦିଦି ଯୋଗଦେଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ଅଛନ୍ତି ୨୩ ହଜାର ଲକ୍ଷପତି ଦିଦି। ଜିଲ୍ଲାରେ ୫୦ ହଜାର ଲକ୍ଷପତି ଦିଦି ତିଆରି କରିବାକୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍। କୃଷି, ମତ୍ସ୍ୟ, ପଶୁପାଳନ, ଅଧିକାରୀ ଲକ୍ଷପତି ଦିଦିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।
ଭବାନୀପାଟଣା ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଲକ୍ଷପତି ଦିଦି କର୍ମଶାଳାରେ ମିଶନ ଶକ୍ତି ମହିଳା, ଏମବିକେ, ସିଆରପି, ପ୍ରାଣୀମିତ୍ର, କୃଷି ମିତ୍ର ସଦସ୍ୟ ଓ ଉଦ୍ୟୋଗୀ ମହିଳାଙ୍କୁ ସମ୍ମାନିତ କରାଯାଇଛି। ବାରିପଦା କଲେଜ ପଡ଼ିଆରେ ଆଯୋଜିତ କର୍ମଶାଳାରେ ଲକ୍ଷପତି ଦିଦିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ଉପରେ ଆଳୋଚନା ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ ମୋଟ ୪୪ ହଜାର ୯୦୦ ଲକ୍ଷପତି ଦିଦି ଯୋଜନାରେ ଲାଭାନ୍ବିତ ହୋଇସାରିଛନ୍ତି।
ରାୟଗଡ଼ାରେ ଆୟୋଜିତ କର୍ମଶାଳାରେ ୪ ହଜାରରୁ ଅଧିକ ଲକ୍ଷପତି ଦିଦି ଯୋଗ ଦେଇଥିଲେ। ଜିଲ୍ଲାରେ ଏବେ ୧୩ ହଜାର ଲକ୍ଷପତି ଦିଦି ଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟାକୁ ୩୦ ହଜାରରେ ପହଞ୍ଚାଇବା ନେଇ ଆଲୋଚନା ହୋଇଛି।
ଝାରସୁଗୁଡ଼ା, ନୂଆପଡ଼ା, ବାଲେଶ୍ୱର, କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଆୟୋଜିତ ହୋଇଛି ଲକ୍ଷପତି ଦିଦି କର୍ମଶାଳା। ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଜରାଟ ନବସାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷପତି ଦିଦିମାନଙ୍କ ସହିତ ମନ ଖୋଲି କଥା ହୋଇଥିଲେ। ଏହି ଅବସରରେ ସେ ମହିଳା ସଶକ୍ତିକରଣ ଓ ସମାଜ ପ୍ରତି ମହିଳାଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।